ଭାରତଠାରୁ ଗୋଟେ ଦିନ ପୂର୍ବେ କାହିଁକି ସ୍ୱାଧୀନତା ଦିବସ ପାଳନ କରେ ପାକିସ୍ତାନ? ଜାଣନ୍ତୁ ଏହା ପଛର କାରଣ….

ନନ୍ଦିଘୋଷ ବ୍ୟୁରୋ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ପାଇଥିଲା । ହେଲେ ଭାରତ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ପାକିସ୍ତାନ ଅଗଷ୍ଟ ୧୪ ତାରିଖରେ ପାଳନ କରୁଛି । ଚଳିତଥର ଉଭୟ ଦେଶ ବ୍ରିଟିଶ ଶାସନରୁ ସ୍ୱାଧୀନ ହେବା ୭୭ ବର୍ଷ ପୂରଣ କରୁଛନ୍ତି । ଅନେକ ତଥ୍ୟ ରହିଛି ଯେ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦିନ ହିଁ ସ୍ୱାଧୀନତା ମିଳିଥିଲା । କିନ୍ତୁ ଏମିତି କଣ ହେଲା ଯେ ପାକିସ୍ତାନ ଗୋଟେ ଦିନ ପୂର୍ବେ ଅର୍ଥାତ ୧୪ ଅଗଷ୍ଟରେ ନିଜର ସ୍ୱାଧୀନତା ଦିବସ ପାଳନ କରିଥାଏ । ଏହା ପଛରେ ଅନେକ ଥିଓରୀ ରହିଛି, କେହି କୁହନ୍ତି ଯେ ଏହା ପଛରେ ମହମ୍ମଦ ଅଲୀ ଜିନ୍ନା ଥିବାବେଳେ ତ ଆଉ କେହି କୁହନ୍ତି ଯେ ଏହା ପଛରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲୀଙ୍କ ବ୍ରେନ ଅଛି ବୋଲି ।

ଯେବେ ବ୍ରିଟିଶ ସରକାର ଭାରତ ଏବଂ ପାକିସ୍ତାନ ଦୁଇ ଦେଶର ବିଭାଜନ ଏବଂ ସ୍ୱାଧୀନତାର ଘୋଷଣା କରିଥିଲେ ସେତେବେଳେ ପାକିସ୍ତାନର ସଂସ୍ଥାପକ ମହମ୍ମଦ ଅଲୀ ଜିନ୍ନା ନିଜ ଐତିହାସିକ ରେଡିଓ ସମ୍ବୋଧନରେ ଘୋଷଣା କରିଥିଲେ ଯେ ୧୫ ଅଗଷ୍ଟ ପାକିସ୍ତାନର ସ୍ୱତନ୍ତ୍ର ଏବଂ ସାର୍ବଭୌମତ୍ୱ ରାଷ୍ଟ୍ରର ଜନ୍ମଦିନ ଅଟେ । ଏହା ମୁସଲିମ ରାଷ୍ଟ୍ରର ଭାଗ୍ୟ ପୂରଣର ପ୍ରତୀକ ଅଟେ ଯାହା ଗତ କିଛି ବର୍ଷରେ ନିଜ ମାତୃଭୂମି ପାଇବା ପାଇଁ ମହାନ ବଳିଦାନ ଦେଇଛି । ଏଥିପାଇଁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ଏବଂ ପାକିସ୍ତାନକୁ ଗୋଟିଏ ଦିନରେ ସ୍ୱାଧୀନତା ମିଳିଥିଲା । ତେବେ ପାକିସ୍ତାନ କଣ ପାଇଁ ନିଜ ସ୍ୱାଧୀନତା ଦିବସ ଗୋଟେ ଦିନ ପୂର୍ବେ ୧୪ ଅଗଷ୍ଟରେ ହିଁ ପାଳନ କରୁଛି? ଜାଣନ୍ତୁ ଏହା ପଛର କାରଣ…

ପାକିସ୍ତାନ ୧୪ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରିବା ପଛରେ ଏକ କାରଣ ବ୍ରିଟିଶ ଭାରତର ଶେଷ ଭାଇସରାୟ ଲର୍ଡ ମାଉଣ୍ଟବେଟନଙ୍କୁ କୁହାଯାଇଥାଏ । ଏପରି କୁହାଯାଇଥାଏ ଯେ କ୍ଷମତା ହସ୍ତାନ୍ତରଣର ଯୋଜନା ପ୍ରଥମେ ଜୁନ ୧୯୪୮ ପୂର୍ବରୁ କରାଯାଇଥିଲା । ଏହାପରେ ମାଉଣ୍ଟବେଟନ ଉଭୟ ଦେଶଙ୍କୁ ଔପଚାରିକ ଭାବେ ସ୍ୱାଧୀନତା ଦେବା ପାଇଁ ୧୫ ଅଗଷ୍ଟ ୧୯୪୭ ଦିନ ନିର୍ଦ୍ଧାରିତ କରିଥିଲେ କିନ୍ତୁ କାର୍ଯ୍ୟସୂଚୀ ହେତୁ ସେ ୧୪ ଅଗଷ୍ଟ ୧୯୪୭ରେ ହିଁ ପାକିସ୍ତାନର ସ୍ୱାଧୀନତାର ଘୋଷଣା ପାଇଁ ମହମ୍ମଦ ଅଲୀ ଜିନ୍ନାଙ୍କୁ କ୍ଷମତା ହସ୍ତାନ୍ତରଣ ପାଇଁ କରାଚୀ ଯାଇଥିଲେ ।

ଦ୍ୱିତୀୟ ଥିଓରୀ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଅଲୀ ଖାନ କ୍ୟାବିନେଟର ପ୍ରଥମ ନିଷ୍ପତ୍ତିକୁ ବିଚାର କରାଯାଇଥାଏ । ଜୁନ ୧୯୪୮ରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିୟାକତ ଖାନଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ରଖାଯାଇଥିଲା ଯେ ଦେଶ ନିଜର ସ୍ୱାଧୀନତା ଦିବସ ଭାରତ ପୂର୍ବରୁ ପାଳନ କରାଯିବ । ପ୍ରସ୍ତାବକୁ ଜିନ୍ନା ମଞ୍ଜୁରୀ ଦେଇଥିଲେ ଏବଂ ତାରିଖ ୧୪ ଅଗଷ୍ଟ କରିଦିଆଯାଇଥିଲା । ଆଉ ଏକ କାରଣ ରମଜାନର ଧାର୍ମିକ ମାସକୁ ମଧ୍ୟ କୁହାଯାଏ । ୧୪ ଏବଂ ୧୫ ଅଗଷ୍ଟ ୧୯୪୭ର ମଧ୍ୟରାତ୍ରୀ, ରମଜାନର ୨୭ତମ ଦିନ ସହ ମେଳ ଖାଇଥାଏ । ଯାହାକୁ ପବିତ୍ର ମାସର ଶୁଭ ଦିନ ବୋଲି ବିବେଚନା କରାଯାଏ । ଏଥିପାଇଁ ୧୪ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବେ ଗ୍ରହଣ କରାଯାଇଥିଲା ।

 ଆଉ ଏକ କାରଣ ଉଭୟ ଦେଶରେ ସମୟର ପାର୍ଥକ୍ୟକୁ ବି କୁହାଯାଇଥାଏ ।  ପାକିସ୍ତାନ ଷ୍ଟାଣ୍ଡାର୍ଡ ଟାଇମ (ପିଏସଟି)ର ଭାରତୀୟ ଷ୍ଟାଣ୍ଡାର୍ଡ ଟାଇମ (ଆଇଏସଟି)ଠାରୁ ୩୦ ମିନିଟ ଆଗୁଆ ରହିବା ମଧ୍ୟ ଏକ କାରଣ କୁହାଯାଏ । ଯେହେତୁ ଭାରତ ୧୫ ଅଗଷ୍ଟ ରାତି ୧୨ଟାରେ ଏକ ସ୍ୱତନ୍ତ୍ର ଦେଶ ହୋଇଯାଇଥିଲା । ଏହି ସମୟରେ ପାକିସ୍ତାନରେ ସ୍ଥାନୀୟ ସମୟ ୧୪ ଅଗଷ୍ଟରେ ରାତି ୧୧ଟା ୩୦ ରହିଥିଲା । ଏଥିପାଇଁ ପାକିସ୍ତାନରେ ସ୍ୱାଧୀନତା ଗୋଟେଦିନ ପୂର୍ବେ ପାଳନ କରାଯାଏ ।