spot_img
Home Blog Page 3110

ଏଣିକି ବୟସାଧିକ ତଥା ଭିନ୍ନକ୍ଷମଙ୍କ ଘରେ ପହଞ୍ଚିବ ଭତ୍ତା ଟଙ୍କା

ଭୁବନେଶ୍ୱର: କୋହଳ ହେଲା ମଧୁବାବୁ ପେନସନ ଯୋଜନା ନିୟମ । ଏଣିକି ହିତାଧିକାରୀଙ୍କ ଘରକୁ ଯିବ ପେନସନ । ବୟସାଧିକ ତଥା ଭିନ୍ନକ୍ଷମ ହିତାଧିକାରୀଙ୍କ ଘରକୁ ଯିବ ପେନସନ । ସେପଟେ ବିତରଣ କେନ୍ଦ୍ରରେ ପେନସନ ପାଇବେ ଅନ୍ୟ ହିତାଧିକାରୀ । ଏ ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଜାରି ହୋଇଛି ।

ଏଣିକି ସମସ୍ତ ହିତାଧିକାରୀ ପ୍ରତି ମାସ ୧୫ତାରିଖରେ ପେନସନ ପାଇବେ । ହିତାଧିକାରୀ ମାନେ ବ୍ୟାଙ୍କରୁ ପେନସନ ଆଣିବା ବେଳେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ବୟସାଧିକ ତଥା ଭିନ୍ନକ୍ଷମ ହିତାଧିକାରୀ ବ୍ୟାଙ୍କ ଯିବା ପାଇଁ ସକ୍ଷମ ହୋଇପାରୁନଥିଲେ । ହିତାଧିକାରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ନିୟମ କୋହଳ କରିଛନ୍ତି । ପ୍ରତି ମାସର ନିଦ୍ଧିଷ୍ଟ ତାରିଖରେ ହିତାଧିକାରୀଙ୍କୁ ବିତରଣ କେନ୍ଦ୍ର ଏବଂ ବୟସାଧିକ ତଥା ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ଘରେ ପେନସନ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଦେଶରେ ଚାଲୁଥିଲା ୫ ହଜାରରୁ ୧୦ହଜାର ଟଙ୍କାର ନୋଟ୍, ଜାଣନ୍ତୁ କେବେ?

ନୂଆଦିଲ୍ଲୀ: ଦିନ ଥିଲା ଦେଶରେ ଚାଲିଥିଲା ୧୦ହଜାର ଟଙ୍କିଆ ନୋଟ୍। ୨ହଜାର ଟଙ୍କିଆ ନୋଟ୍ ଭଳି ତାକୁ ବି ବଜାରରୁ ହଟାଇ ଦିଆଯାଇଥିଲା । ଏହି ନୋଟ୍ ପରିବର୍ତ୍ତନ ବା ନୋଟବନ୍ଦୀ ପ୍ରଥମଥର ପାଇଁ ହୋଇନାହିଁ । ମନେ ପକାନ୍ତୁ ୨୦୧୬ କଥା । ଯେତେବେଳେ ସରକାର ଅଚାନକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ପ୍ରଚଳନକୁ ବ୍ୟାନ୍ କରିବା ପାଇଁ ଘୋଷଣା କରିଥିଲେ। ଲୋକ ନାହିଁ ନଥିବା ହୀନସ୍ତା ହେଲେ । ପରିସ୍ଥିତି ଏଭଳି ହୋଇଥିଲା ଯେ, ଏହି ମାମଲା ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଥିଲା । ସରକାର ଯୁକ୍ତି କଲେ, କଳାଟଙ୍କା ଫେରାଇ ଆଣିବାକୁ ଏ ନୋଟବନ୍ଦୀ ହେଉଛି ସିଙ୍ଗଲଓ୍ବିଣ୍ଡାେ । ସରକାରଙ୍କ ହଁ ରେ କୋର୍ଟ ହଁ ମାରିଲେ, ଡିମୋନୀଟାଇଜେସନ ବା ବିମୁଦ୍ରୀକରଣକୁ  ଠିକ୍ ବୋଲି କହିଲେ । ଆସନ୍ତୁ ଜାଣିବା  ୨୦୧୬ ପୂର୍ବରୁ ଦେଶରେ କେବେ ହୋଇଥିଲା ନୋଟ୍ ପରିବର୍ତ୍ତନ?…

୧୯୪୬ରେ ପ୍ରଥମ ବିମୁଦ୍ରୀକରଣ

ଦେଶରେ ପ୍ରଥମ ଥର ପାଇଁ ୧୯୪୬ରେ ଅର୍ଥାତ୍ ସ୍ୱାଧୀନତାର ଏକ ବର୍ଷ ପୂର୍ବରୁ ବିମୁଦ୍ରୀକରଣ ହୋଇଥିଲା । ସେତେବେଳେ ସର୍ବପ୍ରଥମେ ୫ଶହ, ୧ହଜାର ଏବଂ ୧୦ହଜାର ଟଙ୍କିଆ ନୋଟର ପ୍ରଚଳନକୁ ବନ୍ଦ କରିଦିଆଯାଇଥିଲା । ଏପରିକି ବ୍ରିଟିଶ କାଳର ୧୦୦ ଟଙ୍କିଆ ଉପରେ ଥିବା ସମସ୍ତ ନୋଟକୁ ବନ୍ଦ କରିଦିଆଯାଇଥିଲା ।

୧୯୭୮ ମସିହାରେ ପୁଣି ନୋଟ୍ ବ୍ୟାନ୍

ମୋରାଜୀ ଦେଶାଇ ସରକାରଙ୍କ ସମୟରେ ବି ବନ୍ଦ ହୋଇଥିଲା ନୋଟ୍ । ୧୯୭୮ ମସିହା ଜାନୁଆରୀ ୧୬ ତାରିଖରେ ତତ୍କାଳୀନ ମୋରାରଜୀ ଦେଶାଇଙ୍କ ସରକାର ସମୟରେ ୧ ହଜାର, ୫ ହଜାର ଓ ୧୦ ହଜାର ଟଙ୍କାର ନୋଟକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା । କଳାଧନ ଉପରେ ରୋକ ଲଗାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଥିଲେ ।  ଏନେଇ ନ୍ୟୁଜ ପେପର ଜରିଆରେ ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ତେବେ ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବାକୁ ନିକଟରେ ଘୋଷଣା କରିଛି ଆରବିଆଇ । ଯାହାଫଳରେ ଏହି ନୋଟ୍ ଏକପ୍ରକାର ଅଚଳ ହେବାକୁ ଯାଉଛି । ତେବେ  ୨ହଜାର ଟଙ୍କିଆ ନୋଟ୍ ବୈଧ ରହିବ । ଆପଣମାନେ ସେପ୍ଟେମ୍ବର ୩୦ ଯାଏଁ ଦୁଇ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇପାରିବେ । ସେଥିପାଇଁ ଆଦୌ ଛାନିଆ ହୁଅନ୍ତୁ ନାହିଁ ।

ରିଜର୍ଭ ବ୍ୟାଙ୍କ କହୁଛି ୨୦୧୮-୧୯ରୁ ଛପା ବନ୍ଦ ହେଲାଣି ଦୁଇ ହଜାର ଟଙ୍କିଆ ନୋଟ । ନଭେମ୍ବର ୨୦୧୬ରେ ଆରମ୍ଭ ହୋଇଥିଲା ୨୦୦୦ ଟଙ୍କିଆ ନୋଟ୍ । ୨୦୧୭ ମାର୍ଚ୍ଚ ପୂର୍ବରୁ ବିତରଣ ହୋଇଥିଲା ୮୯% ଟଙ୍କା  । ଏବେ ବଜାରରେ ୩ଲକ୍ଷ ୬୨ ହଜାର କୋଟି ଟଙ୍କାର ୨୦୦୦ ହଜାର ଟଙ୍କିଆ ନୋଟ ରହିଛି । ମାତ୍ର ୧୦ ପ୍ରତିଶତ କାରବାର ଦୁଇ ହଜାର ଟଙ୍କା ମାଧ୍ୟମରେ ହେଉଛି  ।  ୨୦୧୬ରେ କଳାଧନ ଉପରେ ରୋକ ଲଗାଇବାକୁ ଯେଉଁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ହୋଇଥିଲା  ଏବେ ପୁଣି ଏହି ଟଙ୍କାକୁ ବନ୍ଦ କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ମାତ୍ର ଜବାବ କିଏ ଦେବ?

କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି 5T ସଚିବ

କଳାହାଣ୍ଡି: କଳାହାଣ୍ଡି ବିକାଶର ଗ୍ରାଉଣ୍ଡ ସମୀକ୍ଷା । ମାଣିକେଶ୍ବରୀଙ୍କ ମାଟିର ସାରଥୀ ସାଜିଛନ୍ତି ଫାଇଭ ଟି ସଚିବ । ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଏଠାରେ ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ । ପରେ ସେ କଳାହାଣ୍ଡିରେ ଜଳସେଚନର ବିକାଶ ପାଇଁ ହାତୀ ନଦୀର ଉଭୟ ପାର୍ଶ୍ବରେ ଅଧିକ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କରିବା ପାଇଁ ପାଣ୍ଡିଆନ ଜଳସଂପଦ ବିଭାଗର ଇଂଜିନିଅର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏଥିପାଇଁ ସ୍ବତନ୍ତ୍ର ସର୍ଭେ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଫାଇଭ ଟି ସଚିବ କହିଥିଲେ । ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ।

କଳାହାଣ୍ଡିର ଥୁଆମୁଳ-ରାମପୁର ଠାରେ ପ୍ରସିଦ୍ଧ ମା ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ସେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ । କଲମପୁର ମିନି ଷ୍ଟାଡିଅମ ଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ମଙ୍ଗଳପୁର ବ୍ୟାରେଜ ଠାରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ ।

ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ। ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ । ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ପରେ ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ପୂର୍ଜାର୍ଚ୍ଚନା କରିଥିଲେ ଫାଇଭ ଟି ସଚିବ । ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 15 ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଧରମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ ଦେଇଥିଲେ। ଗମ୍ଭାରୀଗୁଡା ଠାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ । ଆଶ୍ରମରେ ଅନ୍ତେବାସୀଙ୍କ ସହିତ କିଛି ସମୟ ବିତାଇବା ସହିତ ମଧ୍ୟାହ୍ନ ଭୋଜନ କରିଥିଲେ ଭି.କେ ପାଣ୍ଡିଆନ । ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଧରମଗଡରେ ସବ୍ଡିଭିଜିନାଲ ହସ୍ପିଟାଲ ପରିଦର୍ଶନ କରି ସେଠାରେ ଚାଲିଥିବା ଆମ ହସ୍ପିଟାଲ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ ଫାଇବ-ଟି ସଚିବ । ଏହାପରେ ସେ ଧରମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରିଥିଲେ । ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ ।

କର୍ଣ୍ଣାଟକ: ପ୍ରଥମ କ୍ୟାବିନେଟ ବୈଠକରେ ୫ ଗ୍ୟାରେଣ୍ଟିକୁ ମିଳିଲା ମଞ୍ଜୁରୀ, ରାହୁଲ କହିଲେ ଆମେ ଯାହା କହୁ ତାହା କରୁ

ବେଙ୍ଗାଲୁରୁ: କଥା ଦେଇ କଥା ରଖିଲା କଂଗ୍ରେସ । କର୍ଣ୍ଣାଟକରେ ସରକାର ଗଢ଼ିବା କ୍ଷଣି ନିଜର ୫ ଗ୍ୟାରେଣ୍ଟି ପୂରଣ କରିଛି କଂଗ୍ରେସ । ନିର୍ବାଚନ ସମୟରେ କଂଗ୍ରେସ ୫ଟି ଗ୍ୟାରେଣ୍ଟିକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ୱିଟ କରି କହିଛନ୍ତି ପ୍ରଥମ ମିଟିଙ୍ଗରେ ହିଁ ୫ଟି ଗ୍ୟାରେଣ୍ଟିକୁ ମଞ୍ଜୁରି ମିଳିଯାଇଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି, ଯାହା ଆମେ କହିଥାଉ ତାହା ପୂରା କରିଥାଉ ।

ପ୍ରଥମ ଦିନ, ପ୍ରଥମ କ୍ୟାବିନେଟ ମିଟିଂରେ କର୍ଣ୍ଣାଟକ ଜନତାଙ୍କୁ ଦେଇଥିବା ଆମର ଗ୍ୟାରେଣ୍ଟିକୁ ମଞ୍ଜୁରୀ ମିଳିଯାଇଛି । ଅନ୍ୟପକ୍ଷରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ କହିଛନ୍ତି ଯେ କଂଗ୍ରେସ ପାର୍ଟି ପାଞ୍ଚଟି ଦାବିକୁ ମଞ୍ଜୁରୀ ଦେଇଛି । ସେ କହିଛନ୍ତି ଆମେ ଯେଉଁ ପ୍ରତିଜ୍ଞା କରିଥିଲୁ ତାକୁ ପୂରା କରିଛୁ । ସୋନିଆ ଗାନ୍ଧି ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଁ କର୍ଣ୍ଣାଟକର ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛି ଯେଉଁମାନେ କଂଗ୍ରେସ ସପକ୍ଷରେ ଜନାଦେଶ ଦେଇଛନ୍ତି ।

ଏହି ଜନାଦେଶ ଦୁର୍ନୀତି ଏବଂ ବିଭାଜନର ରାଜନୀତି ବିରଧରେ ହୋଇଛି । କଂଗ୍ରେସ ସରକାର ନିଜର ପ୍ରତିଶ୍ରୁତିକୁ ପୂରଣ କରିବ । ପ୍ରକାଶଥାଉକି, ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି ଯେ ପାଞ୍ଚଟି ପ୍ରତିଜ୍ଞା ପୂରା କରିବା ପାଇଁ ଆମେ କ୍ୟାବିନେଟର ସହମତି ହାସଲ କରିଛୁ । ସିଦ୍ଧରମେୟା କହିଛନ୍ତି ଯେ ଆଗାମୀ କ୍ୟାବିନେଟରେ ସମ୍ପୂର୍ଣ୍ଣ ମସୁଧା ଆସିବ ।

ପ୍ରକାଶଯୋଗ୍ୟ, ସୋମବାର କର୍ଣ୍ଣାଟକ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଥିଲେ ସରକାର ଗଠନ ହେବାର ଗୋଟେ ଘଣ୍ଟା ପରେ ପ୍ରଥମ କ୍ୟାବିନେଟରେ ୫ ଗ୍ୟାରେଣ୍ଟିକୁ ପୂରା କରାଯିବ । ଯାହା କି ଆଜି କଥା ଅନୁଯାୟୀ ଗ୍ୟାରେଣ୍ଟି ପୂରଣ କରାଯାଇଛି ।

IPL2023: ଦିଲ୍ଲୀକୁ ହରାଇ ପ୍ଲେଅଫରେ ପ୍ରବେଶ କଲା ଚେନ୍ନାଇ ସୁପରକିଙ୍ଗସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୬୭ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି । ଏହି ବିଜୟ ସହ ଚେନ୍ନାଇ ସୁପରକିଙ୍ଗସ ଚଳିତ ସିଜିନର ପ୍ଲେଅଫ୍ ପାଇଁ କ୍ୱାଲିଫାଏ କରିଛି । ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ପରାଜିତ କରିଛି । ଏହି ବିଜୟ ପରେ ଚେନ୍ନାଇ ସୁପରକିଙ୍ଗସର ୧୭ ପଏଣ୍ଟ ହୋଇଯାଇଛି ଏବଂ ଦଳ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ଲିଗ୍ ସିଜିନ ସରିବା ପର୍ଯ୍ୟନ୍ତ ଦଳ ଏହି ସ୍ଥାନରେ ରହେ ତେବେ ଫାଇନାଲରେ ପହଞ୍ଚିବା ପାଇଁ ତାକୁ ଦୁଇଟି ଚାନ୍ସ ମିଳିବ ।

ଲକ୍ଷ୍ନୌକୁ ମଧ୍ୟ ୧୭ ପଏଣ୍ଟ ମିଳିପାରେ । ହେଲେ ଲକ୍ଷ୍ନୌକୁ ନେଟ୍ ରନ ରେଟ ହିସାବରେ ଚେନ୍ନାଇଠୁ ଆଗକୁ ଯିବାକୁ ହେଲେ ବଡ଼ ବ୍ୟବଧାନରେ କେକେଆରକୁ ହରାଇବାକୁ ହେବ । ଆଇପିଏଲ ୨୦୨୩ର ୬୮ତମ ମ୍ୟାଚ୍ କେକେଆର୍ ଏବଂ ଲକ୍ଷ୍ନୌ ମଧ୍ୟରେ ଖେଳାଯାଉଛି । ଲକ୍ଷ୍ନୌକୁ ଦ୍ୱିତୀୟ ସ୍ଥାନରେ ପହଞ୍ଚିବାକୁ ହେଲେ ୯୭ ରନରେ କେକେଆରକୁ ହରାଇବାକୁ ହେବ । ତେବେ ଆଜିର ମ୍ୟାଚର୍ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରୁଛି । ଦିଲ୍ଲୀ ବନାମ ସିଏସକେ ମ୍ୟାଚ୍ କଥା କହିବାକୁ ଗଲେ ଅଧିନାୟକ ଧୋନି ଆଜି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।

ଦଳ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା । ଡେଭୋନ କନୱେ ୮୭ ରନ୍ ଏବଂ ଋତୁରାଜ ଗାୟତକ୍ୱାଡ ୭୯ ରନ୍ କରିଥିଲେ । ୨୨୪ ରନର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ କରିନଥିଲେ । ୯ଟି ୱିକେଟ୍ ହରାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୬ ରନ୍ ହିଁ କରିପାରିଥିଲା । ମ୍ୟାଚଟିକୁ ଚେନ୍ନାଇ ୭୭ ରନରେ ଜିତିନେଇଛି । ଆଜି ଅଧିନାୟକ ଡେଭିଡ ୱାର୍ଣ୍ଣର ୮୬ରନର ବିସ୍ଫୋରକ ଇନିଂସ ଖେଳିଥିଲେ ହେଲେ ତାଙ୍କର ଏହି ଇନିଂସ ବ୍ୟର୍ଥ ଯାଇଥିଲା ।

ସୋମବାର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଚୂଡ଼ାନ୍ତ ହୋଇଛି । ଆସନ୍ତା ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ନେବେ ଶପଥ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ନବୀନଙ୍କ ନୂଆ ଟିମରେ କିଏ ନୂଆ ମୁହଁ ସ୍ଥାନ ପାଇବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ନିକଟରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଏହାଛଡ଼ା ନବ ଦାସଙ୍କ ପରଲୋକ ପରେ ସେ ମନ୍ତ୍ରୀ ପଦ ମଧ୍ୟ ଖାଲି ଅଛି । ତେବେ ତିନୋଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଜ ଟିମରେ ନେଉଛନ୍ତି ତାହା ଅସ୍ପଷ୍ଟ ଅଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ସୋମବାର ସକାଳେ ଏହି ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବ । ନବୀନ ନିବାସରୁ ମନ୍ତ୍ରୀ ହେବା ପାଇଁ କାହା ପାଖକୁ ଫୋନ୍ କଲ୍ ଯାଉଛି ତାହାକୁ ଏବେ ବିଜେଡିର ବିଧାୟକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ପରେ କିଛି ବିଭାଗରେ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିଭଳି ବିଧାନସଭାର ନୂଆ ବାଚସ୍ପତି ପଦ ପାଇଁ ନବୀନ କାହା ମୁଣ୍ଡରେ ସୁନା କଳଶ ଢ଼ାଳିବେ ତାହାକୁ ରାଜନୈତିକ ମହଲ ଅପେକ୍ଷା କରିଛି । ବର୍ତ୍ତମାନ ଖାଲିପଡ଼ିଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । ସେହିପରି ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି । ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି ।

ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ । ଦୁଇ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ଅତିରିକ୍ତ ଡିଜି ବା ଆଇ.ଜି ପାହ୍ୟାର ଅଧିକାରୀ ରହିବେ ଏବଂ ଅନ୍ୟ ଜଣେ ଡି.ଆଇ.ଜି ବା ଏସ୍‌.ପି ପାହ୍ୟାରେ ରହିବେ । ପୋଲିସ ବିଭାଗରେ ସିପାହୀଠାରୁ ଆରମ୍ଭ କରି ସବ୍‌ ଇନିସ୍‌ପେକ୍ଟର ତଥା ମିନିଷ୍ଟରିଆଲ ଷ୍ଟାଫ ନିଯୁକ୍ତି ଦାୟିତ୍ବ ଏହି ବୋର୍ଡ ସଂପାଦନ କରିବ । ଏହି ସ୍ଥାୟୀ ବୋର୍ଡ ଗଠନ ଦ୍ବାରା ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ ।

IPL 2023: ଦିଲ୍ଲୀ ଆଗରେ ୨୨୪ ରନର ଟାର୍ଗେଟ ରଖିଲା ଚେନ୍ନାଇ ସୁପର କିଙ୍ଗସ୍

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ମଧ୍ୟରେ ମ୍ୟାଚ୍ ଚାଲିଛି । ପ୍ରଥମେ ବ୍ୟାଟିଂ କରି ସିଏସକେ ଦଲ୍ଲୀ ସମ୍ମୁଖରେ ୨୨୪ ରନର ଲକ୍ଷ୍ୟ ରଖିଛି । ଋତୁରାଜ ଗାୟକ୍ୱାଡ ଏବଂ ଦେଭୋନ କନୱେଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ମାତ୍ର ୩ୱିକେଟ୍ ବିନିମୟରେ ୨୨୩ ରନର ବିରାଟ ସ୍କୋର କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଉଭୟ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳୁଛନ୍ତି ।

ଦିଲ୍ଲୀ ପ୍ଲେ ଅଫ ଦୌଡ଼ରୁ ଏଲିମିନେଟ୍ ହୋଇସାରିଛି । ଆଜି ସମ୍ମାନ ପାଇଁ ଖେଳୁଛି । ସେହିପରି ଚେନ୍ନାଇ ପ୍ଲେ ଅଫ୍ ଖେଳିବା ପାଇଁ ସ୍ଥିତି ଦୃଢ଼ କରିବାକୁ ଚାହୁଁଛି । ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଚେନ୍ନାଇ ଦଳରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ସେହିପରି ଦିଲ୍ଲୀ ଦୁଇଟି ପରବର୍ତ୍ତନ କରିଛି । ଲଲିତ ଯାଦବ ଏବଂ ଚେତନ ସକାରିୟାଙ୍କୁ ଆଜିର ମ୍ୟାଚରେ ଅବସର ଦିଆଯାଇଛି । ସିଏସକେ ପକ୍ଷରୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାୟକ୍ୱାଡ ଏବଂ ଦେଭୋନ କନୱେ କ୍ରୀଜକୁ ଓହ୍ଲାଇଥିଲେ ।

ଉଭୟ ପ୍ରଥମ ୱିକେଟ୍ ପାଇଁ ୧୪୧ ରନର ପାର୍ଟନରସିପ୍ କରିଥିଲେ । ଋତୁରାଜ ଗାୟକ୍ୱାଡ ୫୦ ଟି ବଲରେ ୭୯ ରନ୍ ସଂଗ୍ରହ କରିଥିଲେ । ସେହିପରି ଦେଭୋନ କନୱେ ୫୨ ଟି ବଲ୍ ଖେଳି ୮୭ ରନ୍ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଭମ ଦୁବେ ୯ ଟି ବଲରେ ୨୨ ରନ୍ କରିଥିଲେ । ଇନିଂସ ଶେଷ ବେଳକୁ ଅଧିନାୟକ ଧୋନୀ ୪ ଟି ବଲରେ ୫ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୭ଟି ବଲରେ ୨୦ ରନ୍ କରି ଅପରାଜିତ ରହିଥିଲେ । ଦିଲ୍ଲୀ ପକ୍ଷରୁ ଖଲୀଲ ଅହମ୍ମଦ, ନର୍ଟଜେ ଏବଂ ଚେତନ ସକାରିୟା ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।

ଡିସି ଏବଂ ସିଏସକେ ଦ୍ୱିତୀୟଥର ପାଇଁ ସାମ୍ନା ସାମ୍ନି ହୋଇଛନ୍ତି । ଏହା ପୂର୍ବରୁ ୧୦ ମଇରେ ଡିସିକୁ ୨୭ ରନରେ ପରାଜିତ କରିଥିଲା ସିଏସକେ । ଆଜି ଚେନ୍ନାଇ ଯଦି ବିଜୟୀ ହୁଏ ତେବେ ପ୍ଲେଅଫରେ ପହଞ୍ଚିଯିବ । ଯଦି ପରାଜିତ ହୁଏ ତେବେ ପଏଣ୍ଟ ଟେବୁଲରେ ସିଏସକେ ତଳକୁ ଥିବା ଟିମ ଗୁଡ଼ିକର ପରାଜୟ ପାଇଁ ଠାକୁରଙ୍କୁ ଡାକିବାକୁ ପଡ଼ିବ । ସିଏସକି ୧୩ ଟି ମ୍ୟାଚରୁ ୭ ବିଜୟ ସହ ୧୫ ଅଙ୍କ ସହ ଅଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୩ ଟି ମ୍ୟାଚରୁ ୫ ବିଜୟ ସହ ୧୦ ଅଙ୍କ ସହ ଅଙ୍କ ତାଲିକାର ନବମ ସ୍ଥାନରେ ରହିଛି ।

କୋରିଆନ୍ ପପ୍ ସଙ୍ଗୀତରେ ଓଡ଼ିଆ ଝିଅ, ମ୍ୟୁଜିକ ଭିଡ଼ିଓରେ ଓଡ଼ିଶା ସଂସ୍କୃତିର ଝଲକ…

ଭୁବନେଶ୍ୱର: କେ-ପପ୍ ଅର୍ଥାତ୍ କୋରିଆନ୍ ପପ୍ ସଙ୍ଗୀତକୁ ନେଇ ଏବେ ସାରା ବିଶ୍ୱରେ ଯୁବ ପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି । ଦେଶର ପ୍ରଥମ ଓଡ଼ିଆ ଝିଅ ଭାବେ ସାଉଥ୍ କୋରିଆର  କେ-ପପ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଓଡ଼ିଶାର ଶ୍ରେୟା। କେ-ପପ୍ ଗ୍ରୁପ ‘ବ୍ଲାକ ସ୍ୱାନ’ରେ ନିଜ ସ୍ଥାନ ବନାଇଥିଲେ ।

କେ-ପପ ଗ୍ରୁପକୁ ଏଯାବତ୍ ଭାରତରୁ ଦୁଇ ଜଣ ଝିଅଙ୍କୁ ଏଣ୍ଟ୍ରି ମିଳିଛି । ସେଥି ମଧ୍ୟରେ ବ୍ଲାକ ସ୍ୱାନ୍ ଗ୍ରୁପରେ ରହିଛନ୍ତି ଓଡିଶା ରାଉରକେଲାର ଜନ୍ମିତ ଶ୍ରେୟା ଲେଙ୍କା । ଅନ୍ୟ ଜଣେ ହେଉଛନ୍ତି କେରଳର ୨୦ ବର୍ଷିୟା ଆରିୟା, ସେ ଏବେ ସିନ୍ ଗ୍ରୁପରେ ଅଛନ୍ତି ।

ନୂଆ ଗ୍ରୁପ୍ ମେମ୍ବର ଓ ନୂଆ କ୍ରିଏଟିଭିଟି ସହ ବ୍ଲାକସ୍ୱାନ୍ ରିଲିଜ କରିଛି ଲାଟେଷ୍ଟ ମ୍ୟୁଜିକ ଆଲବମ୍ ‘କରମା’ । ଏହି ମ୍ୟୁଜିକ ଭିଡ଼ିଓରେ ସ୍ଥାନ ପାଇଛି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ।ଏହି ମ୍ୟୁଜିକ ଭିଡ଼ିଓଟିରେ ରାଜଧାନୀ ଭୁବନେଶ୍ୱରର ଓଲ୍ଡ ଟାଉନରେ ଥିବା ଅନେକ ମନ୍ଦିର, ଓଡ଼ିଶାର ସଂସ୍କୃତି ଓ ଧଉଳି ଶାନ୍ତିସ୍ତୁପର ସୌନ୍ଦର୍ଯ୍ୟମୟ ଝଲକ ରହିଛି। ଖାଲି ଏତିକି ନୁହେଁ ଏହି ଭିଡ଼ିଓରେ ଗ୍ରୁପର ସଦସ୍ୟ ମାନେ ପିନ୍ଧିଥିବା ପୋଷାକରେ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।

ପୂର୍ବରୁ ୨୦୨୩ରେ କଟକରେ ଆୟୋଜିତ ହକି ବିଶ୍ଵକପ ଉଦଘାଟନୀ ଉତ୍ସବରେ ଶ୍ରେୟା ଲେଙ୍କାଙ୍କ ସହ ତାଙ୍କ ଗ୍ରୁପ କେ-ପପ୍ ସଙ୍ଗୀତ ପରିବେଷଣ କରିଥିଲେ ।

 ଗତ ୨୦୨୦ ନଭେମ୍ବରରେ ବ୍ଲାକ ସ୍ୱାନ ଗ୍ରୁପ୍‌ ଛାଡିଥିଲେ ଜଣେ ସଦସ୍ୟ। ଏହାପରେ ଗ୍ରୁପ୍‌ ପ୍ରମୋଟର ଡିଆର୍‌ ମ୍ୟୁଜିକ୍‌ ମେ’ରେ ଉକ୍ତ ପଦ ପାଇଁ ବିଶ୍ୱସ୍ତରୀୟ ଅଡିଶନ୍‌ ଘୋଷଣା କରିଥିଲା। ଏଥିରେ ଦେଶ ବିଦେଶରୁ ୯୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଶେଷରେ ୧୮ ବର୍ଷୀୟା ଓଡ଼ିଆ ଝିଅ ଶ୍ରେୟା ଓ ୧୯ ବର୍ଷୀୟା ବ୍ରାଜିଲ ଝିଅ ଗାବ୍ରିଏଲାଙ୍କୁ ଚୟନ କରାଯାଇଥିଲା। ୟୁଟ୍ୟୁବ୍‌ ମାଧ୍ୟମରେ ଏହି ଅଡିଶନ ହୋଇଥିଲା। ତେବେ ଉକ୍ତ ମ୍ୟୁଜିକ୍‌ ଗ୍ରୁପ୍‌ ଏହି ୨ଜଣଙ୍କ ନାମକୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଘୋଷଣା କରିଥିଲା।

ବ୍ଲାକ୍‌ସ୍ୱାନ୍ ଗ୍ରୁପ୍ ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ଏହି ଗ୍ରୁପ୍ ୨୦୨୦ ରେ ଫୁଲ୍‌ ଆଲବମ୍ Goodbye Raniaରୁ ଡେବ୍ୟୁ କରିଥିଲା । ଏହାସହ ୨୦୨୧ରେ ପ୍ରଥମ ସିଙ୍ଗଲ୍ ଆଲ୍‌ବମ୍‌, Close to Me ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲା । ଏହି କେ-ପପ୍ ଗର୍ଲ ବ୍ୟାଣ୍ଡରେ ଏବେ ୪ ଜଣ ସଦସ୍ୟ ରହିଛନ୍ତି । ସେଥିରେ  ଫାଟୁ, ନାଭି, ଗାବି ଓ ଶ୍ରେୟା ରହିଛନ୍ତି ।

ହିରୋସିମାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ହିରୋସିମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କିଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଜାପାନର ହିରୋସିମାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱ ପାଇଁ ବହୁତ ବଡ଼ ପ୍ରସଙ୍ଗ ଅଟେ । ସାରା ବିଶ୍ୱ ଉପରେ ଏହାର ଅନେକ ପ୍ରକାରର ପ୍ରଭାବ ପଡ଼ୁଛି । ମୁଁ ଏହାକୁ ରାଜନୀତିର ପ୍ରସଙ୍ଗ ବୋଲି ଭାବୁନାହିଁ, ମୋ ପାଇଁ ଏହା ମାନବତାର ପ୍ରସଙ୍ଗ ଅଟେ ।

ଏହାର ସମାଧାନ ପାଇଁ ଭାରତ ଏବଂ ବ୍ୟକ୍ତିଗତ ଭାବେ ମୋ ଦ୍ୱାରା ଯାହା ବି କିଛି ହୋଇପାରିବ ତାହା ଅବଶ୍ୟ କରିବି । ସୂଚନାଥାଉକି, ଗତ ବର୍ଷ ଫେବ୍ରୁଆରୀରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଭେଚଟଘାଟ ଅଟେ । କୁହାଯାଉଛି ଯେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ଫଳପ୍ରଦ ସାବ୍ୟସ୍ତ ହେବ । ଯେହେତୁ ରୁଷ୍ ସହ ଭାରତର ଘନିଷ୍ଠ ସମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ଯୁଦ୍ଧ ସମାପ୍ତି ନେଇ ପୁଣିଥରେ ଅନୁରୋଧ କରିପାରନ୍ତି ।