spot_img
Home Blog Page 3054

ନ୍ୟାୟ ପାଇଁ ସୁପ୍ରିମକୋର୍ଟରେ ମଣିପୁର ପୀଡ଼ିତାଙ୍କ ଗୁହାରୀ, ଆଜି ଶୁଣାଣି

ଇମ୍ପାଲ: ମଣିପୁରରୁ ବର୍ବର ଭିଡିଓ ଭାଇରାଲ ପ୍ରସଙ୍ଗ । ନ୍ୟାୟ ପାଇଁ ସୁପ୍ରିମକୋର୍ଟରେ ପୀଡ଼ିତା ମହିଳାଙ୍କ ଗୁହାରୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ପିଟିସନ ଦାଏର କରିଛନ୍ତି ପୀଡ଼ିତା । ଆଜି ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ।

ମେ ୩ ତାରିଖରୁ ମଣିପୁରରେ ହିଂସା ସ୍ଥିତି ଉପୁଜିଥିବା ବେଳେ ୪ ତାରିଖରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଥିଲା । ପରେ ୨୧ ବର୍ଷିୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ରାଜ୍ୟ ସରକାର ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ବି ୬୦ ଦିନ ପରେ ମହିଳାଙ୍କୁ ପରେଡ କରାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ପୀଡ଼ିତା ନିଜ ପରିଚୟର ସୁରକ୍ଷା ପାଇଁ ଦାବି କରିବା ସହ ତୁରନ୍ତ ଏହା ଉପରେ ଶୁଣାଣି ପାଇଁ ଦାବି କରିଥିଲେ । ଆଜି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ ।

ଓଡିଶାରେ ଇଣ୍ଟରନେଟ ସେବା ପ୍ରଭାବିତ ହେବାର କାରଣ ଦର୍ଶାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଓଡିଶାରେ ଇଣ୍ଟରନେଟ ସେବା ପ୍ରଭାବିତ ହେବାର କାରଣ ଦର୍ଶାଇଲେ କେନ୍ଦ୍ର ସରକାର। ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଆର ଚନ୍ଦ୍ରଶେଖର କହିଛନ୍ତି ରାଜ୍ୟର ଭୌଗୋଳିକ ସ୍ଥିତି ପାଇଁ ଇଣ୍ଟରନେଟ ସେବା ପ୍ରଭାବିତ ହେଉଛି। ବର୍ତ୍ତମାନ ସୁଦ୍ଧା ୪୫ ହଜାର୯୮୯ ଗାଁରେ ଭଏସ କଭରେଜ ଓ ୪୪, ୩୮୪ ଗାଁରେ ୪ଜି ସେବା ଉପଲବ୍ଧ ଅଛି ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି।

ଆର୍ଥିକ ଅନଗ୍ରସର ଲୋକ କିଭଳି ଇଣ୍ଟରନେଟର ସୁବିଧା ନେଇପାରିବେ ସେନେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମୁଖ୍ୟତଃ ଏଲଡବ୍ଯୁଇ(LWE-2) ପରିଯୋଜନାରେ ୧୬୨ଟି ଟାୱାର ସ୍ଥାପିତ କରାଯାଇଥିବା ବେଳେ ଆକାଂକ୍ଷା ଜିଲ୍ଲା କଭରେଜ ପରିଯୋଜନାରେ ୧୪୯ ଟି ଟାୱାର ସ୍ଥାପନା କରାଯାଇଛି।

ସେହିଭଳି BSNL ଦ୍ବାରା ୨ଜି ନେଟର୍ୱକକୁ ୪ଜିରେ ପରିବର୍ତ୍ତନ କରାଯିବା ସହ ଏଲଡବ୍ଯୁଇ-୧ ପରିଯୋଜନାରେ ମଧ୍ୟ ସମାନ କାମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ସମୟରେ ରାଜ୍ୟରେ ଟେୱିଡେନସିଟି ବଢାଇବାକୁ ଦାବି କରି ଆସିଛନ୍ତି ।

ରାୟଗଡାରେ ଅଘଟଣ, ଗାଧୋଉ ଥିବାବେଳେ ମୁଣ୍ଡ ଉପରେ ଖସିପଡିଲା ପୋଲ

ରାୟଗଡା: ନିର୍ମାଣାଧୀନ ପୋଲ ଭୁଶୁଡ଼ି ୫ ମୃତ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଉପରସଜା ଗାଁରେ ଏହି ଅଘଟଣ ଘଟିଛି । ନାଳରେ ଗାଧୋଇବା ବେଳେ ଭୁଶୁଡ଼ି ପଡ଼ିଥିଲା ନିର୍ମାଣାଧୀନ ପୋଲ ।

ନାଳ ଉପରେ ପୋଲଟି ତିଆରି ହେଉଥିଲା । ଲଗାଣ ବର୍ଷା କାରଣରୁ ନିର୍ମାଣାଧୀନ ପୋଲଟି ଅଚାନକ ଭୁଶୁଡି ପଡିଥିବା ଅନୁମାନ କରାଯାଉଛି  । ଏଥିଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ଶିଶୁଙ୍କ ସମେତ ୫ ଜଣ ଜୀବନ ହରାଇଛନ୍ତି । ମୃତକମାନେ ହେଲେ ୩୨ ବର୍ଷୀୟ ଲାଛିନ୍ଦ୍ରନ ମିଣିଆକା, ପୁଅ ପିନିୟନ୍ସ ମିଣିଆକା, ୭ ବର୍ଷୀୟ ମନୋଜ କୁଲିସିରା, ୫ ବର୍ଷୀୟ ଚୁମାନ ମିଣିଆକା ଓ ୯ ବର୍ଷର ତାରା ମିଣିଆକା ।

ହିତାଧିକାରୀଙ୍କ ଟିପ ଚିହ୍ନରେ ଟଙ୍କା ଉଠାଇ ଗ୍ରାହକ ସେବା କେନ୍ଦ୍ର ମାଲିକ ଫେରାର

ଭବାନୀପାଟଣା: ଗ୍ରାହକ ସେବା କେନ୍ଦ୍ରରେ ଠକେଇ  । ହିତାଧିକାରୀଙ୍କ ଟିପ ଚିହ୍ନ ନେଇ ଟଙ୍କା ଉଠେଇ ମାଲିକ ଫେରାର । କଳାହାଣ୍ଡି ଜିଲ୍ଲା ଆମ୍ବପାଣିର ଘଟଣା  । ଆମ୍ବପାଣିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଖୋଲି ଥିବା ମାଲିକ ଜଗଦୀଶ ଚନ୍ଦ୍ର ସିଂ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ହିତାଧିକାରୀ, ମନରେଗା ଶ୍ରମିକ, ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କ ଟଙ୍କା ଉଠେଇ କୁଆଡେ ଫେରାର ହୋଇଯାଇଛନ୍ତି  ।

ପାଖାପାଖି 50ରୁ ଉର୍ଦ୍ଧ୍ବ ଲୋକଙ୍କ ଟଙ୍କା ଠକି ନେଇ ଗ୍ରାହକ ସେବା କେନ୍ଦ୍ରରେ ତାଲା ପକେଇ ଫେରାର ହୋଇ ଯାଇଥିବା ଆମ୍ବ ପାଣି ଥାନାରେ ଅଭିଯୋଗ ହୋଇଛି  । ଏନେଇ ଥାନା ଅଧିକାରୀକୁ ପଚାରି ଵାରୁ ତଦନ୍ତ ପରେ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି  ।

ବାଛୁରୀକୁ ଗୁହାଳରୁ ଟାଣି ଆଣିଲା ବାଘ, ଗତ ଏକ ସପ୍ତାହ ହେବ ଗାଁରେ ଆତଙ୍କ

ନୂଆପଡ଼ା: ଜିଲ୍ଲାରେ ପୁଣି ବାଘ ଆତଙ୍କ ।  ବାଛୁରୀକୁ ଗୁହାଳରୁ ଟାଣି ଆଣିଲା ବାଘ । ନୂଆପଡ଼ା ରେଞ୍ଜ ଅଧିନ ଆମାନାରା ପଂଚାୟତ ମୁଷରଙ୍ଗୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଘଟଣା । ତରିଆମହୁଆଭଟା ଗାଁରେ ପୁଣି ବାଘ ଏକ ବାଛୁରୀକୁ ମାରି ଖାଇଛି । ହୁମନ ନାଏକ ନିଜ ଗାଈ ଓ ବାଛୁରୀକୁ ଗୁହାଲରେ ବାନ୍ଧି ରଖିଥିଲେ । ଆଜି ସକାଳୁ ବାଛୁରୀ ଗୁହାଳରେ ନଥିଲା ।

ପରିବାର ଲୋକେ ଖୋଜା ଖୋଜି କରିବାରୁ ଘର ବାଡ଼ି ପଟେ ବାଛୁରୀର ମୃତଦେହ ପଡିଥିଲା । ଘଟଣାସ୍ଥଳରେ ବାଘର ପଦଚିହ୍ନ ଠାବ କରିବା ସହ ପରିପାଶ୍ବିକ ସ୍ଥିତିରୁ ବାଛୁରୀକୁ କଲରାପତରିଆ ବାଘ ଶିକାର କରିଥିବା ଲୋକେ ଅନୁମାନ କରିଛନ୍ତି । ଗାଁରେ ୫ ମାସ ହେବ ବାଘ ଆତଙ୍କ ଜାରି ରହିଛି । ଗତ ଏକ ସପ୍ତାହ ହେବ ଗାଁରେ ପୁଣି ବାଘ ଉପସ୍ଥିତି ଲୋକେ ବାଛୁରୀ ଶିକାର ପରେ ଅନୁମାନ କରୁଛନ୍ତି ।

ଏବେ ଗାଁ ଲୋକେ ବାଘ ଭୟରେ ରହୁଛନ୍ତି । ଏବେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନରେ ଗୁଳିମାଡ଼, ASIଙ୍କ ସମେତ ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି । ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନରେ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଆରପିଏଫର ଏଏସଆଇ ଥିବା ବେଳେ, ଅନ୍ୟ ୩ ଜଣ ଯାତ୍ରୀ ଅଛନ୍ତି ।

ଜୟପୁର-ମୁମ୍ବାଇ ଟ୍ରେନ ଗୁଜରାଟରୁ ମୁମ୍ବାଇ ଆସୁଥିଲା । ଟ୍ରେନ୍ ପାଲଘର ଷ୍ଟ୍ରେସନ ଅତିକ୍ରମ‌ କରିବା ପରେ ହଠାତ୍ ଆରପିଏଫର କନଷ୍ଟେବଳ ଚେତନ ଗୁଳି ଚଳାଇଥିଲେ । ପରେ ଦହିସର ଷ୍ଟେସନରେ ଟ୍ରେନରୁ ଡେଇଁ ପଡ଼ିଥିଲେ । ସମ୍ପୃକ୍ତ କନଷ୍ଟେବଳଙ୍କ ଠାରୁ ବନ୍ଧୁକ ଜବତ କରିବା ସହ ଅଟକ ରଖି ପଚରାଉଚରା କରୁଛି ଜିଆରପି । ଗୁଳିମାଡର  କାରଣ ଅସ୍ପଷ୍ଟ ଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରି ପୋଲିସ ତଦନ୍ତ ଜାରି ରଖିଛି ।

ଆଜି ଠାରୁ ବର୍ଷାର ପରିମାଣ ବଢିବ, ୪୫ ରୁ ୫୫ କିମି ବେଗରେ ବହିବ ପବନ

ଭୁବନେଶ୍ବର: ଉତ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ସମାନ ଅଞ୍ଚଳରେ କେନ୍ଦ୍ରୀଭୁତ ହୋଇଛି । ଏହାସହ ନିଜର ସ୍ବାଭାବିକ ଅବସ୍ଥାକୁ ଫେରିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ପ୍ରଭାବ ପଡିବ ।

ଆଜିଠାରୁ ବର୍ଷାର ବିସ୍ତୃତି ଏବଂ ପରିମାଣ ଆହୁରି ବୃଦ୍ଧି ହେବ । ଆଜି ପୁରୀ, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ ଏବଂ ସମ୍ବଲପୁରରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଏବଂ କନ୍ଧମାଳରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧ ଏବଂ ୨ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବର୍ଷା ସମୟରେ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ଦୁଇ ଦିନ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରେ ଆକସ୍ମିକ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଦୃଶ୍ୟମାନ କ୍ଷମତା କମିବା ସହ ଟ୍ରାଫିକ୍ ସମସ୍ୟା ଉପୁଜି ପାରେ । ସହରିଆ ଅଞ୍ଚଳରେ କୃତ୍ରିମ ବନ୍ୟାର ପରିସ୍ଥିତି ଦେଖାଦେଇପାରେ । ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସହ କଚ୍ଚା ରାସ୍ତା ପ୍ରଭାବିତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

ଆଜି ସରଗରମ ହେବ ମୌସୁମୀ ଅଧିବେଶନ, ସପ୍ତାହେ ହେଲା ଚାଲିପାରୁନଥିଲା ସଂସଦ

ନୂଆଦିଲ୍ଲୀ: ଆଜି ବି ସରଗରମ ହେବ ସଂସଦର ମୌସୁମୀ ଅଧିବେଶନ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିବେ ବିରୋଧୀ । ଗତ ସପ୍ତାହେ ହେଲା ମଣିପୁର ପ୍ରସଙ୍ଗରେ ସଂସଦ ଚାଲିପାରୁନଥିବା ବେଳେ ଆଜି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଏପଟେ ଇଣ୍ଡିଆ ମେଣ୍ଟର ୨୧ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।

ଗ୍ରାଉଣ୍ଡ ଜିରୋରେ କିଭଳି ସ୍ଥିତି ରହିଛି ତାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତ ବିରୋଧୀ । ମଣିପୁରରେ ଲୋକଙ୍କ ମନରେ ଭୟ, ଅନିଶ୍ଚିତତା ଭରି ରହିଛି । ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଚାଷ ଠପ୍ ପଡିଥିବା ବେଳେ ପିଲାଙ୍କ ସ୍କୁଲ ବନ୍ଦ ରହିଛି । ରିଲିଫ କ୍ୟାମ୍ପରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ସାମୁହିକ, ବ୍ୟକ୍ତିଗତ ପୀଡ଼ାରେ ହଜାର ହଜାର ଲୋକ ଅଛନ୍ତି । ମଣିପୁରରୁ ଦିଲ୍ଲୀ ଫେରି ଦୁର୍ଦ୍ଦଶା ବଖାଣିଛନ୍ତି ବିରୋଧୀ ଡେଲିଗେସନ ।

ସରକାରଙ୍କ ଅଣଦେଖା ଯୋଗୁଁ ଜଳୁଛି ମଣିପୁର । ମଣିପୁର ଦୁର୍ଦ୍ଦଶା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ରାଜ୍ୟକୁ ବିଭାଜିତ କରିଦେଇଛି । ଘର ଦ୍ବାର ଛାଡ଼ି ୬୦ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ରିଲିଫ କ୍ୟାମ୍ପରେ ସର୍ବନିମ୍ନ ମୌଳିକ ସୁବିଧା ବି ନାହିଁ । ହିଂସା ପ୍ରଭାବିତ କ୍ୟାମ୍ପରୁ ଘରକୁ ଫେରିବାକୁ ଚାହୁଁଥିଲେ ବି ତାହା ଅସମ୍ଭବ ହୋଇପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଣିପୁର ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଇଣ୍ଡିଆ ସାଂସଦ କହିଛନ୍ତି । ରାଜ୍ୟରେ ତୁରନ୍ତ ଶାନ୍ତି ପ୍ରତିଷ୍ଠା ସହ ହିଂସା ପୀଡ଼ିତଙ୍କୁ ନ୍ୟାୟ ପାଇଁ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିରୋଧୀ ଟିମ୍ । ମଣିପୁର ସଂଘର୍ଷର ସମାଧାନ ନହେଲେ ସାରାଦେଶର ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି କରିବ ।

ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ

ନୂଆଦିଲ୍ଲୀ: ଆଜି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ । ବର୍ତ୍ତମାନ ସୁଦ୍ଧା ୬ କୋଟିରୁ ଉର୍ଦ୍ଧ୍ ଲୋକ ଆୟକର ଦାଖଲ କରିଥିଲେ ସୁଦ୍ଧା ଏବେ ବି ଅନେକ ବ୍ୟକ୍ତି ITR ଫାଇଲ କରିନାହାନ୍ତି । ତେଣୁ ଯଦି ଆପଣ ଆୟକର ଦାଖଲ କରିନାହାନ୍ତି ତେବେ ତୁରନ୍ତ କରିନିଅନ୍ତୁ ।

କାରଣ ଡେଡଲାଇନ ବୃଦ୍ଧି କରିବା ନେଇ ସରକାର ଏ ଯାଏଁ କୌଣସି ଘୋଷଣା କରିନଥିବା ବେଳେ ଡେଡଲାଇନ୍ ବୃଦ୍ଧି କରିବା ମୁଡ୍‌ରେ ନାହାନ୍ତି ସରକାର । ଆଜି ଯଦି ITR ଫାଇଲ କରୁନାହାନ୍ତି, ତାହେଲେ ଆପଣଙ୍କ ଆସନ୍ତାକାଲିଠୁ ଫାଇନ ଲାଗିପାରେ । ଏଥର ନୂଆ ଟ୍ୟାକ୍ସ ସିଷ୍ଟମ ଅନୁସାରେ ଲୋକେ ITR ଫାଇଲ କରୁଛନ୍ତି ।

ଅନଲାଇନରେ ଆଇଟିଆର ଫାଇଲ କରିବା ନେଇ ଏଥର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

ବାପାଙ୍କୁ ଘରକୁ ଆଣିବାକୁ ଯାଇଥିଲା ପୁଅ, ଫେରିଲେନି ବାପା ପୁଅ

ନିଆଳି: ବଜ୍ରପାତରେ ବାପା, ପୁଅ ମୃତ। କଟକ ଜିଲ୍ଲା ନିଆଳି ବ୍ଲକ ସୁନିଦା ନିକଟରେ ଘଟିଛି ଏହି ଅଘଟଣ । ମୃତକ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମଠକୂଳ ଗାଁର ରାଜକିଶୋର କାଣ୍ଡି ଓ ପୁଅ-ଆଶୁତୋଷ କାଣ୍ଡି । ଉଭୟ ଏକ ବାଇକରେ କାକଟପୁରରୁ ଗାଁକୁ ଫେରୁଥିବା ବେଳେ ଅଘଟଣ ଘଟିଛି ।

ବାପାକୁ ଆଣିବାକୁ ଆଶୁତୋଷ ଯାଇଥିବା ବେଳେ ବଜ୍ରପାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି ।