ମଝି ଆକାଶରେ ଶିଶୁର ବନ୍ଦ ହୋଇଗଲା ଶ୍ବାସକ୍ରିୟା, ଏମିତି ଜୀବନ ବଞ୍ଚାଇଲେ ବିମାନରେ ଥିବା ଏମ୍ସର ୫ ଡାକ୍ତର

1 min read

ନୂଆଦିଲ୍ଲୀ: ମଝି ଆକାଶରେ ୨ ବର୍ଷର ଶିଶୁର ବନ୍ଦ ହୋଇଗଲା ଶ୍ବାସକ୍ରିୟା । ସମସ୍ତଙ୍କ ହଜିଗଲା ବୁଦ୍ଧି । ହେଲେ ଡାକ୍ତରଙ୍କ ଉଦ୍ୟମକ୍ରମେ ଶିଶୁଟି ବଞ୍ଚିଯିବା ଘଟଣା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଶିଶୁଟିର ଶ୍ବାସକ୍ରିୟା ବନ୍ଦ ହୋଇଯିବା ପରେ ବିମାନରେ ଯାଉଥିବା ଡାକ୍ତର ଟିମଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁ ଶିଶୁଟି ଦେଖିପାରିଛି ଆଲୋକ । ଘଟଣାଟି ଥିଲା ଏହିପରି । ଗତକାଲି UK-814 ଭିସ୍ତାରା ବିମାନରେ ବେଙ୍ଗାଳୁରୁରୁ ଦିଲ୍ଲୀ ଯାଉଥିଲେ ଏକ ପରିବାର । ସେହି ବିମାନରେ ବି ଥିଲେ ଏମସର ୫ ଜଣ ଡାକ୍ତର ।

ସେହି ଡାକ୍ତରମାନେ ଏକ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରୁଥିଲେ । ତେବେ ମଝିଆକାଶରେ ହଠାତ୍ ଦୁଇ ବର୍ଷ ବୟସ୍କ ଶିଶୁର ଶ୍ବାସକ୍ରିୟା ବନ୍ଦ ହୋଇଯାଇଥିଲା । ସଂଗେସଂଗେ ବିମାନକୁ ନାଗପୁର ଆଡକୁ ଦିଗପରିବର୍ତ୍ତନ କରାଯାଇଥିଲା । ଡାକ୍ତର ଏହି ବିଷୟରେ ସୂଚନା ପାଇବା ପରେ ସେମାନେ ଦେଖିଲେ ପିଲାଟିର ଶରୀର ଥଣ୍ଡା ହୋଇଯିବା ସହ ତାହାର ନାଡି ସ୍ଥିର ହୋଇଯାଇଥିଲା ।

ଡାକ୍ତରମାନେ ପିଲାଟିକୁ ପରୀକ୍ଷା କରିବା ପରେ ଆଇଭି କାନୁଲା ଏବଂ ଅରୋଫାରିଞ୍ଜିଆଲା ଏୟାର ଓ୍ବେ ବ୍ୟବସ୍ଥା କରାଯାଇଥିଲା । ଏହି କ୍ଷେତ୍ରରେ ଏକ ଏଇଡି ବି ବ୍ୟବହୃତ ହୋଇଥିଲା । ପ୍ରାୟ ୪୫ ମିନଟର ଉଦ୍ୟମ ଜାରି ରହିଥିବାବେଳେ ବିମାନଟି ନାଗପୁର ଆସିଥିଲା । ସେଠାରେ ଉପସ୍ଥିତ ଥିବା ଶିଶୁ ବିଭାଗ ଡାକ୍ତରମାନେ ତୁରନ୍ତ ଶିଶୁର ଚିକିତ୍ସା ଆରମ୍ଭ କରିଥିଲେ । ଶେଷରେ ଡାକ୍ତରଙ୍କ ଉଦ୍ୟମ ବ୍ୟର୍ଥ ଯାଇନଥିଲା ଏବଂ ଶିଶୁଟି ବଞ୍ଚିଯାଇଥିଲା ।