ଯାନ୍ତ୍ରିକ ତ୍ରୁଟି କାରଣରୁ ବ୍ରିଟେନର ଏୟାରସ୍ପେଶ୍ ବନ୍ଦ, ଠପ୍ ହେଲା ବିମାନ ସେବା

1 min read

ଲଣ୍ଡନ: ଯାନ୍ତ୍ରିକ ତ୍ରୁଟି କାରଣରୁ ସମ୍ପୂର୍ଣ୍ଣ ବ୍ରିଟେନରେ ଅଚାନକ ବିମାନ ଯାତ୍ରା ଠପ୍ ହୋଇଯାଇଛି । ଏହି କାରଣରୁ ନା କୌଣସି ବିମାନ ଲ୍ୟାଣ୍ଡ କରିପାରୁଛନ୍ତି ଏବଂ ନା ହିଁ ଉଡ଼ାଣ ଭରିପାରୁଛନ୍ତି । ଏକ ଏୟାରଲାଇନ୍ କହିଛି ଯେ ବଡ଼ଧରଣର ନେଟୱର୍କ ଫେଲୁୟର ହୋଇଛି । ବ୍ରିଟିଶ ବିମାନ ବନ୍ଦର ବାହାରେ ଅପେକ୍ଷାରତ ଯାତ୍ରୀଙ୍କୁ କୁହାଯାଇଛି ଯେ ଏୟାର ଟ୍ରାଫିକ କଣ୍ଟ୍ରୋଲ ନେଟୱର୍କ ଡାଉନ ଅଛି ଏବଂ ସେମାନଙ୍କ ବିମାନ ବିଳମ୍ବରେ ଉଡ଼ାଣ ଭରିବ । ନ୍ୟାସନାଲ ଏୟାର ଟ୍ରାଫିକ କଣ୍ଟ୍ରୋଲର, ନେଟ୍ସ କହିଛି ଯେ ବର୍ତ୍ତମାନ ଆମେ ଯାନ୍ତ୍ରିକ ତ୍ରୁଟିର ସାମ୍ନା କରୁଛୁ ।

ସୁରକ୍ଷା ଦୃଷ୍ଟିରୁ ଆମେ ଟ୍ରାଫିକ ଫ୍ଲୋ ଉପରେ ପ୍ରତିବନ୍ଧକ ଲଗାଇଛୁ । ସମସ୍ୟାକୁ ଦୂର କରିବା ପଇଁ ଅଧିକାରୀ କାର୍ଯ୍ୟରେ ଲାଗିଛନ୍ତି । ଏହି କାରଣରୁ ଅସୁବିଧା ପାଇଁ ଯାତ୍ରୀଙ୍କୁ କ୍ଷମା ମଗାଯାଇଛି । ସ୍କଟିଶ ଏୟାରଲାଇନ ଲୋଗନିୟର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି ଯେ ଆଜି ସକାଳେ ୟୁକେ ଏୟାର ଟ୍ରାଫିକ କଣ୍ଟ୍ରୋଲ କମ୍ପୁଟର ସିଷ୍ଟମର ନେଟୱର୍କରେ ବଡଧରଣର ତ୍ରୁଟି ହୋଇଛି । ଆମେ ସ୍ଥାନୀୟ କୋଅର୍ଡିନେଶନ ଆଧାରରେ ଏବଂ ନ୍ୟୁନତମ ବ୍ୟବଧାନ ସହ ଅଧିକାଂଶ ଇଣ୍ଟ୍ରା-ସ୍କଟଲ୍ୟାଣ୍ଡ ଉଡ଼ାଣକୁ ସଞ୍ଚାଳିତ କରିବାରେ ସକ୍ଷମ ହେବା ନେଇ ଆଶା କରୁଛୁ ।

ଏହା ମୁତାବକ ଉତ୍ତର-ଦକ୍ଷିଣ ଏବଂ ଅନ୍ତର୍ଜାତୀୟ ଉଡ଼ାଣରେ ବିଳମ୍ବ ହୋଇପାରେ । ସୂଚନାରେ ଯାତ୍ରୀମାନଙ୍କୁ ଆଗକୁ କୁହାଯାଇଛି ଯେ ଯଦି ଆଜି ଆପଣଙ୍କ ବିମାନ ଅଛି ତେବେ ବିମାନ ବନ୍ଦର ଆସିବା ପୂର୍ବରୁ ଆମ ୱେବସାଇଟରେ ଲାଟେଷ୍ଟ ସୂଚନା ଦେଖିନିଅନ୍ତୁ । ଜଣେ ଯାତ୍ରୀ କହିଛନ୍ତି ଯେ ସେ ବୁଡାପେଷ୍ଟ ବିମାନବନ୍ଦରର ରନୱେରେ ଏକ ବିମାନରେ ଥିଲେ, କିନ୍ତୁ ଆମକୁ ଏବେ କୁହାଯାଇଛି ଯେ ୟୁକେର ଏୟାରସ୍ପେଶ ବନ୍ଦ ଅଛି, ଏଠାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ।