spot_img
Home Blog Page 3055

ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ, ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ

ବାହାନଗା: କରମଣ୍ଡଳ ଟ୍ରାଜେଡି । ଭଙ୍ଗାଯାଉଛି ବାହାନଗା ହାଇସ୍କୁଲ । ଶବ ରଖାଯାଇଥିବା ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଭଙ୍ଗା କାର୍ଯ୍ଯରେ ୨ ଜେସିବି ନିୟୋଜିତ । ତହସିଲଦାର ଓ ପୋଲିସ ଉପସ୍ଥିତିରେ ଭଙ୍ଗାଯାଉଛି ଘର । ଗତ ୨ ତାରିଖରେ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହେବା ପରେ କୁଢ଼ କୁଢ଼ ମୃତଦେହକୁ ବୋହି ନେଇ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ତେଣୁ ସ୍କୁଲ ଘର ଭିତରେ ଶବ ରହିଥିବାରୁ ସ୍କୁଲ ଆସିବାକୁ ଡରୁଥିଲେ ଛାତ୍ରଛାତ୍ରୀ । ଏନେଇ ବିଦ୍ୟାଳୟ କମିଟି ପକ୍ଷରୁ ବିଦ୍ୟାଳୟ ଭଙ୍ଗାଯିବା ପାଇଁ ଦାବି ହୋଇଥିଲା । ଗତକାଲି ଜିଲ୍ଲାପାଳ ପହଞ୍ଚି ସ୍କୁଲ କମିଟି ସହ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ ।

ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍, ବନମାଳିପୁରରେ ଠାବ

ବାଲିପାଟଣା: ଲଙ୍କା ଟ୍ରକ୍ ଲୁଟ୍ । ମଧ୍ୟପ୍ରଦେଶରୁ ୧୨ ଲକ୍ଷ ଟଙ୍କାର ଲଙ୍କା ଲୁଟ୍ । ବାଲିପାଟଣା ଥାନା ବନମାଳିପୁରରେ ଠାବ । ଲଙ୍କା ବେପାରୀ ଏବଂ ମଧ୍ୟପ୍ରଦେଶ ପୋଲିସ୍ ବନମାଳିପୁରରେ ପହଁଞ୍ଚି ଚୋରୀ ହୋଇଥିବା ଲଙ୍କା ବସ୍ତାକୁ ଠାବ କରିଛନ୍ତି । ଘଟଣାରେ ସଂପୃକ୍ତ ଟ୍ରକ୍ ଡ୍ରାଇଭର ଏବଂ ଲଙ୍କା କିଣିଥିବା ବ୍ୟକ୍ତିଙ୍କର ପତ୍ତା ମିଳିପାରିନାହଁ । ମଧ୍ଯପ୍ରଦେଶର ବିଡିଆନ୍ ଅଂଚଳର ଜଣେ ଲଙ୍କା ବ୍ୟବସାୟୀ ଉତ୍ତର ପ୍ରଦେଶର ଜଣେ ବ୍ୟବସାୟୀଙ୍କ ନିକଟକୁ ଏକ ଲଙ୍କା ଟ୍ରକ୍‌ ପଠାଇଥିଲେ । ମାତ୍ର ଲଙ୍କା ଟ୍ରକଟି ନିର୍ଦ୍ଧାରିତ ସ୍ଥାନରେ ପହଁଞ୍ଚି ନଥିଲା ।

ଟ୍ରକରେ ଲଗା ଯାଇଥିବା ଜିପିଏସ୍ ଦ୍ଵାରା ଲଙ୍କା ଟ୍ରକ୍ ବାଲିପାଟଣା ଥାନା ବନମାଳିପୁର ବଜାରରେ ପହଁଞ୍ଚିଥିବା ଜଣାପଡ଼ିଥିଲା । ଡ୍ରାଇଭର କଲ ରେକର୍ଡରୁ ଡ୍ରାଇଭର ବନମାଳିପୁରର ଦିୱାନ ପାଟଣାଗ୍ରାମର ପ୍ରଶାନ୍ତ ସାହୁ ସହ ବାରମ୍ବାର ଯୋଗାଯୋଗରେ ଥିଲା । ଆଜି ସଂଧ୍ୟାରେ ପ୍ରଶାନ୍ତ ଗୋଦାମ ନିକଟରେ ଲଙ୍କା ବ୍ୟବସାୟୀ ଏବଂ ମଧ୍ୟ ପ୍ରଦେଶ ପୋଲିସ୍ ପହଁଞ୍ଚିବା ପରେ ସମସ୍ତ ଲୁଟ୍ ଲଙ୍କା ପ୍ରଶାନ୍ତ ଗୋଦାମରେ ରହିଥିବା ଜାଣିବାକୁ ପାଇଥିଲେ । ଏନେଇ ସଂପୃକ୍ତ ଲଙ୍କା ବେପାରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରଶାନ୍ତ ଜଣେ ପେଷାଦାର ଠକ ବୋଲି ଜଣାପଡ଼ିଛି । ତାଙ୍କ ନାମରେ ପୂର୍ବରୁ ଅନେକ ମାମଲା ମଧ୍ୟ ରହିଛି ।

ବାବା ବେଶରେ ଆସିଲେ, ଶହ ଶହ ବର୍ଷ ତଳର ରାଧାକୃଷ୍ଣ ମୂର୍ତ୍ତିକୁ ଚୋରି କରିନେଲେ

ପାଟକୁରା: ବାବା ବେଶରେ ଆସିଥିଲେ । ଶ୍ଳୋକ ମନ୍ତ୍ର ପଢ଼ି ପୂଜକଙ୍କୁ ଭୂତାଇଥିଲେ । କୌଶଳ କ୍ରମେ ଠାକୁରଙ୍କ ଶହ ଶହ ବର୍ଷ ତଳର ରାଧା କୃଷ୍ଣ ମୂର୍ତ୍ତିକୁ ଚୋରି କରି ନେଇ ଚମ୍ପଟ ମାରୁଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଛେଚା ଖାଇ ପୋଲିସଙ୍କ ଦ୍ୱାରା  ଗିରଫ ହେଲେ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଗଦାଧର ପୀଠରେ ଦେଖବାକୁ ମିଳିଛି ଏହି ଘଟଣା । ପ୍ରସିଦ୍ଧ ଗଦାଧର ପୀଠରୁ ବାବା ଭେଷରେ ଆସି ଦୁଇ ଜଣ ଯୁବକ ଆଜି ପ୍ରଥମେ ପୀଠ ଭିତରେ ଥିବା ରାଧା କୃଷ୍ଣ ମନ୍ଦିରରେ ମନ୍ତ୍ର ଶ୍ଳୋକ ଆଦି ପାଠ କରିଥିଲେ । ସ୍ଥାନୀୟ ପୂଜକ ତାଙ୍କୁ ସାଧୁ ସଂଥ ବୋଲି ଭାବିଥିଲେ । କିନ୍ତୁ ସ୍ଥାନୀୟ ପୂଜକ ନୀତି କରିବାକୁ ରୋଷ ଘରକୁ ଯାଇଥିବା ବେଳେ ଯୁବକ ଦୁଇଜଣ ରାଧା କୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି ଉଠାଇ ଖସିଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅଭିଯୁକ୍ତଙ୍କୁ ଦେଖି ପୂଜକ ଲୋକଙ୍କୁ ଡାକ ପକାଇଥିଲେ । ସ୍ଥାନୀୟ ଲୋକ ଦୁଇ ଚୋରଙ୍କୁ କାବୁ କରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ ।

ଆଜିଠୁ ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ, ସନ୍ଧ୍ୟାରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ମ୍ୟାଚ୍

ଭୁବନେଶ୍ୱର: ଆଜିଠୁ କମ୍ପିବ କଳିଙ୍ଗ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳବ ଫୁଟବଲ ଫାଇଟ୍ । ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ । ସନ୍ଧ୍ୟା ସାଢେ ୭ଟାରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ରହିଛି ।

ଘରୋଇ ଗ୍ରାଉଣ୍ଡ ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ମଙ୍ଗୋଲିଆ ପାଇଁ ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜିଂ ହୋଇପାରେ । ବର୍ତ୍ତମାନ ସମୟରେ ତାଙ୍କ ଦେଶର ପାଣିପାଗ ଏବଂ ଭାରତର ପାଣିପାଗ ମଧ୍ୟରେ ବହୁତ ଅସମାନତା ରହିଛି । ମଙ୍ଗୋଲିଆରେ ଏବେ ପ୍ରବଳ ଶୀତ ଅନୁଭବ ହେଉଥିବା ବେଳେ ଏଠାରେ ଖରାରେ ଖେଳିବା ଦଳ ପାଇଁ ଚ୍ୟାଲେଞ୍ଜ ହେବ । ଅନ୍ୟପଟେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଅପରାହ୍ନ ୪.୩୦ ମିନିଟରେ ଖେଳାଯିବ ।

ଆଜି ସିନେମା ହଲରେ ଦର୍ଶକ ଦେଖିବେ ୨ ଦଶନ୍ଧି ତଳର ଚର୍ଚ୍ଚିତ ସିନେମା ’ଗଦ୍ଦର ଏକ ପ୍ରେମକଥା’

ନୂଆଦିଲ୍ଲୀ: ଦର୍ଶକ ଦେଖିବେ ପୁରୁଣା ପ୍ରେମକଥା । ୨୨ ବର୍ଷ ପରେ ପୁଣିଥରେ ରିଲିଜ ହେଉଛି ସୁପରହିଟ ବଲିଉଡ ସିନେମା ’ଗଦ୍ଦର ଏକ ପ୍ରେମକଥା’ । ୨୦୦୧ ମସିହାର ବ୍ଲକବଷ୍ଟର ସିନେମା ’ଗଦ୍ଦର ଏକ ପ୍ରେମକଥା’ । ଅନିଲ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମା ୨ ଦଶନ୍ଧି ତଳେ ଚହଳ ପକାଇଥିଲା । ଯାହାକି ଆଜି ପୁନଃରିଲିଜ ହେବାକୁ ଯାଉଛି । ଗଦ୍ଦର-୨ର ସିକ୍ବେଲ ଆସନ୍ତା ଅଗଷ୍ଟ ୧୧ ତାରିଖରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ପ୍ରଥମ ଭାଗକୁ 4K କ୍ବାଲିଟିରେ ସିନେମା ହଲରେ ପୁନଃରିଲିଜ କରାଯାଉଛି ।

ପୂର୍ବରୁ ଏହାର ଟ୍ରେଲକୁ ଦର୍ଶକମାନେ ବେଶ୍ ପସନ୍ଦ କରିସାରିଛନ୍ତି । ୨୨ ବର୍ଷ ପରେ ପୁରୁଣା ଦର୍ଶକଙ୍କ ସହିତ ନୂଆ ଦର୍ଶକ ମଧ୍ୟ ଏହାର ମଜାନେବେ । ସନ୍ନି ଦେଓଲଙ୍କ ବ୍ଲକବୁଷ୍ଟର ସିନେମାକୁ ପୁଣିଥରେ ସିନେମା ହଲରେ ଦେଖିବାକୁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି । ୨୦୦୧ ରେ ’ଗଦ୍ଦର ଏକ ପ୍ରେମକଥା’ ଖାଲି ହିଟ ହୋଇନଥିଲା । ବକ୍ସ ଅଫିସରେ ବି ବହୁ ରେକର୍ଡ ଭାଙ୍ଗିଥିଲା ।

ଆଜି ଦେଶରେ ୨୮ଟି ଟ୍ରେନ ବାତିଲ, ସେଫଟି ସମ୍ପର୍କିତ କାମ ପାଇଁ ରେଳବାଇର ନିଷ୍ପତ୍ତି

ନୂଆଦିଲ୍ଲୀ: ସେଫଟି ସମ୍ପର୍କିତ କାମ ପାଇଁ ବିଭିନ୍ନ ଟ୍ରେନ୍ ବାତିଲ । ଆଜି ଦେଶରେ ୨୮ ଟ୍ରେନକୁ ବାତିଲ କରିଛି ରେଳବାଇ । ସାନ୍ତ୍ରାଗାଚ୍ଛି-ପୁରୀ ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି ଶାଲିମାର-ସମ୍ବଲପୁର, ହାଓ୍ବଡା-ଚେନ୍ନାଇ ମେଲ, ଅଗରତାଲା-ସିକନ୍ଦରାବାଦ, ସିଲଘାଟ-ତମ୍ବରମ, ପୁରୀ-ବାଙ୍ଗିରିପୋଷି, ଭୁବନେଶ୍ବର-ହାଓ୍ବଡା, ମହୀଷୁର-ହାଓ୍ବଡା, ଭଦ୍ରକ-ହାଓ୍ବଡା, ପୁରୀ-ଜଳେଶ୍ବର, ଖୋର୍ଦ୍ଧା-ଖଡ଼ଗପୁର, ବାଲେଶ୍ବର-ଭୁବନେଶ୍ବର ଆଦି ରୁଟରେ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ବିଭିନ୍ନ ଟ୍ରାକରେ ସୁରକ୍ଷା ଯାଞ୍ଚ ପାଇଁ ଟ୍ରେନ୍ ବାତିଲ କରାଯାଇଛି ।

ଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀ

ଜୟପୁର: ଖାକିରେ ଦାଗ । ଡକାୟତି ମାମଲାରେ ବନ୍ଧା ହେଲେ ୩ ପୋଲିସ କର୍ମଚାରୀଙ୍କ ସହ ୨ ଜଣ ଡକାୟତ l ଆନ୍ଧ୍ରପ୍ରଦେଶର କାମୁଡ ଚିତ୍ତଲ ଗାଡ଼ି କିଣିବାପାଇଁ ଜୟପୁର ଯାଉଥିବା ସମୟରେ ସେ ଡକାୟତିର ଶିକାର ହୋଇଥିଲେ । ଚାଟୁଆ ନିକଟରେ ପିଛା କରି ୧ ଲକ୍ଷ ୫୦ ହଜାର ଟଙ୍କା ତାଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ପାଡୁଆ ପୋଲିସ ଏହି ଘଟଣାକୁ ଗୁରୁତର ଭାବରେ ନେଇ ତଦନ୍ତ କରି ଦୁଇ ଜଣ ଡକାୟତ ଏବଂ ସମ୍ପୃକ୍ତ ଥିବା ୩ ଜଣ ପୋଲିସ କର୍ମଚାରୀକୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ଏକ କାର, ୮୦ ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣ ଏବଂ ଡକାୟତ ଭଳି ମାମଲା ରହିଥିବା ନନ୍ଦପୁର SDPO ସୂଚନା ଦେଇଛନ୍ତି  ।

ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ

ନୂଆପଡ଼ା: ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ । ଟ୍ରେନ ବଗିରେ ନିଆଁ ଲାଗିଥିବା ସୂଚନା । ନୂଆପଡ଼ା ଖରିଆର ରୋଡରେ ଲାଗିଲା ନିଆଁ । ନିଆଁ ବଢ଼ିବା ପୂର୍ବରୁ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଦ୍ୱାରା ନିଆଁକୁ କରାଗଲା ଆୟତ୍ତ । ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା । ଏସି ବଗିର ବ୍ରେକ୍ ବାଇଣ୍ଡିଂରେ ଘଟିଥିଲା ସ୍ପାର୍କିଂ । ତେବେ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା ପ୍ରାଥମିକ ଭାବେ ସୂଚନା ।

ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ, ୧୮ ଶିଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ୧୧୮ ତମ ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୮ ଶିଳ୍ପକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ୩ ହଜାର ୪୫୭ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହି ନିବେଶ ପରେ ୧୪ ହଜାର ୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୮ଟି ଶିଳ୍ପ ମଧ୍ୟରୁ ମେକ୍ ଇନ ଓଡ଼ିଶା କନକ୍ଳେଭ ୨୦୨୨ରେ ୧୦ଟି କମ୍ପାନୀ ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୨୨-୨୩ ବର୍ଷରେ ଓଡ଼ିଶା ଦେଶର ଦ୍ବିତୀୟ ସ୍ଥାନରେ ଥିଲା । ଯେଉଁଠାରେ ଅଧିକରୁ ଅଧିକ ନିବେଶ ପାଇଁ ପ୍ରସ୍ତାବ ଆସିଥିଲା ।

ପୁଞ୍ଜି ବିନିଯୋଗର ଉଦ୍ଦେଶ୍ୟକୁ ବାସ୍ତବତାରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରତିବଦ୍ଧ । ମେଟାଲ୍ ଡାଉନଷ୍ଟ୍ରିମିଂ, ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ୍ ଏବଂ ପୋଷାକ, ଆଇଟି, ଇଏସଡିଏମ୍ ଏବଂ ଏଗ୍ରୋ ପ୍ରକ୍ରିୟାକରଣ ପରି ବିଭିନ୍ନ କ୍ଷେତ୍ରଗୁଡିକରେ ନିବେଶ ପାଇଁ ଅନୁମୋଦନ ମିଳିଛି । ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକ ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ସ୍ଥାପନ କରାଯିବ । ମେଟାଲ ସେକ୍ଟରରେ ୯ଟି ପ୍ରକଳ୍ପ, ଏଗ୍ରୋ ଆଣ୍ଡ ଫୁଡ୍ ପ୍ରୋସେସିଂ ସେକ୍ଟରରେ ୫ଟି ପ୍ରୋଜେକ୍ଟ ଏବଂ ଟେକ୍ସଟାଇଲ, ସିମେଣ୍ଟ, ଆଇଟି ଆଣ୍ଡ ଇଏସଡିଏମ ଏବଂ ଫାର୍ମାସ୍ୟୁଟିକାଲ୍ସ ସେକ୍ଟରରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ ଦିଆଯାଇଛି ।

‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଶଂ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଯିବ: ପ୍ରଯୋଜକ

ଭୁବନେଶ୍ୱର: ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ତରଫରୁ ଗତ ଜୁନ୍ ୨ରେ ଘଟିଥିବା ଭୟଙ୍କର ତଥା ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ ଦୁଖ ଓ ସମବେଦନା ଜଣାଯାଇଛି । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ଯାନ୍ନରରେ ନିର୍ମିତ ‘ଲଭ୍ ଇନ୍ ଲଣ୍ଡନ୍‌’ର ଟିମ୍ କହିଥିଲେ ଯେ ଏହି ଦୁଖଦ ଘଟଣା ଆମ ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି ଏବଂ ଆମେ ଶୋକରେ ସମସ୍ତେ ଶୋକରେ ଅଛୁ । ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆଲୋଚନା କଲାପରେ, ଆମେ ଅନୁଭବ କରୁଛୁ ଯେ ବହୁ ପ୍ରତୀକ୍ଷିତ ‘ଲଭ୍ ଇନ୍ ଲଣ୍ଡନ’ ଜୁନ୍ ୯, ୨୦୨୩ ରେ ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଥିଲା, ହେଲେ ବାହାନାଗାର ଏହି ଅଘଟଣକୁ  ସମ୍ମାନ ଏବଂ ଓଡ଼ିଶାରେ ଏକତାର ଚିହ୍ନ ଭାବରେ ଆମେ ଫିଲ୍ମର ପ୍ରିମିୟର୍ ଜୁନ୍ ୧୩, ୨୦୨୩କୁ ଘୁଞ୍ଚାଇବାକୁ ନିଷ୍ପତ୍ତି କରିଛୁ । ଆମେ ଆମର ଦର୍ଶକମାନଙ୍କୁ ଆନ୍ତରିକତାର ଧନ୍ୟବାଦ ଦେବା ସହ ଏପରି ଦୁଃଖଦ ସମୟରେ ତାଙ୍କର ସହଯୋଗ  ଆଶା କରୁଛୁ । ଏହି ନିଷ୍ପତ୍ତିକୁ ଅନୁଭବ ମହାନ୍ତି ଫ୍ୟାନ୍ କ୍ଲବ୍ ଏବଂ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ବୁଝିଛନ୍ତି ଏବଂ ସମର୍ଥନ କରିଛନ୍ତି । ଓଡ଼ିଶାର କଳାକାର ଏବଂ ଲୋକମାନଙ୍କ ସହିତ ଆମର ସଠିକ୍ କାର୍ଯ୍ୟ ସପକ୍ଷରେ କାର୍ଯ୍ୟ କରିବା ଏବଂ ଜାରି ରଖିବା ।

ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସମର୍ଥନ ପାଇଁ ଆମେ ଜାଣି ଆନନ୍ଦିତ ଓ ଏହି ଗୁରୁତର ପରିସ୍ଥିତିକୁ ବୁଝି ନିଆଯାଇଥିବା ଏହି ସଠିକ୍ ପଦକ୍ଷେପରେ ଏହି ଚଳଚ୍ଚିତ୍ରର କଳାକାରମାନେ, ଦର୍ଶକ ଏବଂ ଥିଏଟର ମାଲିକମାନଙ୍କୁ ଆମକୁ ସମର୍ଥନ କରିଥିବାରୁ ଆମେ ଧନ୍ୟବାଦ ଦେଉଛୁ ଏବଂ ଚଳଚ୍ଚିତ୍ର ରିଲିଜକୁ ବିଳମ୍ବ କରିବାକୁ ଆମେ ଚିନ୍ତା କରିଛୁ ।

ଏଥିସହ, “ଆମେ ‘ପୀଡିତଙ୍କ ପରିବାରକୁ ସହାୟତା କରିବା ପାଇଁ ଏକ ପ୍ରତିଶ୍ରୁତି ଦେଉଛୁ ଯେ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରଯୋଜକ ଲାଭାଷଂ ଅର୍ଥର ୧୦ ଭାଗ ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ଆତ୍ମବିଶ୍ୱାସ ଏବଂ ଆଶା ଯେ ଏହି ଅବଦାନ ଦୁର୍ଘଟଣା ଦ୍ୱାରା ପ୍ରଭାବିତ ଲୋକଙ୍କ ଆରୋଗ୍ୟ ଏବଂ ପୁନରୁଦ୍ଧାର ପ୍ରକ୍ରିୟାରେ କିଛି ସାହାଯ୍ୟ ଏବଂ ସହାୟତା ପ୍ରଦାନ କରିବ ବୋଲି ଫିଲ୍ମର ନିର୍ମାତା ନବୀନ ଭଣ୍ଡାରୀ ଓ ଜେ. ବର୍ଖା କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅଭିନେତା ଅନୁଭବ ମହାନ୍ତି ,ଅଭିନେତ୍ରୀ ସ୍ବପ୍ନା ପ୍ରିୟଦର୍ଶିନୀ, ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, ଲଭ୍ ଇନ୍‌ ଲଣ୍ଡନର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।