ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ କଣ୍ଟ୍ରାକ୍ଟର ବାପ-ପୁଅଙ୍କୁ ବାନ୍ଧିଲା ଭିଜିଲାନ୍ସ

1 min read

ସୋନପୁର: ବନ୍ଧାହେଲେ ଠିକାଦାର ବାପ ପୁଅ । ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ପାୱାର ଅପ୍ ଆଟର୍ଣ୍ଣିଂ ହୋଲଡର ଦୀପକ କୁମାର ଅଗ୍ରୱାଲ ଗିରଫ । ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ଶହେ ଶଯ୍ୟା ବିଶିଷ୍ଟ ୪ଟି ହଷ୍ଟେଲ ନିର୍ମାଣ ପାଇଁ ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଠିକା ନେଇଥିଲେ । ଏହି କାମରେ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା ।

ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସର ଏକ ଟେକ୍ନିକାଲ ଟିମ୍ ଯାଞ୍ଚ କରିବା ପରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ନେଇ ପ୍ରମାଣ ପାଇଥିଲା। ଆଜି ଦୁଇଜଣଙ୍କୁ ରାଉରକେଲାରୁ ଗିରଫ କରାଯାଇଛି । ପୂର୍ବରୁ ଭିଜିଲାନ୍ସ ତଦନ୍ତ ଆରମ୍ଭ ପରେ ବିଜୟ ଅଗ୍ରୱାଲ ଓ ଦୀପକ ବଲାଙ୍ଗୀର ବାସଭବନରୁ ଫେରାର ହୋଇଯାଇଥିଲେ । ଏବେ ଉଭୟଙ୍କୁ କଟକସ୍ଥିତ ଭିଜିଲାନସ ଅଫିସକୁ ଆଣି ପଚାରାଉଚରା କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ନିକଟରେ ଫାଇଭ-ଟି ସଚିବ ସୋନପୁର ଗସ୍ତବେଳେ ହଷ୍ଟେଲରେ ନିମ୍ନମାନର କାମ ନେଇ ଅଭିଯୋଗ ହୋଇଥିଲା ।

ଏନେଇ ତଦନ୍ତ କରିବାକୁ ଫାଇଭ-ଟି ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପାଇଁ ଭିଜିଲାନ୍ସକୁ ଚିଠି ଲେଖିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ । ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ହଷ୍ଟେଲ କାମ ନିମ୍ନମାନର ହୋଇଥିବା ହୋଇଥିଲା । କୋଠାର ଉଭୟ ଭିତରେ ଓ ବାହାରେ ଫାଟ ଦେଖିବାକୁ ମିଳିଥିଲା। ସେହିପରି କୋଠାରେ ଲାଗିଥିବା ଫିଟିଙ୍ଗ୍ସ ନିମ୍ନମାନର ବୋଲି ଅନୁଧ୍ୟାନରୁ ଜଣାପଡିଥିଲା । ଭୁବନେଶ୍ବରର ହିନ୍ଦୁସ୍ତାନ ଷ୍ଟିଲ ଆଣ୍ଟ କନଷ୍ଟ୍ରକସନ ପକ୍ଷରୁ ଆଶ୍ରମ ସ୍କୁଲ ପାଇଁ ହଷ୍ଟେଲ ନିର୍ମାଣ କରାଯାଇଥିଲା ।