କଟଟ: କମିଶନରେଟ୍ ପୁଲିସର ବଡ଼ ସଫଳତା । ଗତ ୮ ତାରିଖରେ କଟକ ସଦର ଥାନା ଶ୍ୟାମସୁନ୍ଦରପୁରରେ ଗୁଳିକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ସହିତ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ହେଲେ ଜଗନ ପ୍ରଧାନ, ରାକେଶ ପ୍ରଧାନ ଓ ଶମ୍ଭୁ ଭୋଇ । ମୁଖ୍ୟ ଅଭିଯୁକ୍ତ ଜଗନର ବଡ଼ ଭାଇ ହେଉଛି ରାକେଶ । ରାକେଶ ଓ ଶମ୍ଭୁ ନାଁରେ ପୂର୍ବରୁ ୨୫ଟି ମାମଲା ରହିଥିବାବେଳେ ଜଗନ ନାଁରେ ୧୨ଟି ମାମଲା ରହିଛି । ଅଭିଯୁକ୍ତଙ୍କୁ ଗତ ୧୩ ତାରିଖ ସକାଳେ ବାଙ୍ଗାଲୋରରୁ ଗିରଫ କରାଯାଇଛି । ଗତ ୮ତାରିଖରେ ପୂର୍ବ ଶତ୍ରୁତାରୁ ଚିନ୍ତାଣିଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ହତ୍ୟାରେ ବ୍ୟବହୃତ ବାଇକ, ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇଛି ।
ପାକିସ୍ତାନରେ ଥିବା ଅଞ୍ଜୁଙ୍କ ପ୍ରତିକ୍ରିୟା, କହିଲେ ଗୁମର କଥା
ଇସଲାମବାଦ: ଭାରତୀୟ ମହିଳା ଅଞ୍ଜୁ ପାକିସ୍ତାନରେ ନସରୁଲ୍ଲାଙ୍କୁ ନିକାହ କରିବା ପରେ ଫାତିମା ବନି ଯାଇଛନ୍ତି । ନିକଟରେ ପାକିସ୍ତାନକୁ ପ୍ରଂଶସା କରି ଏକ ଭିଡିଓ ପୋଷ୍ଟ କରିଥିଲେ ଅଞ୍ଜୁ । ଏପରିକି ସେ ପାକିସ୍ତାନର ସ୍ବାଧୀନତା ଦିବସ ମଧ୍ୟ ପାଳିଥିବାର ଚିତ୍ର ନଜରକୁ ଆସିଥିଲା । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଭାରତୀୟ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି । ଅଞ୍ଜୁଙ୍କୁ ନେଇ ଗଣମାଧ୍ୟମରେ ପ୍ରତିଦିନ ନୂଆ ନୂଆ ଖବରମାନ ପ୍ରସାରଣ କରାଯାଉଛି । ଯାହାକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜୁ ।
ମୁଁ ଦେଶ ଦେ୍ରାହୀ ନୁହେଁ । ମୋ ସମ୍ପର୍କରେ ଭାରତୀୟ ଗଣମାଧ୍ୟମରେ ଭୁଲ ଖବରମାନ ପ୍ରସାରଣ କରାଯାଉଛି । ମୁଁ ଜଣେ ମଣିଷ କାହାର ଶତ୍ରୁ ନୁହେଁ । ଭାରତରେ ଲୋକମାନେ ଭାବୁଛନ୍ତି କି, ମୁଁ ପାକିସ୍ତାନ ଆସିବା ପରେ ପାକିସ୍ତାନକୁ ପ୍ରଂଶସା କରୁଛି । ବାସ୍ତବରେ କିନ୍ତୁ ଏଠାକାର ଲୋକ ବହୁତ ଭଲ । ସେମାନେ ମୋର କୌଣସି କ୍ଷତି କରୁନାହାନ୍ତି । ମୁଁ ଭାରତକୁ ମଧ୍ୟ ଭଲପାଏ । ମୁଁ ମୋର ପାକିସ୍ତାନୀ ସ୍ବାମୀ ନସରୁଲ୍ଲାଙ୍କ ସହ ଭାରତ ଯିବାକୁ ଚାହେଁ । ଭାରତୀୟ ଗଣମାଧ୍ୟମକୁ ଏତିକି ଅନୁରୋଧ କରେ କି, ମୋ ସମ୍ପର୍କରେ ଦୟାକରି ଭୁଲ ଖବର ପ୍ରସାରଣ କରନ୍ତୁ ନାହିଁ ।
ରାଜଧାନୀର ବିଭିନ୍ନ ମସଜିଦରେ ଉଡ଼ିଲା ତ୍ରିରଙ୍ଗା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମସଜିଦରେ ଉଡିଛି ତ୍ରିରଙ୍ଗା । ୟୁନିଟ ୩ ସୁନି ଜମା ମସଜିଦରେ ୭୭ ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ମସଜିଦ ମୁରବି ଦାଉଦୁର ରହେମାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ବିଜେଡି ଉପସଭାପତି ମୁସରାଫ ଖାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବସ୍ତିରେ ରହୁଥିବା ଲୋକଙ୍କୁ ଡେଙ୍ଗୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ସେହିପରି ଭରତପୁର ମସଜିଦରେ ବିଜେଡି ସାଧାରଣ ସମ୍ପାଦକ ସେକ ଦିଲଦାର ମହମ୍ମଦ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆଇନଜୀବୀ ହାସନ ଖାଁ,ସମାଜସେବୀ ଏମଡି ସଦୃଲ୍ଲା, ଏମାର ଖାଁ, ସେକ କଲିମ ପ୍ରମୁଖ ଉପସ୍ଥିତ ରହି ଡେଙ୍ଗୁ ବିରୋଧରେ ଲୋକଙ୍କୁ ସଚେତନ କରିଥିଲେ । ଅନ୍ୟପଟେ ଝାରପଡା ମାଦ୍ରାସା, ୟୁନିଟ ଫୋର୍ କ୍ୟାପିଟାଲ ମସଜିଦ, ସୈନିକ ସ୍କୁଲ ଗୌଶିଆ ମସଜିଦ ଓ ଶିଖରଚଣ୍ଡୀଠାରେ ମସଜିଦ ମୁଖ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ନୁପୁରଙ୍କୁ ଛୁଟିଲା ସହାୟତାର ସୁଅ
ବଲାଙ୍ଗୀର: ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ବଲାଙ୍ଗୀରର ସାଇକେଲ ରାଣୀ ନୁପୁରଙ୍କୁ ଛୁଟୁଛି ସହାୟତାର ସୁଅ ।ନୁପୁର ମେହେରଙ୍କୁ ଏକ ନୂଆ ସାଇକଲ ପ୍ରଦାନ କରିଛି ବଲାଙ୍ଗୀର ଉଠାଦୋକାନୀ ସଂଘ । ଅନେକ ବୁଦ୍ଧିଜୀବୀ ମଧ୍ୟ ନୁପୁରଙ୍କ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ପରିଣତ ବୟସରେ ବି ସେ କିଭଳି ଆତ୍ମନିର୍ଭରଶୀଳ ଓ ମହିଳା ସଶକ୍ତିରଣ ପାଇଁ ଉଦାହରଣ ସାଜିଛନ୍ତି, ପ୍ରତିଦିନ ସେ କିଭଳି ୧୦ ବର୍ଷ ତଳର ସାଇକେଲ ଧରି ୧୦ କିଲୋମିଟର କାମ କରିବାକୁ ଯାଆନ୍ତି । ଘର ଚଳାଇବାରେ ସ୍ବାମୀଙ୍କୁ ସହଯୋଗ କରନ୍ତି । ତାହା ନନ୍ଦିଘୋଷ ଟିଭରେ ପ୍ରସାରଣ କରାଯାଇଥିଲା । ଏହି ଖବର ଜାଣିବା ପରେ ବଲାଙ୍ଗୀର ଉଠାଦୋକାନୀ ସଂଘ ଓ କିଛି ସ୍ବେଛାସେବୀ ମିଶି ଏକ ଅତ୍ୟାଧୁନିକ ସାଇକଲ ଉପହାର ଦେଇଛନ୍ତି ।
ଚିଲିକାର ଅଥଳ ଜଳରାଶି ମଝିରେ ସ୍ବାଧିନତା ଦିବସ ପାଳନ
କୃଷ୍ଣପ୍ରସାଦ: ଚିଲିକାର ନୀଳ ଜଳ ରାଶି ମଝିରେ ଭାରତ ମାର ବନ୍ଦାପନା । ଏଭଳି ନିଆରା ଢଙ୍ଗରେ ସ୍ବାଧୀନତା ଦିବସ ପାଳନ କରିଛନ୍ତି କୃଷ୍ଣପ୍ରସାଦ ବ୍ଲକର ଖଟି ସାହି ଗାଁର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା । ଏଠି ପଡିଆ ନାହିଁ ସତ ଡ଼ଙ୍ଗା ସାଜିଛି ସ୍ବାଧୀନତା ଉତ୍ସବ ପାଳନର ସାଧନାର କ୍ଷେତ୍ର । ଯେଉଁ ଡ଼ଙ୍ଗା ମତ୍ସଜୀବୀ ମାନଙ୍କୁ ଜୀବନ ଜିବିକା ପ୍ରତି ପୋଷଣର ସାହାରା ଦେଇଥାଏ । ସେଠି ଆଜି ଅତ୍ୟନ୍ତ ଗର୍ବ ଓ ଆନନ୍ଦର ସହ ସ୍ଵାଧିନତା ଦିବସ ଉତ୍ସବ ପାଳନ କରିଛନ୍ତି ମହିଳା ମତ୍ସ୍ୟଜୀବୀ ମାନେ । ଡ଼ଙ୍ଗା ଉପରେ ଠିଆ ହୋଇ ଭାରତ ମାତାର ଜୟ ଗାନ କରିଛନ୍ତି ।
ବ୍ରହ୍ମପୁର ସଂସ୍କରଣ ସକାଳ ଓ ନନ୍ଦିଘୋଷ ପରିବାର ପକ୍ଷରୁ ସ୍ବାଧୀନତା ଦିବସ ପାଳିତ
ବ୍ରହ୍ମପୁର: ବ୍ରହ୍ମପୁର ସଂସ୍କରଣ ସକାଳ ଓ ନନ୍ଦିଘୋଷ ପରିବାର ପକ୍ଷରୁ ପାଳିତ ହୋଇଛି ୭୭ ତମ ସ୍ବାଧୀନତା ଦିବସ । ଏହି ଅବସରରେ ଗଜପତିନଗର କର୍ପୋରେଟର ସମିର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନ ହୋଇଥିଲା । ଅନେକ ମହାପୁରୁଷ ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ବାଧୀନ କରାଇଥିଲେ । ଅନ୍ୟ ଅତିଥିମାନଙ୍କ ମଧରେ ରାଜେନ୍ଦ୍ର କୁମାର ପଣ୍ଡା , ରାଜେଶ କୁମାର ସାହୁଙ୍କ ସହ ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ଔପଢୋକନ ଦେଇ ସମ୍ମାନିତ କରାଯାଇଥିଲା । ସକାଳ ଖବରକାଗଜର ବ୍ରହ୍ମପୁର ସଂସ୍କରଣର ମୁଖ୍ଯ ଶକ୍ତିଧର ରାଜଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନନ୍ଦିଘୋଷ ଟିଭିର ବ୍ୟୁରୋ ଚିଫ୍ ଦେବହରି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ସୁଲଭ ଇଣ୍ଟର ନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକଙ୍କ ପରଲୋକ
ନୂଆଦିଲ୍ଲୀ: ପରଲୋକରେ ସୁଲଭ ଇଣ୍ଟର ନ୍ୟାସନାଲର ପ୍ରତିଷ୍ଠାତା ବିନ୍ଦେଶ୍ବର ପାଠକ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିାବାବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସୁଲଭ ଇଣ୍ଟର ନ୍ୟାସନାଲର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ନିଧନ ଘଟିଛି । ୧୯୭୦ କସିହାରେ ସେ ସାମାଜିକ ସେବା ପାଇଁ ସୁଲଭ ଇଣ୍ଟର ନ୍ୟାସନାଲକୁ ପ୍ରତିଷ୍ଠା କରିଥିଲେ ।
ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ ବେଳେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ
ପୁରୀ: ଜାତୀୟ ପତାକା ଉତ୍ତୋଳନ ବେଳେ ଟଳିପଡ଼ିଲେ ପ୍ରଧାନ ଶିକ୍ଷକ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ବରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ ସମୟରେ ଅଘଟଣ ଘଟିଛି । ମୃତ ଶିକ୍ଷକ ହେଲେ ପ୍ରଫୁଲ୍ଲ ଚନ୍ଦ୍ର ସାହୁ । ତ୍ରିରଙ୍ଗା ଉତ୍ତୋଳନ ପରେ ସେ ହଠାତ ଟଳିପଡ଼ିଥିଲେ । ତାଙ୍କୁ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଖେଳି ଯାଇଛି ଶୋକର ଛାୟା ।
ସ୍ବାଧୀନତା ଦିବସକୁ ଗୁଗୁଲ ଡୁଡୁଲର ନିଆରା ସମ୍ମାନ
ନନ୍ଦିଘୋଷ ବ୍ୟୁରୋ: ସ୍ବାଧୀନତା ଦିବସକୁ ଗୁଗୁଲ ଡୁଡୁଲର ନିଆରା ସମ୍ମାନ । ୭୭ତମ ସ୍ବାଧୀନତା ଦିବସରେ ଗୁଗୁଲ ଭାରତର ବିବିଧ ବୟନକୁ ଲୋଗୋରେ ସ୍ଥାନ ଦେଇଛି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବୟନ ପରମ୍ପରାକୁ ଗୁଗୁଲ ଲୋଗୋରେ ସ୍ଥାନ ଦେଇ ଦେଶକୁ ସମ୍ମାନ ଦେଇଛି । ଏହି ଲୋଗୋକୁ ନୂଆ ଦିଲ୍ଲୀର ଆର୍ଟିଷ୍ଟ ନମ୍ରତା କୁମାର କରିଛନ୍ତି । ଭାରତର ବୟନ କଳାକୁ ଏକ ସନ୍ତୁଳିତ ଢଙ୍ଗରେ ସେ ଉପସ୍ଥାପିତ କରିଛନ୍ତି । ବୟନ କଳା ଭାରତର ପରିଚୟ । ଯାହାକୁ ନମ୍ରତା ଗୁଗୁଲ ଲୋଗୋରେ ସ୍ଥାନ ଦେବାକୁ ଉଚିତ ମନେ କରି ସ୍ବାଧୀନତା ଦିବସ ଲାଗି ଉତ୍ସର୍ଗ କରିଛନ୍ତି । ଭାରତର ବଡ଼ ପର୍ବପର୍ବାଣୀରେ ଗୁଗୁଲ ଏପରି ଲୋଗୋରେ ପରିବର୍ତ୍ତନ କରି ଦେଶର ଉତ୍ସବରେ ନିଜକୁ ସାମିଲ କରିଥାଏ ।
ହିମାଚଳରେ ଜଳ ପ୍ରଳୟ, ମୃତ୍ୟୁ ସଂଖ୍ୟା ୫୫
ହିମାଚଳ: ହିମାଚଳରେ ଜଳ ପ୍ରଳୟ । ଲ୍ୟାଣ୍ଡସ୍ଲାଇଡ, ବାଦଲ ଫଟା ବର୍ଷାରେ ମୃତ୍ୟୁସଂଖ୍ୟା ୫୫ ଛୁଇଁଛି । ସାରାରାଜ୍ୟରେ ପ୍ରକୃତିର କରାଳ ରୂପ । ଏବେ ବି ଅନେକ ଲୋକ ମାଟି ତଳେ ଫସି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏନଡିଆରଏଫ, ଆଇଟିବିପି ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ପାହାଡ଼ି ରାଜ୍ୟରେ ବର୍ଷା, ବନ୍ୟା ସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ଭୂସ୍ଖଳନ ଯୋଗୁଁ ବନ୍ଦ ରହିଥିବା ଚଣ୍ଡିଗଡ଼-ସିମଲା ହାଇଓ୍ବେ ଖୋଲାଯାଇଥିବା ବେଳେ ଗାଡ଼ିମୋଟର ଚଳାଚଳ ସ୍ବାଭାବିକ ହୋଇଛି । ସିମଲାରେ ରେସ୍କ୍ୟୁ ଅପରେସନରେ ସେନା ହେଲିକପ୍ଟର ସାମିଲ କରାଯାଇଛି । ଆଗାମି ଦୁଇ ଦିନ ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସିମଲାରେ ଶିବ ମନ୍ଦିର ଧସିଯିବା ଘଟଣାରେ ମୃତ୍ୟୁସଂଖ୍ୟା ୧୫ ଛୁଇଁଛି । ଏବେ ବି ଅନେକ ଲୋକ ମାଟି ତଳେ ଦବି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ସେପଟେ ଉତ୍ତରାଖଣ୍ଡରେ ବି ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଛି । ବିଭିନ୍ନ ସ୍ଥାନରେ କେଦାରନାଥ ଓ ବଦ୍ରିନାଥ ଯାତ୍ରୀ ଫସି ରହିଥିବା ବେଳେ ଗତକାଲି ଓ ଆଜି ପାଇଁ ଚାରଧାମ ଯାତ୍ରା ସ୍ଥଗିତ ରଖାଯାଇଛି । ଏସଡିଆରଏଫ ପକ୍ଷରୁ ରିଳିଫ ଯୋଗାଣ ଓ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦୁଇ ଦିନ ଲଗାଣ ବର୍ଷା ଯୋଗୁ ସ୍ଥିତି ଅତି ସଂଗୀନ ହୋଇଥିବା ଗଙ୍ଗା, ଅଳକାନନ୍ଦା, ମନ୍ଦାକିନୀ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀ କୂଳବର୍ତ୍ତୀ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

