କ୍ରିକେଟ ବିଶ୍ବକପ: ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ

ନୂଆଦିଲ୍ଲୀ :  କ୍ରିକେଟ ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଅପରାହ୍ଣ ୨ଟାରେ ବିଶ୍ବକପର ଏହି ୧୧ ତମ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ପାଇସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୮୨ ରନରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାସ୍ତ କରିଥିଲା ।

ସେହିପରି ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଛି ବାଂଲାଦେଶ । ତେବେ ସପ୍ତମ ମ୍ୟାଚରେ ଇଂଲଣ୍ଡ ଠାରୁ ୧୩୭ ରନରେ ହାରିଥିଲା । ତେଣୁ ଆଜିର ମ୍ୟାଚ ଜିତିବାକୁ ଭରପୁର ଚେଷ୍ଟା କରିବ ବାଂଲାଦେଶ । ସେପଟେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲକ୍ଷ୍ମୌରେ ଖେଳାଯାଇଥିବା ୧୦ ମ୍ୟାଚରେ କଙ୍ଗାରୁ ଦଳକୁ ୧୩୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଢିଛି ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟି କରି ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କ୍ବଣ୍ଟନ ଡିକକ୍ ଶତକୀୟ ପାଳି ଖେଳିଥିଲେ । ତେବେ ଜବାବରେ ଅଷ୍ଟ୍ରେଲିଆ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟଟର ସାମ୍ନା କରି ୪୦.୫ ଓଭରରେ ୧୭୭ ରନ କରିବାରେ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବଡା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ ।