ଭୁବନେଶ୍ୱର: ପୋଲିସ ଉପସ୍ଥିତିରେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ । ସହିଦନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଫାଇନାନ୍ସ କର୍ମଚାରୀଙ୍କୁ ପିଟି ରକ୍ତାକ୍ତ କଲେ ଦୁର୍ବୁର୍ତ୍ତ । ଆହତ କର୍ମଚାରୀ ଜଣଙ୍କ ହେଲେ ପବିତ୍ର ମୋହନ ମଲ୍ଲିକ । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପବିତ୍ର । ପୁରୀ ଜିଲ୍ଲା ନିମାପଡା ଅଞ୍ଚଳରେ ପବିତ୍ରଙ୍କ ଘର । ଲୋନ୍ ଦେବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଫୋନରେ ଗାଳିଗୁଲଜ ଘଟଣା ପରେ ଏଭଳି ସାଙ୍ଘାତିକ ରୂପ ନେଇଛି । ଅତିରିକ୍ତ ଡିସିପି ଅଶୋକ ପାଣିଗ୍ରାହୀଙ୍କ ସମ୍ମୁଖରେ ଘଟଣା ଘଟିଛି । ଘଟଣା ଘଟିବା ପରେ ସହିଦନଗର ଥାନାକୁ ଜଣାଇଥିଲେ ଅତିରିକ୍ତ ଡିସିପି । ଏତଲା ଓ ସିସିଟିଭି ଆଧାରରେ ତଦନ୍ତକୁ ବ୍ୟାପକ କରାଯାଇଛି ।
ସାମାନ୍ୟ କମିଛି ବୈତରଣୀ ଜଳସ୍ତର, ଏବେ ବି ପାଣି ଘେରରେ ଅନେକ ଗାଁ
ଯାଜପୁର: ସାମାନ୍ୟ କମିଛି ବୈତରଣୀ ଜଳସ୍ତର । ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ଥିବା ବେଳେ ୧୧ଟା ସୁଦ୍ଧା ୧୯.୭୮ ମିଟରରେ ରହିଛି ଜଳସ୍ତର । ଯାଜପୁର ୪ଟି ବ୍ଲକର ଅନେକ ଗାଁ ଏବେ ପାଣି ଘେରରେ ରହିଛି । ପ୍ରଶାସନ ଦ୍ବାରା ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ସହ ପ୍ରି-କିଚେନର ବ୍ୟବସ୍ଥା ହୋଇଛି। ଦଶାସ୍ୱମେଧ ଘାଟରେ ପ୍ରବାହିତ ହେଉଛି ପାଣି ମନ୍ଦିର ଚାରିପିଠୀ ପାଣି ଘେରି ରହିବା ସହ ଘରଭିତରେ ପାଣି ପଶିଛି ।
ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ
ଭୁବନେଶ୍ୱର: ବନ୍ୟାସ୍ଥିତି ଉପରେ ନଜର ରଖିବେ ୮ ବରିଷ୍ଠ ଯନ୍ତ୍ରୀ । SRC ଏହି ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀରେ ବନ୍ୟାକୁ ଦେଖି ଜଳସମ୍ପଦ ବିଭାଗର ୮ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଚିନ୍ମୟ ରଞ୍ଜନ ରାଉତଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଭାର୍ଗବୀ ଓ ଦୟା ବନ୍ୟା ସ୍ଥିତି ଉପରେ ନଜର ରଖିବେ ଚିନ୍ମୟ । ଆର୍ତ୍ତତ୍ରାଣ ସାହୁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଲୁଣା ଓ କରାଣ୍ଡିଆ ବନ୍ୟାସ୍ଥିତି ଉପରେ ସେ ନଜର ରଖିବେ । ବିଘ୍ନରାଜ ପୁରୋହିତ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତୀକ ଦୀକ୍ଷିତ କଟକ ମହାନଦୀ ବ୍ୟାରେଜ ଉପରେ ରଖିବେ ନଜର ।
ସେହିପରି ଶକ୍ତି ପ୍ରସାଦ ଦାଶ ନୃତ୍ତାଙ୍ଗ ଅଞ୍ଚଳରେ ନଜର ରଖିବେ । ହିମାଂଶୁ କୁମାର ଜେନା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳ ବନ୍ୟାସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି । ରାଜୁଆ ନଦୀ ବନ୍ୟାଜଳ ଉପରେ ନଜର ରଖିବେ ଏନ. ଏସ. କେ. ଚୌଧୁରୀ । ତନୁଜ କିଶୋର ରାଉତ ସାକ୍ଷୀଗୋପାଳ ଅଞ୍ଚଳରେ ବନ୍ୟାସ୍ଥିତି ଅନୁଧ୍ୟାନ କରିବେ । ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ, ଡେବ୍ୟୁ କରିପାରନ୍ତି ତିଲକ ବର୍ମା
ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଟି-ଟ୍ବେଣ୍ଟି ସିରିଜ । ୫ ଟିକିଆ ସିରିଜର ଆଜି ପ୍ରଥମ ମ୍ୟାଚ ଖେଳାଯିବ । ଭାରତୀୟ ସମୟ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟେଷ୍ଟ ଓ ଦିନିକିଆ ପରେ ଟି-ଟ୍ବେଣ୍ଟି ସିରିଜ କବଜା କରିବା ଲକ୍ଷ୍ୟ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଶେଷ ଦିନିକିଆରେ ବିଶାଳ ସ୍କୋର କରି ବିଜୟ ଲାଭ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ ରହିଛି । ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯଶସ୍ୱୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ଟି-ଟ୍ବେଣ୍ଟିରେ ସୁଯୋଗ ମିଳିଛି । ସେପଟେ ଭାରତ ବିରୋଧରେ ରଣନୀତି କରିଛି ଘରୋଇ ଟିମ୍ । ଦିନିକିଆ ସିରିଜ ପରାଜୟର ବଦଲା ନେବାକୁ ଜୋରଦାର ପ୍ରସ୍ତୁତି କରିଛି ଓ୍ୱେଷ୍ଟଇଣ୍ଡିଜ୍ ।
ଜ୍ଞାନବାପୀ ମସଜିଦରେ ଏଏସଆଇ ସର୍ଭେ ଉପରେ ରୋକ୍ ମାମଲା, ଆଜି ଆସିପାରେ ଚୂଡ଼ାନ୍ତ ରାୟ
ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦରେ ଏଏସଆଇ ସର୍ଭେ ଉପରେ ଆସିପାରେ ଚୂଡ଼ାନ୍ତ ରାୟ । ଗତ ୨୭ ତାରିଖ ଯାଏ ସର୍ଭେ ଉପରେ ଲାଗିଥିବା ରୋକକୁ ଆଜି ଯାଏ ବୃଦ୍ଧି କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏଏସଆଇର ସର୍ଭେ ଉପରେ ସ୍ଥାୟୀ ରୋକ ଲଗାଇବା ପାଇଁ ମସଜିଦ କମିଟି କରିଥିବା ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଆବେଦନ ଉପରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିପାରନ୍ତି ଅଦାଲତ । ମନ୍ଦିରର ଭଗ୍ନସ୍ତୁପ ଉପରେ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଦାବି କରୁଛି । ତଳ କୋର୍ଟ ଆବେଦନକୁ ଗ୍ରହଣ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ । ହେଲେ ଗତ ଜୁଲାଇ ୨୪ରେ ସୁପ୍ରିମକୋର୍ଟ ସର୍ଭେ ଉପରେ ରୋକ୍ ଲଗାଇଥିଲେ । ଜୁଲାଇ ୨୬ ସନ୍ଧ୍ୟା ଯାଏ ଉଚ୍ଚତମ ନ୍ୟାୟାଳୟ ସର୍ଭେ ଉପରେ ରୋକ ଲଗାଇଥିବାବେଳେ ଆହ୍ଲାବାଦ କୋର୍ଟ ପ୍ରଥମେ ୨୬ ଓ ପରବର୍ତ୍ତୀ ସମୟରେ ଆଜି ଯାଏ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅକ୍ଟୋବରରୁ ମହଙ୍ଗା ହେବ ଅନଲାଇନ ଗେମ୍, ଆଦାୟ ହେବ ୨୮ ପ୍ରତିଶତ ଜିଏସଟି
ନୂଆଦିଲ୍ଲୀ: ଅନଲାଇନ୍ ଗେମିଂ, କ୍ୟାସିନୋ ଓ ଘୋଡ଼ାଚଢ଼ା ଭଳି କ୍ରୀଡ଼ା ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବ । ଜିଏସଟି ପରିଷଦର ୫୧ ତମ ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ଅକ୍ଟୋବର ୧ରୁ ଲାଗୁ ହେବ । ଏହା କାର୍ଯ୍ୟକାରୀ ହେବାର ୬ ମାସ ପରେ ଏହାର ସମୀକ୍ଷା କରାଯିବ । ଦୀର୍ଘ ୩ ବର୍ଷର ଆଲୋଚନା ପରେ ୨୮ ପ୍ରତିଶତ ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଜିଏସଟି କାଉନସିଲ ଅନଲାଇନ୍ ଗେମିଂ ଉପରେ ଟିକସ ଲଗାଇବା ପାଇଁ ଆବଶ୍ୟକ ସଂଶୋଧନ ଉପରେ ଆଲୋଚନା କରିଛି । ଜିଏସଟି କାଉନସିଲ ବୈଠକରେ ଦିଲ୍ଲୀ, ଗୋଆ ଏବଂ ସିକ୍କିମ ଅନଲାଇନ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରିଥିଲେ । ଗେମିଂ କମ୍ପାନିମାନେ ବି ଏହାକୁ ବିରୋଧ କରିଥିଲେ । କିନ୍ତୁ ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ବିହାର ସମେତ ଅନ୍ୟାନ୍ୟ ରାଜ୍ୟ ୨୮ ପ୍ରତିଶତ ଟିକସ ସପକ୍ଷରେ ଅଛନ୍ତି ଏବଂ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଚାହୁଁଛନ୍ତି ।
ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି ନକଲି ବିଶ୍ବବିଦ୍ୟାଳୟ
ନୂଆଦିଲ୍ଲୀ: ନକଲି ବିଶ୍ଵବିଦ୍ୟାଳୟ ନେଇ ସତର୍କ କରାଇଲା ୟୁଜିସି । ଓଡ଼ିଶାରେ ନାହିଁ, ଦେଶରେ ରହିଛି ୨୦ଟି ନକଲି ବିଶ୍ବବିଦ୍ୟାଳୟ । କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସତର୍କ ରହିବାକୁ ନୋଟିସ ଜାରି କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି । ଓଡ଼ିଶାରେ କୌଣସି ନକଲି ଶିକ୍ଷାନୁଷ୍ଠାନ ନଥିବାବେଳେ ଦେଶରେ ୨୦ଟି ନକଲି ବିଶ୍ଵବିଦ୍ୟାଳୟ ରହିଥିବା ୟୁଜିସି ପ୍ରକାଶ କରିଛି । ଏହି ବିଶ୍ବବିଦ୍ୟାଳୟ ଗୁଡିକ ପାଖରେ ଡିଗ୍ରୀ ସାର୍ଟିଫିକେଟ ଦେବାକୁ କୌଣସି ଯୋଗ୍ୟତା ନାହିଁ । ଦିଲ୍ଲୀରେ ସର୍ବାଧିକ ୮ଟି ନକଲି ବିଶ୍ବବିଦ୍ୟାଳୟ ଥିବା ବେଳେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ୨ଟି ଲେଖାଏଁ ବିଶ୍ବବିଦ୍ୟାଳୟ ରହିଛି । ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି । ସାର୍ଟିଫିକେଟ ଦେବା ପାଇଁ ସ୍ବତନ୍ତ୍ର ଅଧିନିୟମ ବଳରେ ବିଶ୍ବବିଦ୍ୟାଳୟ ମାନଙ୍କୁ ସାର୍ଟିଫିକେଟ ଦେବାକୁ କ୍ଷମତା ମିଳିଥାଏ । ଏହି ଅଧିନିୟମ ଦ୍ବାରା କ୍ଷମତା ପ୍ରାପ୍ତ ନଥିବା ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ବବିଦ୍ୟାଳୟ କହିପାରିବେ ନାହିଁ ।

