ବେଦବ୍ୟାସ ପୀଠ ପାଇଁ ପୁଣି ୧୪କୋଟି ୫୦ଲକ୍ଷ ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

1 min read

ରାଉରକେଲା : ଧାର୍ମିକ ପୀଠର ବିକାଶ ପାଇଁ ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର । ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ଅନୁମୋଦିତ ହୋଇଛି ଆଉ ୧୪ କୋଟି ୫୦ ଲକ୍ଷ ଟଙ୍କା । ପୀଠର ବିକାଶ ଜାରି ରହିଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥରାଶି ଦେଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ  ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଗତ ଜାନୁଆରୀ ୧୪ ତାରିଖରେ ବେଦବ୍ୟାସ ମନ୍ଦିର ଗସ୍ତ କରି ବିକାଶ ପାଇଁ ସ୍ଥିତି ଅନୁଧ୍ୟାନ କରିଥିଲେ । ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଆଉ କଣ ଆବଶ୍ୟକ ଅଛି ସେନେଇ ଆଲୋଚନା କରିଥିଲେ  । ଏ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ  । ରିପୋର୍ଟ ଆଧାରରେ ପୁଣି ଟଙ୍କା ମଞ୍ଜୁର କରାଯାଇଛି  ।

ଏହି ଅର୍ଥରାଶିରେ ବେଦବ୍ୟାସ ତୀର୍ଥସ୍ଥାନ ପରିସରରେ ଥିବା ବିଭିନ୍ନ ମନ୍ଦିରର ଉନ୍ନତିକରଣ ସହ ନୂତନ ମନ୍ଦିର ନିର୍ମାଣ କରାଯିବ । ଏହାଛଡ଼ା ପୀଠର ବିଦ୍ୟୁତକରଣ, ଆଲୋକୀକରଣ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ବିକାଶ କରାଯିବ  । ତ୍ରିବେଣୀ ସଙ୍ଗମ ଭାଵେ ପରିଚିତ ବେଦବ୍ୟାସ ତୀର୍ଥସ୍ଥଳୀର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ସଵୁ ମହଲରେ ସ୍ଵାଗତ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଉରକେଲାବାସୀ  ।