spot_img
Home Blog Page 2901

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଖଡଗେଙ୍କ ଆକ୍ରମଣ, ଆରବର୍ଷ ଘରେ ଉଡ଼ାଇବେ ତ୍ରିରଙ୍ଗା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସରେ  ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ପୁଣି ଜୋର ଧରିଲା ରାଜନୀତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆଗାମୀ ବର୍ଷକୁ ପୁଣି ତ୍ରିରଙ୍ଗା ଉଡାଇବି’ ଉକ୍ତିକୁ ନେଇ ଭିନ୍ନ ମତ ଦେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଗଡେ । ସେ ତାଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ, ‘ଆସନ୍ତା ବର୍ଷ ମୋଦୀ ତାଙ୍କ ଘରେ ପତାକା ଉତ୍ତୋଳନ କରିବେ। ଆଜି ବି ସେମାନେ ଅହଂକାର ପ୍ରଦର୍ଶନ କରୁଛନ୍ତି, ତାହାଲେ ସେ ଦେଶ କିପରି ଗଢିବେ।’

ବାସ୍ତବରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କଠାରୁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ କହିଥିଲେ, ଯେତେବେଳେ ଦେଶ ୨୦୪୭ ମସିହାରେ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ସେତେବେଳେ ଆମ ଦେଶର ତ୍ରିରଙ୍ଗା ବିଶ୍ୱର ଏକ ବିକଶିତ ଦେଶର ପରିଚୟ ନେଇ ଫରଫର ଉଡିବ | ଏଥିପାଇଁ ସେ ଆସନ୍ତା ୫ ବର୍ଷକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ଏବଂ ସେ ଦୃଢ ବିଶ୍ୱାସର ସହ ଲାଲକିଲ୍ଲାରେ ୨୦୨୪ରେ ବି  ଜାତୀୟ ପତାକା ଉଠାଇବେ ବୋଲି କହିଥିଲେ।

ଅନ୍ୟପକ୍ଷରେ ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବ ମଧ୍ୟ ଖଡ଼ଗେଙ୍କ କଥାକୁ ଦୋହରାଇଛନ୍ତି। ଆଉ କହିଛନ୍ତି ଯେ ଆଗାମୀ ବର୍ଷ ପ୍ରଧାନମନ୍ତ୍ରୀ ମୋଦି ପତାକା ଉତ୍ତୋଳନ କରିବେ ନାହିଁ। ଏହା ହିଁ ତାଙ୍କର ଅନ୍ତିମ ଉତ୍ତୋଳନ ଅଟେ । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟ ଆମେ କରିବୁ  ।

ସେପଟେ  ଲାଲକିଲ୍ଲାର ସ୍ୱାଧୀନତା ଦିବସର କାର୍ଯ୍ୟକ୍ରମରେ ସାମିଲ ହେବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୂ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା  । ହେଲେ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ ଏବଂ ତାଙ୍କ ପାଇଁ ନିର୍ଦ୍ଧାରିତ ଥିବା ଖାଲି ଥିବା ଦେଖିବାକୁ ମିଳିଥିଲା । ଏ ନେଇ କଂଗ୍ରେସ ପକ୍ଷରୁ ବୟାନ ଜାରି କରାଯାଇଛି ।

ସେ କହିଛନ୍ତି କି, ତାଙ୍କୁ ନିଜ ଘରେ ଏବଂ ପରେ କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇବାର ଥିଲା । ଏଥିପାଇଁ ସେ ଲାଲକିଲ୍ଲାରେ ହୋଇଥିବା ସମାରୋହରେ ସାମିଲ ହୋଇପାରି ନଥିଲେ । ଯଦି ସେ ଲାଲକିଲ୍ଲାରେ ଅନୁଷ୍ଠିତ ସମାରୋହରେ ସାମିଲ ହୋଇଥାନ୍ତେ ତେବେ ଘରେ ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିପାରିନଥାନ୍ତେ । ସୁରକ୍ଷା କାରଣରୁ ସେ ଲାଲକିଲ୍ଲାରୁ ଶୀଘ୍ର ବାହାରିପାରିନଥାନ୍ତେ । ସେଠାରେ ଅତିକମରେ ୨ ଘଣ୍ଟା ରହିବାକୁ ପଡ଼ିଥାନ୍ତା । ସେ ଆହୁରି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ଭବନରେ ସେ ସନ୍ଧ୍ୟାବେଳେ ଉପସ୍ଥିତ ରହିବେ ।

 

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମିଳିଲା ଭାରତର ନାଗରିକତା

ନୂଆଦିଲ୍ଲୀ : ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମିଳିଲା ଭାରତର ନାଗରିକତା । ୭୭ତମ ସ୍ୱାଧୀନତା ଦିବସ ଆବସରରେ ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର  । ଖିଲାଡି କୁମାରଙ୍କୁ  ଭାରତର ପାସପୋର୍ଟ ମିଳିଛି,  ଏହି ଖୁସି ଖବରକୁ ସେ ନିଜ ଟ୍ୱିଟ୍ ଜରିଆରେ ନିଜ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି କି,  ହୃଦୟ ଓ ନାଗରିକତା ଉଭୟ ହିନ୍ଦୁସ୍ତାନୀ ।

ପ୍ରଥମେ ଅକ୍ଷୟଙ୍କ ପାଖରେ କେବଳ କାନାଡାର ନାଗରିକତା ଥିଲା । ଏବେ ସେ ଭାରତର ନାଗରିକତା ହାସଲ କରି ବହୁତ ଖୁସି  ।  ଏନେଇ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ତାଙ୍କୁ ଅଭିନନ୍ଦନ ଜାଣାଉଛନ୍ତି  ।

ସୂଚନା ଅନୁଯାୟୀ, ଅନେକ ଦିନ ଧରି  ଅକ୍ଷୟକୁମାର ଭାରତର ନାଗରିକତା ପାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ । କାରଣ ତାଙ୍କର ଭାରତର ନାଗରିକତା ନଥିଲା, ଯାହା ଦ୍ୱାରା ତାଙ୍କୁ ବହୁ ସମାଲୋଚନାର ସାମ୍ନା କରିବାକୁ ପଡୁଥିଲା । ସୋସିଆଲ ମିଡିଆରେ ଅକ୍ଷୟଙ୍କୁ କାନାଡ଼ା କୁମାରର ଟ୍ୟାଗ୍ କରି ଟ୍ରୋଲ୍ ମଧ୍ୟ କରୁଥିଲେ । ଲୋକମାନେ ତାଙ୍କୁ କହୁଥିଲେ କି, ଆପଣ ଯେଉଁ ଦେଶରେ କାମ କରୁଛନ୍ତି,ସେ ଦେଶର ନାଗରିତା ନାହିଁ ।  ଏପରି ନାଗରିକତା ବିବାଦକୁ ନେଇ ପ୍ରଶ୍ନରେ ସେ କେବଳ ଉତ୍ତରରେ ସେ କହୁଥିଲେ କି, ମୋ ହୃଦୟ ହିନ୍ଦୁସ୍ତାନୀ ।

 

ନୂଆପଡ଼ାର ୩ଟି ସ୍ଥାନର ବିକାଶ ପାଇଁ ମିଳିଲା ୧୫ କୋଟି ଟଙ୍କା

ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନର ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ ମିଳିଲା ୧୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁଦାନ ମଞ୍ଜୁର କରିଛନ୍ତି । କୋମନା ବ୍ଲକ ସୁନବେଡ଼ାରେ ଥିବା ମାଆ ସୁନାଦେଈଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଅଢ଼େଇ କୋଟି, ନୂଆପଡା ବ୍ଲକ ପତୋରାର ଯୋଗେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ପାଞ୍ଚ କୋଟି ଓ ବୋଡ଼େନ ବ୍ଲକ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।

ଗତ ମେ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ନୂଆପଡା ଜିଲ୍ଲା ଗସ୍ତରେ ଆସି ଏହି ୩ଟି ପ୍ରମୁଖ ସ୍ଥଳୀକୁ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କଠାରୁ ଦାବି ପତ୍ର ଗ୍ରହଣ କରିଥିଲେ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଶୀଘ୍ର କାମ ଆରମ୍ଭ ହେବ ବୋଲି ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି।

ଇତିହାସ ଓ ଟେକ୍ନୋଲୋଜିର ଅଦ୍ଭୁତ ମିଳନ : ମହାନାୟକ ଗାଇଲେ ଜନ- ଗଣ- ମନ

ନୂଆଦିଲ୍ଲୀ : ମହାନାୟକଙ୍କ ମୁହଁରେ ଜାତୀୟ ସଙ୍ଗୀତ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଇତିହାସ ଟେକ୍ନୋଲୋଜୀର ଅଦ୍ଭୁତପୂର୍ବ ମିଳନ । ସ୍ବାଧୀନତା ଦିବସରେ ସ୍ବାଧୀନତା ସଂଗ୍ରାମୀ ମହାନ ନାୟକଙ୍କୁ ନେଇ AI ଏକ ସ୍ବତନ୍ତ୍ର ଭିଡିଓ ପ୍ରସ୍ତୁତ କରିଛି । ଏଥିରେ ମହାତ୍ମା ଗାନ୍ଧୀ, ନେହେରୁ, ସୁଭାଷ ବୋଷ, ଆମ୍ବେଦକର, ସରୋଜିନୀ ନାଇଡୁ, ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ପ୍ରମୁଖ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ରବୀନ୍ଦ୍ର ନାଥ ଟାଗୋର ମଧ୍ୟ AI ସ୍ବତନ୍ତ୍ର ଏହି ଭିଡିଓରେ ଜନ ଗଣ ମନ ଗାନ କରୁଛନ୍ତି । ଦେଶ ପାଇଁ ଅନେକ ବଳିଦାନ ଦେଇଥିବା ରାଷ୍ଟ୍ରନାୟକଙ୍କ ମୁହଁରେ ଏହି ଜାତୀୟ ସଙ୍ଗୀତ ବେଶ ଜୀବନ୍ତ ଲାଗୁଛି ।

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ୱର : ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । ବିଜେଡି ଉପସଭାପତି ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଯୁବ ଏବଂ ଛାତ୍ର ନେତାମାନେ ଉପସ୍ଥିତ ଥିଲେ । ସମସ୍ତେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ ।

ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ଫର ଫର ଉଡିଲା ତ୍ରିରଙ୍ଗା

ଭୁବନେଶ୍ୱର : ନନ୍ଦିଘୋଷ ଟିଭି କାର୍ଯ୍ୟାଳୟରେ ମଧ୍ୟ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ସମସ୍ତ କର୍ମଚାରୀ ସମବେତ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତ ମାତାର ବନ୍ଦନା କରିଥିଲେ ।  ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ ସିଓଓ ଜବର ସିଂ ପନଓ୍ୱର ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ  । ଏହି ଉତ୍ସବରେ ସକାଳର ସିଇଓ ସୁବ୍ରତ ଦାସ, ସକାଳର ବ୍ୟୁରୋ ଚିଫ୍ ରଞ୍ଜିତ ମହାନ୍ତି, ନନ୍ଦିଘୋଷ ଟିଭି ଆଉଟପୁଟ୍ ଏଡିଟର ରଙ୍ଗାଧର ପଣ୍ଡା, ଆକାଉଣ୍ଟ ବିଭାଗ ମୁଖ୍ୟ ମାନସ ଦାସ, ବିଜ୍ଞାପନ ବିଭାଗର ମୁଖ୍ୟ ପବିତ୍ର ବେହେରା, ମାନବ ସମ୍ବଳ ବିଭାଗର ଡିଜିଏମ ଜିଷ୍ଣୁ ମହାନ୍ତି, କରେଣ୍ଟ ଆଫେୟାର ମୁଖ୍ୟ ଶରତ ମହାପାତ୍ର, ପ୍ରଡକ୍ସନ ହେଡ୍ ଆଲୋକ ମହାପାତ୍ରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ ।

ସେହିପରି ଆଇଆରସି ଭିଲେଜରେ ଥିବା ଦୈନିକ ସକାଳ କାର୍ଯ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳନ ହୋଇଛି । ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ବ୍ୟୁରୋ ଚିଫ୍ ରଞ୍ଜିତ ମହାନ୍ତି, ମାନବ ସମ୍ବଳ ବିଭାଗର ଡିଜିଏମ ଜିଷ୍ଣୁ ମହାନ୍ତିଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ ସହ ଭାରତ ମାତାଙ୍କ ଜୟଗାନ କରିଥିଲେ ।

ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ : କହିଲେ,ସବୁ ବର୍ଗର ଲୋକଙ୍କୁ ନେଇ ଆଗକୁ ବଢୁଛି ଓଡ଼ିଶା

ଭୁବନେଶ୍ୱର : ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏବଂ ରାଜ୍ୟବାସୀଙ୍କୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି  ।ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାଏକ, ଶହୀଦ ବିର୍ସା ମୁଣ୍ଡା, ବୀର ସୁରେନ୍ଦ୍ର ସାଏ, ବକ୍‌ସି ଜଗବନ୍ଧୁ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯବାନ ମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  ।

ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱ ଇତିହାସରେ ଏକ ନୂଆ ଯୁଗ ଆରମ୍ଭ କରିଥିଲା । ଏ ସଂଗ୍ରାମ ସମସ୍ତଙ୍କ ପାଇଁ  ପ୍ରେରଣା ଥିଲା।  ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ ସ୍ପେଶ୍ ରିସର୍ଚ୍ଚ କ୍ଷେତ୍ରରେ ଭାରତର  ଗୌରବ ବୃଦ୍ଧି କରିଛି ।

ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିପ୍ରସ୍ତର ସ୍ଥାପନ ଆଦି ବିକାଶର ସବୁ କ୍ଷେତ୍ରରେ 5-T ଆଧାରରେ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ- ଧନୀ, ଗରିବ ତଥା ମଧ୍ୟବିତ୍ତ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି। ଓଡିଶାର ଅର୍ଥନୀତି ମଜବୁତ ହେଉଛି, ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗରିବ ଲୋକର କଲ୍ୟାଣ ମୋ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଚାଷୀ, ଶ୍ରମିକ ତଥା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ କଲ୍ୟାଣ ପାଇଁ ମୋ ସରକାର କାମ କରୁଛି । ନିକଟରେ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଆଉ ୫୦ଟି ଗୋଷ୍ଠୀର ଶ୍ରମିକମାନଙ୍କୁ ଏବେ କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ମଧୁବାବୁ ପେନ୍ସନ୍ ଯୋଜନାରେ ମଧ୍ୟ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଗଲା । ଓଡିଶାର ବିକାଶରେ ସମସ୍ତଙ୍କର ଭାଗୀଦାର ଅଛି, ଅଧିକାର ଅଛି । ସମସ୍ତଙ୍କୁ ସାଥୀରେ ନେଇ ଆମେ ଆଗକୁ ବଢୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମା’ମାନେ ହେଉଛନ୍ତି ଆମର ବିକାଶର ପ୍ରତିଛବି । ମା’ମାନଙ୍କ ସଶକ୍ତିକରଣ ଓଡିଶାର ସଶକ୍ତିକରଣ । ମିଶନ ଶକ୍ତି ଆଜି ମା’ମାନଙ୍କ ରୂପାନ୍ତରଣର ଇଂଜିନ୍ ହୋଇଛି । ସେମାନେ ଏବେ ବିକାଶର ପରବର୍ତ୍ତୀ ସ୍ତରରେ ପହଞ୍ଚିଛନ୍ତି । ଉଦ୍ୟୋଗୀ ହେବା ରାସ୍ତାରେ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେ ହିଁ ଏକ ସମୃଦ୍ଧ ଓଡିଶା, ଏକ ନୂଆ ଓଡିଶାର ଆଧାର ହୋଇଛନ୍ତି । ମୋ ଓଡିଶା ଏବେ ସବୁ କ୍ଷେତ୍ରରେ ଦେଶ ପାଇଁ ଆଦର୍ଶ ହୋଇଛି ।

ବିପର୍ଯ୍ୟୟ ପରିଚାଳନା ହେଉ ବା ମହିଳା ସଶକ୍ତିକରଣ, ସ୍ଵାସ୍ଥ୍ୟସେବା ହେଉ ବା ଶିକ୍ଷା, ଭିତ୍ତିଭୂମି, ସବୁ କ୍ଷେତ୍ରରେ ମୋ ଓଡିଶା ଏବେ ମଡ଼େଲ ହୋଇଛି । ଆମର ପ୍ରତି ଗାଁ, ପ୍ରତି ପଞ୍ଚାୟତ ଓଡିଆ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ସବୁଠାରୁ ବଡ ପରିଚୟ । ମହାପ୍ରଭୁ ହିଁ ଆମ ସଂସ୍କୃତିର କେନ୍ଦ୍ରବିନ୍ଦୁ । ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରସାର ସହ ପ୍ରତି ଗାଁରେ ଏକ ଆକାଂକ୍ଷୀ ଓଡ଼ିଶାର ଭିତ୍ତି ପକାଇବା ପାଇଁ ଆମେ ଚାରି ହଜାର କୋଟି ଟଙ୍କାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ମୋ ଓଡିଶା ଏକ ନୂଆ ଓଡିଶା, ସଶକ୍ତ ଓଡ଼ିଶା ହେବା ରାସ୍ତାରେ ଆଗକୁ ବଢୁଛି । ତେଣୁ ରୂପାନ୍ତରର ଏ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଓ ବିସ୍ତୃତି; ୪ ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ସ୍ବାଭାବିକ ଅବସ୍ଥାକୁ ଫେରିବ ମୌସୁମୀ । ବାଂଲାଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଦିଗରୁ ତାର ସ୍ବାଭାବିକ ଅବସ୍ଥାନକୁ ଫେରିବ ମୌସୁମୀ ନିମ୍ନ ଚାପରେଖା । ମୌସୁମୀ ସକ୍ରିୟ ହେବା ସହ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆଜିଠାରୁ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକ୍ରିୟ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ।

ଆଜି ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ୧୬ ଏବଂ ୧୭ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ପ୍ରଭାବ ପଡିବ ।

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହ, ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାରା ଓଡ଼ିଶା ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଅଭିଭାଷଣ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ । ଶହୀନ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଲେ ।

ଏବଂ ନିଜର ଅଭିଭାଷଣ ଜଣାଇଛନ୍ତି ସ୍ବାଧୀନତା ଦିବସ ଅବସରରେ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ୱାଧୀନତା ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା । ଭାରତ ଏକ ପ୍ରମୁଖ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଅଗ୍ରଗତି କରିଛି । ଓଡ଼ିଶାର ଅର୍ଥନୀତି ମଜଭୁତ ହୋଇଛି, କୋଟି କୋଟି ଟଙ୍କାର ପୁଞ୍ଜି ଆସୁଛି ।  ମଧୁବାବୁ ପେନସହ ଯୋଜନାରେ ଆଉ ୪ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ ହୋଇଛନ୍ତି । ଆଜିଠାରୁ ନୂଆ ହିତାଧିକାରୀଙ୍କୁ ପେନସନ ପ୍ରଦାଦ କରାଯିବ  ।  BSKY ସଫଳତାର ସହ ସେବା ଯୋଗାଉଛି । ଚାଷୀ ଆମର ଗୌରବ, ସେମାନଙ୍କର ସ୍ୱାର୍ଥର ସୁରକ୍ଷା ଆମର ଫୋକସ । ପ୍ରତିବର୍ଷ ୧ଲକ୍ଷ ଯୁବକଙ୍କୁ ନୂଆ ଓଡ଼ିଶା ଯୋଜନାରେ ତାଲିମ ଦିଆଯିବ  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ସୁରକ୍ଷା ଦାୟିତ୍ୱରେ ରହିଥିଲେ ୧୫ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର । ସେହିପରି ଡଗ୍‌ସ୍କ୍ବାର୍ଡ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌-କ୍ୟାଚର୍‌ ଟିମ୍‌ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ସମାରୋହ ପାଇଁ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦର୍ଶନୀ ପଡିଆ ଏବଂ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରି ଦିଆଯାଇଥିଲା । ଏହାସହ ପରେଡ଼ ସ୍ଥଳକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନିୟନ୍ତ୍ରଣକୁ ନିଆଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଉଛି ।

ଆଜି ୭୭ ତମ ସ୍ବାଧୀନତା ଦିବସ : ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ଦିଲ୍ଲୀ ଲାଲକିଲ୍ଲାରେ ଧ୍ବଜା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପତାକା ଉତ୍ତୋଳନ ପରେ ୧୪୦ କୋଟି ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଅଭିଭାଷଣ ରଖିଥିଲେ । ସମ୍ବୋଧନରେ ବିକଶିତ ରାଷ୍ଟ୍ରର ବ୍ଲୁପ୍ରିଣ୍ଟ ରଖିଛନ୍ତି ପିଏମ୍ । ୨୦୪୭ରେ ଦେଶ ଶହେ ତମ ସ୍ବାଧୀନତା ଦିବସ ପାଳିବ । ସେତେବେଳେ ତ୍ରିରଙ୍ଗା ଦୁନିଆର ଏକ ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହେଉଥିବ । ଆଗାମୀ ୫ବର୍ଷରେ ଭାରତ ବିଶ୍ବର ତୃତୀୟ ସବୁଠୁ ବଡ଼ ଅର୍ଥନୈତିକ ରାଷ୍ଟ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଘର ଛାଡ଼ି ସହରରେ ଭଡ଼ାରେ ରହୁଥିବା ଲୋକଙ୍କୁ ବ୍ୟାଙ୍କ ଲୋନ ସୁବିଧା ସହଜରେ ମିଳିପାରିବ ।

ସାରାଦେଶରେ ୨୫ହଜାର ଜନଔଷଧୀ କେନ୍ଦ୍ର ଖୋଲାଯିବ । ୧୭ ସେପ୍ଟେମ୍ବରରୁ ବିଶ୍ବକର୍ମା ଯୋଜନା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ବପ୍ନ ଅନେକ ଓ ସ୍ପଷ୍ଟ ନୀତି ଯୋଗୁ ଦେଶକୁ ଅନେକ ଉପଲବ୍ଧୀ ମିଳିଛି । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଭାଷଣରେ ଉଲ୍ଲେଖ କରିଥିଲେ । ମଣିପୁରକୁ ଶାନ୍ତି ଫେରାଇବା ପାଇଁ ଲଗାତାର ଚେଷ୍ଟା ଜାରି ରହିଛି । ଡେମୋଗ୍ରାଫି, ଡେମୋକ୍ରାସି ଓ ଡାଇଭରସିଟି ଆଧାରରେ ଦେଶର ସ୍ବପ୍ନ ପୂରଣ କରାଯିବ ବୋଲି ମୋଦି କହିଛନ୍ତି ।

ରାଜନୀତିକୁ ପରିବାରବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣ ମୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ । ଲାଲକିଲ୍ଲାରେ ପତାକା ଉତ୍ତୋଳନ ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ବେଳେ ସାମିଲ ହେଲେନି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । AICC ହେଡକ୍ବାର୍ଟର୍ସରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଥିବାରୁ ଖଡଗେ ସାମିଲ ହୋଇ ନଥିବା ଜଣାପଡ଼ିଛି । ।

https://www.youtube.com/watch?v=Zn6KZwFyO7U