ଆଜି ଆଉ ୨ ଜିଲ୍ଲାରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା

ପୁରୀ : ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଭଦ୍ରକରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଆଉ ଦୁଇ ଜିଲ୍ଲାର ଗାଁ ଗାଁରେ ବିକାଶର ନୂଆ ଅଧ୍ୟାୟ ଲେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ଓ ନୟାଗଡ଼ରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା । ପୁରୀ ଜିଲ୍ଲାରେ ୧୩୪ କୋଟି ଟଙ୍କାରେ ୪ ହଜାର ୧୩୦ଟି ପ୍ରକଳ୍ପ ଏବଂ ନୟାଗଡ଼ ଜିଲ୍ଲାରେ ୯୬ କୋଟି ଟଙ୍କାରେ ୨ହଜାର ୯୨୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ମାଧ୍ୟମରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟରେ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ । ନବୀନ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଦ୍ବାରା ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି ।