ମହିଳାଙ୍କ ଅନୁରୋଧ ଶୁଣି ଛାଡ଼ପତ୍ର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ :  ‘ମୁଁ ବିବାହିତା । ଛାଡପତ୍ର ପାଇଥିବା ମହିଳା ଭାବେ ମରିପାରିବି ନାହିଁ । ଏହି ଇଚ୍ଛା ପୂରଣ ହେଉ ।’ ଛାଡ଼ପତ୍ର ପାଇବାକୁ ଯାଉଥିବା ଜଣେ ୮୨ ବର୍ଷୀୟ ମହିଳାଙ୍କ ଏହି ସ୍ପର୍ଶକାତର ଅନୁରୋଧକୁ ସହୃଦୟତାର ସହ ବିଚାର କରିଛନ୍ତି ସୁପ୍ରିମକୋର୍ଟ । ବୃଦ୍ଧାଙ୍କ ଅନୁରୋଧ ରକ୍ଷା କରି ତାଙ୍କର ୮୯ ବର୍ଷ ବୟସ୍କ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ରଦ୍ଦ କରିଛନ୍ତି ।

ବୈବାହିକ ବନ୍ଧନ ତୁଟାଇବା ଲାଗି ସ୍ବାମୀ କରିଥିବା ଆବେଦନ ବିରୋଧରେ ସୁପ୍ରିମକୋର୍ଟ ମହିଳାଙ୍କ ଅନୁରୋଧକୁ ସ୍ବୀକୃତି ଦେଇଛନ୍ତି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଳା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ସ୍ବାମୀଙ୍କୁ ଆବେଦନକୁ ରଦ୍ଦ କରିପାରିବେ ବୋଲି ଦର୍ଶାଇଛନ୍ତି ଖଣ୍ଡପୀଠ । ୨୪ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ କହିଛନ୍ତି- ଛାଡପତ୍ର ପ୍ରସଙ୍ଗରେ ଅନେକ ଆବେଦନ ହେଉଥିବା ସତ୍ତ୍ବେ ବିବାହ ପରି ଏକ ପ୍ରତିଷ୍ଠାନ ସର୍ବଦା ପବିତ୍ର, ଆଧ୍ୟାତ୍ମିକ ମୂଲ୍ୟବୋଧ ସମ୍ପନ୍ନ ଓ ଅମୂଲ୍ୟ । ଭାରତୀୟ ସମାଜରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ବିବାହ ଏକ ଭାବଗତ ବନ୍ଧନ ।

କୋର୍ଟ କହିଛନ୍ତି, ସ୍ବାମୀଙ୍କ ସେବା କରିବା ଲାଗି ସେ ସର୍ବଦା ପ୍ରସ୍ତୁତ ଏବଂ ତାଙ୍କୁ ସେ ଛାଡି ରହିପାରିବେ ନାହିଁ । ଜଣେ ଛାଡପତ୍ର ପାଇଥିବା ମହିଳାଙ୍କ ପରି ସେ ମରିପାରିବେ ନାହିଁ ବୋଲି ମହିଳା ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ବିଚାର କରିଛନ୍ତି । ସାମ୍ପ୍ରତିକ ସମାଜରେ ଛାଡପତ୍ର ସମସ୍ୟା ଥିଲେ ବି ସ୍ତ୍ରୀଙ୍କ ବାବନାକୁ ଗୁରୁତ୍ବ ଦେବା ଆବଶ୍ୟକ।

୧୯୬୩ରେ ଏହି ଦମ୍ପତିଙ୍କ ବିବାହ ହୋଇଥିବାବେଳେ ସେମାନଙ୍କ ୩ଟି ସନ୍ତାନ ରହିଛନ୍ତି । ସ୍ବାମୀ ଭାରତୀୟ ସେନାର ଜଣେ ପୂର୍ବତନ କର୍ମଚାରୀ ଥିବାବେଳେ ତାଙ୍କ ପାଖରେ ନରହି ନିଜ ଶାଶୂ ଓ ଶଶୁରଙ୍କ ନିକଟରେ ରହିବା ଲାଗି ମହିଳା ଚାହିଁଥିବାରୁ ଏହାକୁ ନେଇ ଛାଡପତ୍ର ପ୍ରସଙ୍ଗ ଉଠିଥିଲା । ଛାଡପତ୍ର ଲାଗି ପ୍ରଥମେ ପଞ୍ଜାବର ଏକ ଜିଲ୍ଲାକୋର୍ଟ ସ୍ବାମୀଙ୍କୁ ଅନୁମତି ଦେଇଥିଲେ । ମାତ୍ର ଏହି ରାୟକୁ ଅଗ୍ରାହ୍ୟ କରିଥିଲେ ପଞ୍ଜାବ ଓ ହରିଣାଣା ହାଇକୋର୍ଟ । ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ବାମୀ ।