ଭଦ୍ରକ: ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଭାସୁଛନ୍ତି ବଡ଼ବଡ଼ ମାଛ । ଗୋଟିଏ ଗୋଟିଏ ମାଛର ଓଜନ ୫ରୁ ୬କିଲୋଗ୍ରାମ । ଭାସୁଥିବା ମାଛକୁ ଧରିନେଉଛନ୍ତି ସ୍ଥାନୀୟ ଲୋକ । କେହି ଦୁର୍ବୁତ୍ତ ପୋଖରୀରେ ବିଷ ପକାଇବା ବା ଚିଙ୍ଗୁଡ଼ିଘେରିରର ରସାୟନିକ ପାଣି ଜୁଆର ସମୟରେ ପ୍ରବେଶ କରି ଏଭଳି ହୋଇଥିବା ଆଶଙ୍କା କରାଯାଉଛି । ବିଷକ୍ରିୟା ଯୋଗୁ ମାଛ ଗୁଡ଼ିକ ସଜ୍ଞାହୀନ ହୋଇ ଭାସୁଥିବା ଜଣାପଡ଼ିଛି । ଏନେଇ ଆରଡି ଫାଣ୍ଡିରେ ଅଭିଯୋଗ କରିଛି ମନ୍ଦିର ପ୍ରଶାସନ । ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ମାଛ ଧରିବାକୁ ବାରଣ କରାଯାଇଛି ।
ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର
ମାଲକାନଗିରି: ମାଲକାନଗିରିରେ ଡ୍ରଗ୍ସ ରାକେଟ୍ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ପ୍ରଥମେ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଅଧିକ ପଚରାଉଚରା କରିବାପରେ ସେମାନେ ଡ୍ରଗ୍ସ କାରବାରରେ ମଧ୍ୟ ସଂପୃକ୍ତ ଥିବା ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ନିକଟରୁ ୧ ଦଶମିକ ୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୫ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବାବେଳେ ଜଣେ ମାଲକାନଗିରିର ହୋଇଥିବା ସୂଚନା ମିଳିଛି । ଦୁଇଟି କାର ସହିତ ନଗଦ ୧ଲକ୍ଷ ୪୬ହଜାର ଟଙ୍କା ଜବତ ପୋଲିସ ତଦନ୍ତ ଜାରି ରଖିଛି । କେଉଁକେଉଁ ଅଞ୍ଚଳରେ ଅଭିଯୁକ୍ତମାନେ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଚଳାଇଥିଲେ ସେନେଇ ଅଧିକ ତଦନ୍ତ କରାଯାଉଛି । ରାଜ୍ୟ ବାହାରର ଅଭିଯୁକ୍ତ ଏଥିରେ ସଂପୃକ୍ତ ଥିବାରୁ ଏକ ଆନ୍ତଃରାଜ୍ୟ ରାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି ।
ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ହେଲା ବାଧ୍ୟତାମୂଳକ । ଏହା ସହ ବଲ୍କ କନେକସନ ଲାଗି ରହିଥିବା ବ୍ୟବସ୍ଥା ହୋଇଛି ଉଚ୍ଛେଦ । ନିୟମ ଉଲ୍ଲଂଘନ କରୁଥିବ ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମନା ଲାଗିବ ।
ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି- ପଏଣ୍ଟ-ଅଫ-ସେଲ ଡିଲରଙ୍କ ଲାଗି ପଞ୍ଜିକରଣ ହୋଇଛି ବାଧ୍ୟତାମୂଳକ । କେନ୍ଦ୍ର ସରକାର ୫୨ ଲକ୍ଷ ମୋବାଇଲ କନେକ୍ସନକୁ ଡିସକନେକ୍ଟ କରିଛନ୍ତି ।
ଦେଶର ୬୭ ହଜାର ଡିଲରଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ଗତ ମେ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସିମ୍ କାର୍ଡ ହୋଲଡରମାନଙ୍କ ବିରୋଧରେ ୩ ଶହ ଏଫଆଇଆର ରୁଜୁ କରାଯାଇଛି । ବିଭିନ୍ନ ଜାଲିଆତି କାର୍ଯ୍ୟକଳାପରେ ଜଡିତ ଥିବା ୬୬ ହଜାର ଆକାଉଣ୍ଟକୁ ହ୍ବାଟ୍ସଆପ ବ୍ଲକ କରିଛି । ମନ୍ତ୍ରୀ କହିଛନ୍ତି- ୧୦ ଲକ୍ଷ ସିମ୍ ଡିଲର ଅଛନ୍ତି ଏବଂ ପୋଲିସ ଯାଞ୍ଚ ଲାଗି ସେମାନଙ୍କୁ ଅଧିକ ସମୟ ଦିଆଯାଇଛି । ଏହା ସହ ସିମ୍ ହସ୍ତାନ୍ତର ସମୟରେ ବିଜନେସଗୁଡିକର କେଓ୍ବାଇସି ଓ ବ୍ୟକ୍ତିବିଶେଷଙ୍କ କେଓ୍ବାଇସି ଦାଖଲ ହେବ ।

