ଭି.କେ. ପାଣ୍ଡିଆନଙ୍କ ମେଟ୍ରୋ ରେଳ ପ୍ରକଳ୍ପ ସମୀକ୍ଷା, ନୂଆବର୍ଷରେ ଶିଳାନ୍ୟାସ

1 min read

କଟକ: ନୂଆବର୍ଷରେ ଶିଳାନ୍ୟାସ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ।

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରସ୍ତାବିତ ମେଟ୍ରୋ ଟର୍ମିନାଲ ଓ ତ୍ରିଶୁଳିଆ ଡିପୋରେ ପହଞ୍ଚି ସମୀକ୍ଷା କରିଛନ୍ତି । ଭୁବନେଶ୍ବର ଓ କଟକ ପାଇଁ ତ୍ରିଶୁଳିଆ ହେବ ପରିବହନର ହବ୍ । ଏହି ଅବସରରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 5T ନୀତି ଆଧାରରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଡିପିଆରକୁ ମଞ୍ଜୁରୀ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ପ୍ରକଳ୍ପ ପରବର୍ତ୍ତି ସମୟରେ ଖୋର୍ଦ୍ଧା ଓ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆଗାମୀ ଦିନରେ ତ୍ରିଶୂଳିଆ, ଟୁଇନ୍ ସିଟି କଟକ ଓ ଭୁବନେଶ୍ବର, ବାଙ୍କି ଓ ଆଠଗଡ଼ ମଧ୍ୟରେ ଏକ ଗେଟ୍ ଓ୍ବେ ଭାବେ କାର୍ଯ୍ୟ କରିବ ।

ମେଟ୍ରୋ ରେଳ ପ୍ରକଳ୍ପର କେନ୍ଦ୍ରୀୟ ଡିପୋ ତ୍ରିଶୂଳିଆରେ ପ୍ରତିଷ୍ଠା ହେବ । ତ୍ରିଶୂଳିଆରେ ମେଟ୍ରୋ ରେଳର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ସହ ମରାମତି ସୁବିଧା ରହିବ । ଏଥିପାଇଁ ତ୍ରିଶୂଳିଆରେ ଏକ ବସଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହି ବସଷ୍ଟାଣ୍ଡ ମେଟ୍ରୋ ରେଳ ଷ୍ଟେସନ ସହ ସଂଯୋଗ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ନେଇ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ 5T ନୀତି ଆଧାରରେ ତଦାରଖ କରିବାକୁ ପରାମର୍ଶ ଦେଇଛନ୍ତି ।

ନିର୍ଦ୍ଧାରିତ ୪ ବର୍ଷ ସମୟସୀମା ମଧ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଜନ ହୋଇଥିବାରୁ ଶିଳାନ୍ୟାସ ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଏକ ବିଶ୍ବସ୍ତରୀୟ ସହରାଞ୍ଚଳ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଯନ୍ତ୍ରପାତିର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଭି.କେ. ପାଣ୍ଡିଆନ୍ । ଯାତ୍ରୀଙ୍କ ସୁବିଧା ପାଇଁ ଟୁଇନ୍ ସିଟିର ସବୁ ପରିବହନ ବ୍ୟବସ୍ଥାକୁ ମେଟ୍ରୋ ରେଳ ସହ ସଂଯୋଗ କରାଯିବ । ଭବିଷ୍ୟତ ସଂପ୍ରସାରଣ ପାଇଁ ମଧ୍ୟ ଏବେଠୁ ଆଗୁଆ ପ୍ରସ୍ତୁତି କରିବାକୁ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।

ସେହିପରି ନବ ନର୍ମିତ ନେତାଜୀ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ଯାତ୍ରୀ, ବସ ଚାଳକ ଓ ସେବା ପ୍ରଦାନକାରୀ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବସ୍ ସେବା କିପରି ଚାଲିଛି ସେନେଇ ମତାମତ ନେଇଥଲେ ଭି.କେ. ପାଣ୍ଡିଆନ୍ । ଟର୍ମିନାଲରେ ସମନ୍ବିତ ସୂଚନା ପରିଚାଳନା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ ।

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ରୂପାନ୍ତରୀତ ତାଳଦଣ୍ଡା କେନାଲ ବୁଲି ଦେଖିଥିଲେ । କେନାଲର ସୌନ୍ଦର୍ଯ୍ୟକରଣ ଓ ଯାତ୍ରୀଙ୍କ ପାଇଁ ଥିବା ଆମୋଦ ପ୍ରମୋଦ କେନ୍ଦ୍ରର ନିୟମିତ ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦେଇଥିଲେ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ସହ ଉନ୍ନୟନ କମିଶନର ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।