ରିପୋର୍ଟ୍ ଦେଖି ଏଚଆଇଭି ପଜିଟିଭଙ୍କୁ ପିଟିଲେ ଡାକ୍ତର, ଭିଡିଓ ଭାଇରାଲ

1 min read

ଇନ୍ଦୋର : MY ହସ୍ପିଟାଲର ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ରୋଗୀଙ୍କୁ ଜଣେ ଡାକ୍ତର ପିଟୁଛନ୍ତି। ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଚିକିତ୍ସା ସମୟରେ ଡାକ୍ତର ଯେତେବେଳେ ତାଙ୍କର ରିପୋର୍ଟ ଦେଖିଲେ, ସେଥିରେ ଆହତସେ ଏଚ୍.ଆଇ.ଭି ପଜିଟିଭ୍ ଥିବା ଉଲ୍ଲେଖ ଥିଲା । ଯାହାକୁ ଦେଖି ଡାକ୍ତର ହିତାହାତ ଜ୍ଞାନ ହରାଇଥିଲେ । ରୋଗୀଙ୍କୁ ଦୁର୍ବ୍ୟବହାର ସହିତ ଡାକ୍ତର ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ଡାକ୍ତରଙ୍କ ଭିଡିଓ ରେକର୍ଡ କରିଥିଲେ । ଯାହା ପରେ ଭାଇରାଲ ହୋଇଥିଲା ।  ଭିଡିଓ ଭାଇରାଲ ହେବା ପରେ MY ହସ୍ପିଟାଲ ଅଭିଯୁକ୍ତ ଡାକ୍ତରଙ୍କୁ ନିଲମ୍ବିତ କରିଛି। ଏହା ସହିତ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି।

ଏହି ପୁରା ଘଟଣା ଇନ୍ଦୋରର ସବୁଠାରୁ ବଡ ଡାକ୍ତରଖାନାରେ ଘଟିଛି । ଅଭିଯୋଗ ଘେରରେ ଥିବା ଡାକ୍ତରଙ୍କ ନାମ ହେଉଛି  ଅର୍ଥୋପେଡିକ୍ସ ବିଭାଗର ଜୁନିଅର ଡାକ୍ତର ଆକାଶ କୌଶଲ । ରୋଗୀ ଜଣକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଡାକ୍ତରଖାନା ଆସିଥିଲେ । ତାଙ୍କ ଦେହରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଡାକ୍ତର କୌଶଲ ତୁରନ୍ତ ତାଙ୍କ ଚିକିତ୍ସା ଆରମ୍ବ କରିଥିଲେ । କିନ୍ତୁ ରୋଗୀଙ୍କ ରିପୋର୍ଟ ପଢିବା ପରେ ତାଙ୍କ ମୁଣ୍ଡ ଗରମ ହୋଇଯାଇଥିଲା । ରିପୋର୍ଟରେ ରୋଗୀ ଏଚଆଇଭି ପଜିଟିଭ୍ ବୋଲି ଉଲ୍ଲେଖ ଥିବା ଦେଖି ସେ ତାଙ୍କୁ ଅଭଦ୍ର ଭାଷାରେ ଗାଳି କରିବା ସହିତ ଚାପୁଡା ମାରିବା ଆରମ୍ଭ କରିଥିଲେ ।

ଭିଡିଓ ସାମ୍ନାକୁ ଆସିବା ପରେ ଡାକ୍ତରଖାନା ସଂପୃକ୍ତ ଡାକ୍ତରଙ୍କୁ ନିଲମ୍ବନ କରିଛି। ପୀଡିତା ଇନ୍ଦୋରର ସେଭର୍ ରୋଡ୍ର ବାସିନ୍ଦା। ଏକ ସଡକ ଦୁର୍ଘଟଣାରେ ଆହତ ହେବା ପରେ ତାଙ୍କୁ ପ୍ରଥମେ ଉଜ୍ଜୟନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ସେଠାରୁ ତାଙ୍କୁ ଇନ୍ଦୋରକୁ ରେଫର୍ କରାଯାଇଥିଲା। ଏଠାରେ ପହଞ୍ଚିବା ପରେ ଡାକ୍ତର ଆକାଶ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ସମୟରେ ଗୋଡରୁ ବହୁତ ରକ୍ତସ୍ରାବ ହୋଇଥିଲା। ଏଥି ସହିତ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କର ଯତ୍ନ ନେବାକୁ ପ୍ରସ୍ତୁତ ନଥିଲେ।

ଅନ୍ୟପକ୍ଷରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ଆକାଶ କହିଛନ୍ତି ଯେ ସୂଚନା ଅଭାବରୁ ମୁଁ କୌଣସି HIV ପ୍ରତିଶେଧକ ବ୍ୟବସ୍ଥା ନନେଇ  ଜଣେ ଏଚ୍‌ଆଇଭି ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଥିଲି। ଯାହା ମୋତେ କ୍ଷୁବ୍ଧ କରିଥିଲା । ସୂଚନାଯୋଗ୍ୟ ଯେ ଏଚ୍‌ଆଇଭି ରୋଗୀଙ୍କ ପ୍ରତି ଅସଦାଚରଣ ଏବଂ ଭେଦଭାବ ଅଭିଯୋଗରେ  ଜଣକୁ  ଦୁଇରୁ ତିନି ବର୍ଷ ଜେଲଦଣ୍ଡ ଏବଂ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ।