ମହାବାତ୍ୟାକୁ ୨୪ ବର୍ଷ: ଆଜି ବି ଥରିଯାଏ ଛାତି, ଯେବେ ମନେ ପଡ଼େ ସେଦିନ

ଭୁବନେଶ୍ବର: ୧୯୯୯ ଅକ୍ଟୋବର ୨୯ ତାରିଖ, ଶୁକ୍ରବାର । ଅଭୁଲା ବାର, ପାଶୋରୀ ହେଉ ନଥିବା ତାରିଖ । ଭୁଲି ହେଉନଥିବା ଆତଙ୍କ । ସେଦିନ ଆଖି ଖୋଲିଲା ବେଳକୁ ପ୍ରକୃତି ଖେଳୁଥିଲା ମୃତ୍ୟର ଖେଳ । ଘୁ ଘୁ ଗର୍ଜନ କରି ମାଡି ଆସୁଥିଲା ପବନ, ବଞ୍ଚିବା ଆଶାରେ ଦୌଡୁଥିଲା ଜୀବନ ।

ଘଣ୍ଟା ପ୍ରତି ୨୯୦ କିଲୋମିଟର ବେଗର ବହିଥିଲା ପବନ । ଭାଙ୍ଗୁଥିଲା ଘର, ମାଟିରେ ଲୋଟୁଥିଲା ମହାଦ୍ରୁମ । ଜୁଆର ମାଡ଼ି ଆସୁଥିଲା । ମୂଷଳଧାରାରେ ବର୍ଷୁଥିଲା ବର୍ଷା । ବନ୍ଧୁ, ପରିଜନ, ଆତ୍ମୀୟ, କିଏ କେଉଁଠି ? କାହା ପାଖରେ ନଥାଏ କାହାରି ଖବର । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସଂସାର ବୁଡୁଥିଲା, ସର୍ବସ୍ୱ ଯାଉଥିଲା । ଯୁଆଡ଼େ ଚାହିଁବ, ବିଶେଷ କରି ଉପକୂଳ ଅଞ୍ଚଳରେ କୁଢ଼କୁଢ଼ ଶବ । ସବୁଆଡ଼େ ଥିଲା ଆର୍ତ୍ତ ଚିତ୍କାର । ଯାତନାକୁ ଆହୁରି ଭୟଙ୍କର କରିଥିଲା ଭୋକ । ସେହି ପ୍ରଳୟଙ୍କରୀ ୯୯ ମହାବାତ୍ୟାକୁ ପୂରିଛି ୨୪ ବର୍ଷ।  ହେଲେ ସେହି କ୍ଷତ ଆଜି ବି ଅଭୁଲା ଅଲିଭା ।

ମହାବାତ୍ୟା ମିଟାଇ ଦେଇଥିଲା ଉପକୂଳ ଓଡ଼ିଶାର ଅସ୍ତିତ୍ୱ । ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ସତେ ଯେମିତି ନକ୍ସାରୁ ହଜିଯାଇଥିଲା ଏରସମା । ଘର ନାହିଁ, ବିଦ୍ୟୁତ ନାହିଁ କି ଟେଲିଫୋନ ନାହିଁ । ଚାରିଆଡ଼େ ରାସ୍ତା ବି ବନ୍ଦ । ଜୁଆର ପାଣି ଘେରରେ ହଜାର ହଜାର ଗାଁ । ସେତେବେଳେ ଓଡ଼ିଶାରେ ଥିଲା କଂଗ୍ରେସ ସରକାର । ଗିରିଧର ଗମାଙ୍ଗ ଥାଆନ୍ତି ମୁଖ୍ୟମନ୍ତ୍ରୀ । ପ୍ରସାଦ ହରିଚନ୍ଦନ ଗୃହ ମନ୍ତ୍ରୀ । ପାଣିପାଗ ବିଭାଗ ଅବଗତ କରିବା ସତ୍ତ୍ବେ ମହାବାତ୍ୟା ଆସିବାର ଆକଳନ କରିପାରି ନଥିଲେ ସରକାର । ଯେଉଁଥି ପାଇଁ ଧନ ଜୀବନକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଚାଲିଯାଇଥିଲା ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ।

ମହାବାତ୍ୟା ପରେ ପରେ ରାଜ୍ୟବାସୀଙ୍କ ଭରସା ଜିତିଥିଲେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେବା ପରେ ଉଜୁଡ଼ା ଓଡ଼ିଶାକୁ ସଜାଡ଼ିବାର ସଂକଳ୍ପ ନେଇ ନବୀନ ଆଙ୍କିଥିଲେ ନବ ଓଡିଶାର ବ୍ଲୁପ୍ରିଣ୍ଟ । ବିପର୍ଯ୍ୟୟ ପରିଚାଳନା ପାଇଁ ଗଠନ ହୋଇଥିଲା ଓସଡମା । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଆକଳନ ଓ ମୁକାବିଲା ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ । ବହୁମୁଖୀ ଆଶ୍ରୟସ୍ଥଳୀ ସହିତ ମିଶନ ଜିରୋ କାଜୁଆଲଟି ଓଡିଶାକୁ କରିଛି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ରୋଲ ମଡେଲ୍ ।

ଏହା ଭିତରେ ଓଡିଶା ସାମ୍ନା କରିଛି ଅନେକ ବାତ୍ୟା । ହୁଦହୁଦ, ଫାଇଲିନ, ତିତଲି, ଫନି, ୟସ୍, ଅମ୍ପନ ଓ ଜଓ୍ବାଦ ପରି ବାତ୍ୟା ଆସିଛି । ହେଲେ ରାଜ୍ୟ ସରକାରଙ୍କ ପ୍ରାକ୍ ପ୍ରସ୍ତୁତି, ମିଶନ ଜିରୋ କାଜୁଆଲଟି ଓ ନୂତନ ଜ୍ଞାନକୌଶଳରେ ମୁକାବିଲା ଯୋଗୁଁ ଧନ ଜୀବନ ସୁରକ୍ଷିତ ରହିଛି ।