ଆଜିଠୁ ମହାକାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ପୁରୀ: ଆଜିଠୁ ପବିତ୍ର ମହାକାର୍ତ୍ତିକ ବ୍ରତ । ହିନ୍ଦୁଧର୍ମରେ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଆଜିଠୁ ମାସେ ଧରି ବ୍ରତ ପାଳିବେ ହବିଷ୍ୟାଳି । ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବ୍ରତଧାରୀ । ଏଥିପାଇଁ  ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ ।

ଚଳିତବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ୩ ହଜାରରୁ ଅଧିକ ହବିଷ୍ୟାଳୀ ପଞ୍ଜିକରଣ କରିଛନ୍ତି । ୫ଟି କେନ୍ଦ୍ରରେ ସେମାନଙ୍କ ରହିବା ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀମାନେ ପୁରୀ ଆସିବା ଆରମ୍ଭ ହୋଇଥିବେଳେ ସେମାନଙ୍କ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ, ପୂଜାର୍ଚ୍ଚନା, ଭଜନ କୀର୍ତ୍ତନ, ତୀର୍ଥ ପୁଷ୍କରିଣୀରେ ସ୍ନାନ ନେଇ ବିଶେଷ ଧ୍ୟାନ ଦିଆଯାଇଛି ।

ଆଜି ଭିଡିଓ କନଫରେନ୍ସରେ ହବିଷ୍ୟାଳି ଶିବିରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏପରି ସୁନ୍ଦର ଯୋଜନା ଆରମ୍ଭ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ହବିଷ୍ୟାଳୀ । ଭିଡକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।