ଯାଜପୁର : ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶର୍ଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶର୍ଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶର୍ଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ଯଯାତୀ କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଭାବେ ଜଣାଶୁଣା ହେବ ଏହି କଲେଜ । ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ପାଠପଢା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହାୟକ ହେବ । ଏହାସହ ରାଜ୍ୟର ସବୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ ଏବଂ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ସିଏଚସି ଓ ପିଏଚସିକୁ ସଂପ୍ରସାରିତ ହେବ ଆମ ହସ୍ପିଟାଲ ଯୋଜନା । ଆସନ୍ତା ୪ବର୍ଷରେ ଏହି ଯୋଜନା ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।
ଆଜିଠୁ ହବିଷ୍ୟାଳୀ ଯୋଜନାରେ ନାମ ପଞ୍ଜୀକରଣ ଆରମ୍ଭ
ପୁରୀ : ହବିଷ୍ୟାଳୀ ଯୋଜନାରେ ମଙ୍ଠୁଗଳବାରଠାରୁ ନାମ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ମା’ମାନେ ଆଜିଠୁ ୨୦ ତାରିଖ ମଧ୍ୟରେ edistrict.odisha.gov.inରେ ନିଜର ନାମ ପଞ୍ଜୀକରଣ କରିପାରିବେ । ନଚେତ୍ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ । ଯୋଜନା ସମ୍ପର୍କରେ ଅଧିକ ସୂଚନା ପାଇଁ ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଖରେ ରହି ହବିଷ କରିବାକୁ ବ୍ରତଧାରୀମାନେ ପୁରୀ ଆସିଥାନ୍ତି । ମାତ୍ର ଅନେକ ହବିଷ୍ୟାଳୀ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବାକୁ ଚାହୁଁଥିଲେ ହେଁ ଆର୍ଥିକ ସ୍ଥିତି ସେମାନଙ୍କୁ ପଛକୁ ଟାଣିଥାଏ । ଏହାକୁ ନଜରରେ ରଖି ରାଜ୍ୟ ସରକାର କିଛି ବର୍ଷ ହେବ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।
ପୁରୀରେ ଅକ୍ଟୋବର ୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ । ତେବେ ବିଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀମାନଙ୍କ ନିମନ୍ତେ ବ୍ରତ ପାଳନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ସମ୍ପୂର୍ଣ୍ଣ ମାଗଣାରେ ବ୍ରତ ପାଳନ ନେଇ ହବିଷ୍ୟାଳୀ ମାନଙ୍କର ସୁବିଧାରେ ବ୍ୟବସ୍ଥା ନେଇ ସବୁ ପ୍ରକାର ଆନୁସଙ୍ଗିକ କାର୍ଯ୍ୟ କରାଯାଉଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ପାଖେଇ ଆସିଲାଣି ମହାକାର୍ତ୍ତିକ । ଶ୍ରୀକ୍ଷେତ୍ରରେ ବ୍ରତ ପାଳିବେ ହବିଷ୍ଯାଳୀ । ଶ୍ରୀକ୍ଷେତ୍ରରେ ରହି କରିବେ ରାଇଦାମୋଦର ବ୍ରତ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ହବିଷ୍ୟାଳୀଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା । ଚଳିତ ବର୍ଷ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯିବା ସହ ହବିଷ୍ୟାଳୀମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ବୃନ୍ଦାବତୀ ସ୍ଥାୟୀ ଶିବିର, ସମେତ ମୋଚିସାହି ଛକ, ବଗଲା ଧର୍ମଶାଳା ଆଦି ସ୍ଥାନରେ ହବିଷ୍ୟାଳୀଙ୍କ ରହିବା ବ୍ୟବସ୍ଥା ସହ ସେଠାରେ ପ୍ରତ୍ୟହ ମହାପ୍ରସାଦ ସେବନ ପାଇଁ ପଦକ୍ଷେପ ନିଆଯିବ । ଏ ନେଇ ଆଜିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ୩ହଜାର ଭିତରେ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ତେବେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ ଓ ଅଫଳାଇନ ମାଧ୍ୟମରେ ପଞ୍ଜିକରଣ ନେଇ ସ୍ୱତନ୍ତ୍ର ଫର୍ମ ରହିଛି । ବିଶେଷ କରି ଅନଲାଇନ ମାଧ୍ୟମରେ ଘରେ ବସି ପରିଚୟପତ୍ର ପ୍ରଦାନ କରି ରେଜିଷ୍ଟ୍ରେସନ କରିପାରିବେ ହବିଷ୍ୟାଳୀ । ସବୁ ଜିଲ୍ଲାରେ ମଧ୍ୟ ଅଫଳାଇନ ମାଧ୍ୟମରେ ଆବେଦନ ଫର୍ମ ଦ୍ବାରା ପଞ୍ଜିକରଣ କରାଯାଇ ପାରିବ । ପଞ୍ଜିକରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହବିଷ୍ୟାଳି ମାନଙ୍କ ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି ।
୨୯ରୁ ପାଳନ ହେବ ମହାକାର୍ତ୍ତିକ ବ୍ରତ । ତେଣୁ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ହବିଷ୍ୟାଳୀଙ୍କ ପାଇଁ ପୂଜା ସାମଗ୍ରୀ, ଚଉଁରା, ଆକାଶଦୀପ, ବ୍ରାହ୍ମଣ, ବ୍ରତ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସମେତ ପ୍ରବଚନ, ପୁରାଣ ପାଠ, ମାଗଣା ଚିକିତ୍ସା ସୁବଧା ଓ ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।
ଏସିଆନ ଗେମ୍ସ ଦଶମ ଦିବସ: ଟି-ଟ୍ବେଣ୍ଟି କ୍ରିକେଟରେ ସେମିରେ ପ୍ରବେଶ କଲା ଭାରତ
ନୂଆଦିଲ୍ଲୀ : ଯଶସ୍ବୀ ଜୟସ୍ବାଲଙ୍କ ଶତକୀୟ ପାଳି । ସ୍ପିନରଙ୍କ ଧମାକା ବଳରେ ଭାରତର ବଡ଼ ବିଜୟ । ଏସିଆନ ଗେମସରେ ଟି-ଟ୍ବେଣ୍ଟି କ୍ରିକେଟରେ ନେପାଳକୁ ହରାଇ ସେମିଫାଇନଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ୨୩ ରନରେ ପରାସ୍ତ ହୋଇଛି ନେପାଳ । ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୦୨ ରନ କରିଥିବାବେଳେ ନେପାଳ ଟାର୍ଗେଟକୁ ପିଛା କରି ନ ୱିକେଟ ହରାଇ ୧୭୯ ରନରେ ଅଟକି ଯାଇଥିଲା ।
ଜୟସ୍ବାଲ ୪୯ ବଲରେ ସେଞ୍ଚୁରୀ ମାରିଥିବାବେଳେ ଏଥିରେ ସାତଟି ଛକା ଓ ଆଠଟି ଚୌକା ସାମିଲ ଥିଲା । ଓପନିଂ ଯୋଡି ଭାବେ କ୍ୟାପଟେନ ଋତୁରାଜ ଗାଏକୱାଡଙ୍କ ସହ ଜୟସ୍ବାଲ ପଡିଆକୁ ଓହ୍ଲାଇ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଖେଳି ମାତ୍ର ୫୯ ବଲରେ ୧୦୩ରନ କରି ଶକ୍ତିଶାଳୀ ମୂଳଦୁଆ ପକାଇଥିଲେ । ସେହିପରି ଶିବମ ଦୁବେ ୧୯ ବଲରେ ୨୫ ରନ, ରିଙ୍କୁ ସିଂହ ୧୫ ବଲରେ ୩୭ ରନ ବଳରେ ଭାରତ ୨ଶହ ପାର କରିଥିଲା ।
ଏହାପରେ ନେପାଳ ୨୦୨ରନର ପିଛା କରି ୧୩ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୨୦ ରନ କରି ଭଲ ସ୍ଥିତିରେ ଥିଲା । ହେଲେ ପରେ କିନ୍ତୁ ଭାରତୀୟ ବୋଲରଙ୍କୁ ସାମ୍ନା କରିନପାରି ୧୭୯ ରନରେ ସୀମିତ ରହିଯାଇଥିଲା । ଭାରତ ପକ୍ଷରୁ ବିଷ୍ଣୋୟୀ ୩ ୱିକେଟ ନେଇଥିଲେ । କେନୋୟିଙ୍ଗ ପୁରୁଷ ମିଳିତ ବର୍ଗରେ ଭାରତକୁ ବ୍ରୋଞ୍ଜ ମେଡାଲ ମିଳିଥିବାବେଳେ ବକ୍ସିଂର ୫୪ କିଲୋ ମହିଳା ବର୍ଗରେ ବ୍ରୋଞ୍ଜ ଆଣିଛନ୍ତି ପ୍ରୀତି ପାୱାର । ଏହାକୁ ମିଶାଇ ଏବେ ସୁଦ୍ଧା ୬୨ଟି ପଦକ ଭାରତ ଖାତାକୁ ଆସିଲାଣି । ଯେଉଁଥିରେ ୧୩ ସ୍ବର୍ଣ୍ଣ, ୨୪ ରୌପ୍ୟ ଓ ୨୫ ବ୍ରୋଞ୍ଜ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ପୋଜିସନରେ ଅଛି ଭାରତ ।
ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ ପାଇଁ ନୂଆ ପ୍ରୟାସ : ପ୍ରତି ଜିଲ୍ଲା ବୁଲିବ ‘ସ୍ୱକଳ୍ପ ସମ୍ପର୍କ ଅଭିଯାନ’ ରଥ
ଜଗତସିଂହପୁର: ଗାନ୍ଧୀଜୟନ୍ତୀରୁ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ । ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ‘ସ୍ୱକଳ୍ପ’ ଅଧୀନରେ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ କରାଯାଇଛି । ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି, ଯାହା ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲା ପରିକ୍ରମା କରିବ। ଏହି ସ୍ୱତନ୍ତ୍ର ରଥକୁ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ‘ସ୍ୱକଳ୍ପ’ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଜିଲ୍ଲାର ପ୍ରାର୍ଥୀମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏହାସହ ବ୍ୟବସାୟ ପ୍ରତିଷ୍ଠା ଲାଗି ପ୍ରାର୍ଥୀମାନଙ୍କର ଆବଶ୍ୟକ ହେଉଥିବା ଉଦ୍ୟମ ଆଧାର ପଞ୍ଜୀକରଣ କରାଯାଇଥିଲା। ଜିଲ୍ଲାରୁ ଜିଲ୍ଲାକୁ ଯାଇ ପ୍ରାର୍ଥୀମାନଙ୍କ ଦୁଆର ମୁହଁରେ ପହଞ୍ଚି ବ୍ୟବସାୟ ପ୍ରତିଷ୍ଠା ଲାଗି ଆବଶ୍ୟକ ସହାୟତା ଯୋଗାଇଦେବା ଏହି ଅଭିଯାନର ଲକ୍ଷ୍ୟ।
ଜଗତସିଂହପୁରରୁ ବାହାରିଥିବା ଏହି ରଥ ସପ୍ତାହ ବ୍ୟାପି ବିଭିନ୍ନ ଜିଲ୍ଲାକୁ ଯିବ। ଅକ୍ଟୋବର ୩ ଓ ୪ରେ ଖୋର୍ଦ୍ଧା, ୫ ଓ ୬ ତାରିଖରେ ନୟାଗଡ଼ ଏବଂ ୭ ତାରିଖରେ କଟକ ଜିଲ୍ଲା ଗସ୍ତ କରିବ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ‘ସ୍ୱକଳ୍ପ’ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ଲର୍ଣ୍ଣେଟ୍ ସ୍କିଲ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ର ପରିଚାଳନା କରୁଛନ୍ତି।
ଏହି ଅବସରରେ ଜଗତସିଂହପୁରର ଐତିହାସିକ ଅଳକା ଆଶ୍ରମ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଫଳରେ ଆଗାମୀ ଦିନରେ ଅଳକା ଆଶ୍ରମ ପରିସରରେ ‘ସ୍ୱକଳ୍ପ’ ଲାଗି ପ୍ରାର୍ଥୀମାନଙ୍କର ତାଲିମ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯିବ। କାର୍ଯ୍ୟକ୍ରମରେ ଅଳକା ଆଶ୍ରମର ସଭାପତି ଗୌରାଙ୍ଗ ଚରଣ ହୋତା, ଆବାହକ ଦେବେନ୍ଦ୍ର ନାଥ ରାଉତ, କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅନ୍ନପୂର୍ଣ୍ଣା ପାଣ୍ଡେ, ଇସ୍ରୋର ପୂର୍ବତନ ମହାକାଶ ବିଜ୍ଞାନୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ବିଶ୍ୱ ଦକ୍ଷତା କେନ୍ଦ୍ରର ମ୍ୟାନେଜର ସ୍ୱାଗତିକା ମହାପାତ୍ର, ପାଲାଡିୟମର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ, ବିଜନେସ୍ ଡେଭଲପମେଣ୍ଟ ପରାମର୍ଶଦାତା ୠତୁମ୍ବରା ମିଶ୍ର, ବ୍ରାଣ୍ଡିଂ ଆଣ୍ଡ କମ୍ୟୁନିକେସନ ପରାମର୍ଶଦାତା ସୌମ୍ୟରଞ୍ଜନ ସାହୁ ଏବଂ ଲର୍ଣ୍ଣେଟର ଓଡ଼ିଶା ମୁଖ୍ୟ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ।
‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ୧୦୦ ଘଣ୍ଟାର ତାଲିମ ଦିଆଯିବ। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରତିଟି ପର୍ଯ୍ୟାୟରେ ୨୫ ପ୍ରତିଶତ ମହିଳାଙ୍କ ଅନ୍ତର୍ଭୁକ୍ତିକୁ ପ୍ରାଥମିକତା ଦିଆଯାଉଛି। ଉଦ୍ୟମୀ ଯୁବକ ଯୁବତୀଙ୍କୁ ବ୍ୟବସାୟ ପ୍ରତିଷ୍ଠା ଲାଗି ବିଭିନ୍ନ ପ୍ରକାର ତାଲିମ ମଧ୍ୟରେ କାରବାର ପରିଚାଳନା, ଆର୍ଥିକ ପରିଚାଳନା, ବଜାର ସଂଯୋଗ, ବ୍ୟାଙ୍କ ୠଣ ଏବଂ ନେତୃତ୍ୱ ବିକାଶ ଆଦି ବିଷୟ ରହିଛି। ଏହାସହ ମକ୍ ପିଚ୍ ମାଧ୍ୟମରେ ଭବିଷ୍ୟତର ଉଦ୍ୟୋଗୀମାନଙ୍କୁ ପ୍ରତିଷ୍ଠିତ ଉଦ୍ୟୋଗୀ ଏବଂ ବିଶେଷଜ୍ଞଙ୍କ ସହ ଯୋଡ଼ା ଯାଉଛି। ପ୍ରାଥମିକ ତାଲିମ ଶେଷ ପରେ ପ୍ରାର୍ଥୀମାନଙ୍କୁ ୨୪ ସପ୍ତାହ ଯାଏଁ ବ୍ୟକ୍ତିଗତ ପରାମର୍ଶଭିତ୍ତିକ ବିଶେଷ ସହାୟତା ଦିଆଯାଉଛି।

