ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଶୂନ୍ୟକାଳରେ ବିଜେଡି ସାଂସଦ ଉଠାଇଲେ କୋଷ୍ଟାଲ ହାଇୱେ ପ୍ରସଙ୍ଗ  । ଉପକୂଳ ରାଜପଥର ଷ୍ଟାଟସ କଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ  । ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲା କେନ୍ଦ୍ର  ।

ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ୭ ଉପକୂଳ ଜିଲ୍ଲାକୁ ଯୋଡିବାକୁ ଥିବା ଏହି ପ୍ରସ୍ତାବିତ ରାଜପଥର କାମ ଏଯାଏଁ ଆରମ୍ଭ ହୋଇପାରିଲାନି  । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବହୁବିଧ ବିକାଶ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିବ  । କିନ୍ତୁ ଏହା ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଅବସ୍ଥାରେ ଆସି ପହଞ୍ଚିଯାଇଛି  । ଏହି ୩୪୬ କିଲୋମିଟର ରାସ୍ତାକୁ ଦୁଇ ଥାକରେ କରାଯିବ ବୋଲି ପ୍ଲାନ ହୋଇଛି  । ଖୋର୍ଦ୍ଧା ରାମେଶ୍ବରରୁ ପୁରୀ ରତନପୁର ଏବଂ ରତନପୁରରୁ ବାଲେଶ୍ବରର ଦୀଘା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ  ।

ଏହାକୁ ୪ଟି ପ୍ୟାକେଜରେ କରାଯିବାକୁ ମଧ୍ୟ ଯୋଜନା ହୋଇଥିଲା  । ଯାହା ମଧ୍ୟରୁ ପ୍ରଥମ ଦୁଇଟି ପ୍ୟାକେଜକୁ ବିନା କୌଣସି କାରଣରେ ବାତିଲ କରାଯାଇଥିଲା  । ବାକି ଦୁଇଟି ପ୍ୟାକେଜକୁ କ୍ଲିଅରାନ୍ସ ମିଳିଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଂଜୁରୀକୁ ନେଇ ପ୍ରକଳ୍ପ ପଡିରହିଥିଲା  । କିନ୍ତୁ ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଗ୍ରୀନ ସିଗନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ  । ଯଥା ଶୀଘ୍ର ଏହାର ଆରମ୍ଭ ସହ କାମ ସାରିବା ପାଇଁ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।