ଦେଶୀ ମଦ ଭାଟିରୁ ଜବତ ହେଲାଣି ୨ଶହ କୋଟି, ଟଙ୍କା ଦେଖି ତାଟକା ଆୟକର ଅଧିକାରୀ

1 min read

ବଲାଙ୍ଗୀର: କାଲିଠୁ ହଲଚଲ ବଲାଙ୍ଗୀର  । ଦ୍ବିତୀୟ ଦିନ ପାଇଁ ବି ଜାରି ରହିଛି ଆଇଟି ରେଡ୍ । ସୁଦପଡା ଦେଶୀ ମଦଭାଟିରୁ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି ବୋଲି ଅନୁମାନ କରାଯାଉଛି । ବଲାଙ୍ଗୀର ସୁଦପଡାରେ ଥିବା ଦେଶୀ ମଦଭାଟିରେ ଆୟକର ବିଭାଗର ଚଢାଉ ବେଳେ ମିଳିଛି ବିଡା ବିଡା ନୋଟ । ମଦ ଭାଟି ମାଲିକ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବଲାଙ୍ଗୀର ମଦ ଭାଟି ଓ କାର୍ଯ୍ୟାଳୟରୁ ୨୦୦ କୋଟିରୁ ଅଧିକ ଟଙ୍କା ଜବତ କଲାଣି ଆୟକର ବିଭାଗ I ମଦ କାରଖାନା ସହ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ, ରାଣୀସତା ଗ୍ରୁପ ଅଫ କମ୍ପାନୀ ଉପରେ ପଞ୍ଝା ମାରିଛି ଆୟକର ବିଭାଗ I ଏହାକୁ ଓଡ଼ିଶାରେ ବଡ ଧରଣର ଆଇଟି ରେଡ୍ ବୋଲି କୁହାଯାଉଛି I ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି I କେବଳ ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ଠାରୁ ମିଳିଲାଣି ୨୦୦ କୋଟିରୁ ଅଧିକ ଟଙ୍କା  ।

ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ I ଆଉ ବ୍ୟବସାୟୀଙ୍କ ଘରୁ ଯେଉଁ ଟଙ୍କା ମିଳୁଛି, ତାହା ଆଖି ତରାଟିଲା ଭଳି I ମଦ ପ୍ରସ୍ତୁତକାରୀ କମ୍ପାନୀ ଆୟକର ଫାଙ୍କୁଥିବା ଅଭିଯୋଗରେ ଗତକାଲି ଭୁବନେଶ୍ବର ଆୟକର ବିଭାଗ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ କମ୍ପାନୀ ଉପରେ ଛାପା ମାରିଥିଲା  । ଏହି କମ୍ପାନୀ ଲିଙ୍କରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା I ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିଭିନ୍ନ ସ୍ଥାନରେ ରେଡ୍ ବେଳେ ପୁଳା ପୁଳା ଟଙ୍କା ମିଳୁଛି I କେବଳ ବଲାଙ୍ଗୀର ଜିଲ୍ଲାରୁ  ଏବେସୁଦ୍ଧା ୩୦୦ କୋଟିରୁ ଅଧିକ ଟଙ୍କା ଜବତ କରାଗଲାଣି I ସେପଟେ ସମ୍ବଲପରୁରେ ଥିବା କର୍ପୋରେଟ୍ ଅଫିସ୍ରେ ଚଢ଼ାଉ ବେଳେ ବି ୧୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି I ଜବତ୍ ଟଙ୍କାକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ଅଣାଯାଇଛି I

୨ଟି ବଡ ପେଟି ସହ ୧୫୬ବସ୍ତା ୫୦୦ ସହ ଟଙ୍କିଆ ନୋଟ୍ ଟ୍ରକରେ ଅଣାଯାଇଛି I ଜବତ ଟଙ୍କା ୫୦୦ କୋଟି ପାର କରିବ ବୋଲି ଅନୁମାନ କରୁଛି ଆୟକର ବିଭାଗ I ଗତକାଲି ଠାରୁ ଟଙ୍କା ଗଣିଗଣି ହାଲିଆ ହେଲେଣି  I ଜବତ ଟଙ୍କାର ହିସାବ ଦେଇପାରୁ ନାହାନ୍ତି ମଦ ଭାଟି ମ୍ୟାନେଜର୍  ରାଜେଶ ସାହୁ I ସେହିପରି ଟିଟିଲାଗଡ଼ ମଦ ବ୍ୟବସାୟୀ ଦୀପକ ସାହୁ ଓ ତାଙ୍କ ଭାଇ ସଂଜୟ ସାହୁଙ୍କ ଘରୁ ମଧ୍ଯ ୨୫ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି I