ସାଇବର କ୍ରାଇମ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କଲା STF

ଭୁବନେଶ୍ୱର : ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ହୋଇଥିବା ଅଭିଯୋଗ। ଏହି ଘଟଣାରେ ଆାନ୍ତଃରାଜ୍ୟ ସାଇବର କ୍ରାଇମ ଗ୍ୟାଙ୍ଗର ଆଉଜଣେ ସଦସ୍ୟଙ୍କୁ ଗିରଫ କଲା ଏସଟିଏଫ। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଗୁଧିଆର ସମିମ ଇସଲାମକୁ ଗିରଫ କରି ୩ ଦିନିଆ  ରିମାଣ୍ଡରେ ଆଣିଛି ଏସଟିଏଫ। ଅଭିଯୁକ୍ତକୁ ଭୁବନେଶ୍ବର ଏସଡ଼ିଜେଏମ କୋର୍ଟରେ ହାଜର କରାଯିବ।

ପୂର୍ବରୁ ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ନକଲି ସିମ କାର୍ଡ ବ୍ୟବହାର କରି ଗରିବ ଲୋକଙ୍କ ନାଁରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏହି ଠକ ଗ୍ୟାଙ୍ଗ ବିଭିନ୍ନ ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ । ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି ରାକେଟ ତାଙ୍କର ନେଟଓ୍ବର୍କ ବିଛାଇ ଲୋକଙ୍କୁ ଫସାଇବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ସେକ୍ ଜମିରୁଦ୍ଦିନକୁ ପଶ୍ଚିମବଙ୍ଗରୁ ଗିରଫ କରିବା ପରେ ଏବେ ଅନ୍ୟ ଠକଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରଖିଛି ଏସଟିଏଫ।