ଫିଲ୍ମ ‘ପୁଷ୍ପା-୨’ ଆସିବା ପୂର୍ବରୁ ଗିରଫ ହେଲେ ଏହି ଅଭିନେତା, ଲାଗିଛି ସଙ୍ଗୀନ ଅଭିଯୋଗ

ହାଇଦ୍ରାବାଦ: ସିନେ ପ୍ରେମୀ ପୁଷ୍ପା ପାର୍ଟ ୨କୁ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମ ଆସିବା ପୂର୍ବରୁ ଆସିଛି ଏକ ବଡ଼ ଖବର । ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତା ଗିରଫ ହୋଇଛନ୍ତି । ପୁଷ୍ପା ଦ ରାଇଜରେ ଅଲ୍ଲୁ ଅର୍ଜୁନଙ୍କ ସହଯୋଗୀ ଥିବା କେଶବ ମାନେ ଅଭିନେତା ଜଗଦୀଶ ପ୍ରତାପଙ୍କୁ ପୋଲିସ୍ ଗିରଫ କରିନେଇଛି । ଫିଲ୍ମରେ କେଶବ ଦର୍ଶକଙ୍କ ମନ ଜିଣିଥିଲେ ।

ତେବେ ଫିଲ୍ମର ଏବେ ସୁଟିଂ ଚାଲିଛି । ଏହି ସମୟରେ କୋ ଆକ୍ଟରଙ୍କୁ ଗିରଫ କରାଯାଇଛି । ନଭେମ୍ବର ୨୯ରେ ଆତ୍ମହତ୍ୟା କରିଥିବା ଜଣେ ଜୁନିଅର ମହିଳା କଳାକାରଙ୍କ ମୃତ୍ୟୁ ଘଟଣାରେ ଜଗଦୀଶଙ୍କୁ ଗିରଫ କରାଯାଇଛି ।

ପଞ୍ଜାବୁଟା ପୋଲିସର କହିବା ଅନୁସାରେ, ଜଗଦୀଶ ଗତ ନଭେମ୍ବର ୨୭ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଥିଲାବେଳେ ଲୁଚିକି ମହିଳାଙ୍କ ଭିଡିଓ ସୁଟ୍ କରିଥିଲେ। ଏହି କ୍ଲିପକୁ ଭାଇରାଲ କରିଦେବାକୁ ଉକ୍ତ ମହିଳାଙ୍କୁ ଧମକ ଦେଉଥିଲେ । ଏହା ପରେ ଉକ୍ତ ମହିଳା ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରଠୁ ଜଗଦୀଶ ଫେରାର୍ ଥିଲେ । ପୋଲିସ୍ ଖୋଜାଖୋଜି କରିବା ପରେ ଏବେ ତାଙ୍କୁ ଗିରଫ କରିଛି ।