spot_img
Home Blog Page 2443

ଗଞ୍ଜାମରେ 5T ଅଧ୍ୟକ୍ଷ: ହିଞ୍ଜିଳିକାଟୁ ଓ ଶେରଗଡ଼ରେ ବିକାଶର ସମୀକ୍ଷା

ଗଞ୍ଜାମ: ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ପ୍ରଥମ ଦିନରେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକରେ ବିକାଶର ସମୀକ୍ଷା କରିଛନ୍ତି । ରୂପାନ୍ତରିତ କଲେଜ ବୁଲିବା ସହ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଯୋଗୀ ପରାମର୍ଶ ଦେଇଛନ୍ତି । ଶେରଗଡ଼ରେ ମିଶନଶକ୍ତି ମାଆ ଓ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଅପରାହ୍ନରେ କାର୍ତ୍ତିକ ପାଣ୍ଡିଆନ ପ୍ରଥମେ ହିଞ୍ଜିଳିକାଟୁ ଗସ୍ତରେ ଯାଇ ପୋଚିଲିମା ଖମ୍ବେୟା ଦୋରା ଜୁନିୟର ବିଜ୍ଞାନ ମହାବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏଥିପାଇଁ ୧୮୧.୨୩ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଏହି ରୂପାନ୍ତର ଠିକ୍‌ ସମୟରେ ଶେଷ ହୋଇ ଥିବାରୁ ସେ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେଠାରୁ ସାରୁ ଛକ ଓ ମକରଝୋଳ ଛକ ଦେଇ ଗସ୍ତ କରିବା ବେଳେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉତ୍ସାହର ତାଙ୍କୁ ସ୍ବାଗତ କରିଥିଲେ ।

ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ହିଞ୍ଜିଳିକାଟୁ, ଶେରଗଡ ବ୍ଲକ୍ ଏବଂ ହିଞ୍ଜିଳିକାଟୁ ପୌରପରିଷଦ ଅଞ୍ଚଳ ସ୍ଥିତ ମହାବିଦ୍ୟାଳୟର ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେଠାରୁ ବିଜୁ ପଟ୍ଟନାୟକ ଛକ ନିକଟରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଖଣ୍ଡରା ଛକ, ବୁରୁପଡା ପଞ୍ଚାୟତ କାର୍ଯ୍ୟାଳୟ ଛକ, ମାରୁଡି ଛକ, ଗୋବିନ୍ଦପୁର, ପଥରାଭାଜି ଛକ, ସୁନାଥର ଛକ, ଶୋଳଷଳା ଛକ, ତାକରଡା, ଶେରଗଡ ଚାରିଛକଠାରେ ବିପୁଳ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା, ଲୋକପ୍ରତିନିଧି ଓ ସମର୍ଥକ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଶେରଗଡସ୍ଥିତ ଗ୍ରାମ୍ୟ ଶିଳ୍ପ ପାର୍କଠାରେ ମିଶନ ଶକ୍ତି ମାଆଙ୍କ ସହିତ ସେମାନଙ୍କ ଜୀବନ ଜୀବିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମ୍ୟ ଶିଳ୍ପ ପାର୍କର ରଣନୀତି ଓ ବିଭିନ୍ନ ସମସ୍ୟାର ସମାଧାନ କରି ଗ୍ରାମାଞ୍ଚଳରେ ବଜାର ଦ୍ବାରା ପରିଚାଳିତ ଜୀବିକା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଉଦ୍ୟୋଗୀଙ୍କୁ ଶିଳ୍ପ କ୍ଷେତ୍ରରେ ପ୍ରେରଣା, ଚାକିରି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଅର୍ଥନୈତିକ ଉନ୍ନତିର ବିକାଶ ଧାରା କିଭଳି ବୃଦ୍ଧି ହେବ ସେଥି ନିମନ୍ତେ ଉଦ୍ଦିଷ୍ଟ ଗ୍ରାମ୍ୟ ଶିଳ୍ପ ନିମନ୍ତେ ପ୍ରୋତ୍ସାହିତ କରିଥିଲେ । ପୋଷାକ ତିଆରି କରିବା ୟୁନିଟ୍, ବଫେ କପ୍ ପ୍ଲେଟ୍ ପ୍ରସ୍ତୁତ ୟୁନିଟ୍, ଫୁଲଚାଷ, ବିୟୁଟି ପାର୍ଲର, ମକା ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ତୈଳ ଉତ୍ପାଦନ ୟୁନିଟ୍, ବେକରି ୟୁନିଟ୍, ଜୋତା ପ୍ରସ୍ତୁତ ୟୁନିଟର କାର୍ଯ୍ୟରତ ସଭ୍ୟା ଓ ଏହି କାର୍ଯ୍ୟରେ ଯୋଡି ହେବାକୁ ଯାଉଥିବା ସଭ୍ୟାଙ୍କ ସହିତ ଆଲୋଚନା କରିଥିଲେ ।

ଶେରଗଡ ବ୍ଲକ୍ କାର୍ଯ୍ୟାଳୟରେ ଶେରଗଡ ଓ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳର କୃଷକଙ୍କ ସହିତ ସେମାନଙ୍କ ଚାଷ ଜମିରେ ଜଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ । ଚାଷୀଙ୍କ ବୃହତ୍ତର ସ୍ୱାର୍ଥ ସାଧନ ତଥା ରୋଜଗାର ବୃଦ୍ଧି ଓ କର୍ମ ସଂସ୍ଥାନ ନିମନ୍ତେ ଅନ୍ୟ ରାଜ୍ୟକୁ ପଳାୟନ ରୋକିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରତି ଏକର ଜଳସେଚନ ସୁନିଶ୍ଚିତ କରାଇବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କହିଥିଲେ ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଏକ ବର୍ଷ ମଧ୍ୟରେ ୧୮୬.୪୭ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ । ଏହାଦ୍ବାରା ଜଳସେଚିତ ଜମିର ପରିମାଣ ୯୩୧୪ ହେକ୍ଟରରୁ ୧୪ ହଜାର ୧୭୩ ହେକ୍ଟରକୁ ବୃଦ୍ଧି ପାଇବ । ଏଥିପାଇଁ ୨୧ଟି ପଞ୍ଚାୟତରେ ୬୬ଟି ପ୍ରକଳ୍ପ ନିର୍ମାଣ ହେବ । ବୃହତ୍ ଓ ମଧ୍ୟମ ଜଳସେଚନ ମାଧ୍ୟମରେ ୨୬୫୨ ହେକ୍ଟର, ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ଭୂତଳ ପାଇପ୍ ଲାଇନ୍ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୩୩ଟି ପ୍ରକଳ୍ପ, ବୃହତ୍ ଉଠା ଜଳସେଚନ ମାଧ୍ୟମରେ ୧୦୦୦ ହେକ୍ଟର ଓ ଉଠା ଜଳସେଚନ ୩୧ଟି ପ୍ରକଳ୍ପ ମାଧ୍ୟମରେ ୬୫୨ ହେକ୍ଟର ଜମିକୁ ଜଳସେଚନର ସୁବିଧା ଦିଆଯିବ । ଏହାଦ୍ଵାରା ଶେରଗଡ ବ୍ଲକର ପ୍ରାୟ ୧୦ ହଜାର ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ । ୨ୟ ପର୍ଯ୍ୟାୟରେ ଅବଶିଷ୍ଟ  ଜମିକୁ ବିଭିନ୍ନ ଉଠା ଜଳସେଚନ ଯୋଜନା ଦ୍ୱାରା ଜଳସେଚନ କରାଯାଇ ଶତ ପ୍ରତିଶତ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ ।

ସେହିପରି ହିଞ୍ଜିଳି ପଞ୍ଚାୟତ ସମିତି ଅନ୍ତର୍ଗତ ୧୪ ହଜାର ୪୭୦ ହେକ୍ଟର ଚାଷୋପଯୋଗୀ ଜମି ମଧ୍ୟରୁ ୧୩ ହଜାର ୭୭୯ ହେକ୍ଟର ତଥା ୯୫.୨୨ ଶତକଡା ଅଂଶ ଜମି ବିଭିନ୍ନ ଉତ୍ସ ମାଧ୍ୟମରେ ଜଳ ସେଚିତ ହେଉଛି । ଅବଶିଷ୍ଟ ୬୯୧ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୨୧ ହେକ୍ଟର ଜମିକୁ ବିଭିନ୍ନ ବିଭାଗ ଜରିଆରେ ତଥା ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ମାଧ୍ୟମରେ ୨୧୯ ହେକ୍ଟର, କ୍ଷୁଦ୍ର ଜଳସେଚନ ମାଧ୍ୟମରେ ୧୧୦ ହେକ୍ଟର ଓ ଉଠା ଜଳସେଚନ ମାଧ୍ୟମରେ ୨୯୨ ହେକ୍ଟର ଏହିପରି ମୋଟ ଶତକଡା ୯୯.୫୦ ଭାଗ ଅଂଶରେ ଜଳସେଚନ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଥିଲେ । ଏଥିନିମନ୍ତେ ୨୦.୪୫ କୋଟି ବ୍ୟୟ କରାଯାଇ ମୋଟ ୧୩ଟି ପଞ୍ଚାୟତ ଅଞ୍ଚଳରେ ୩୭ଟି ପ୍ରକଳ୍ପ ଜରିଆରେ ଲକ୍ଷ୍ୟ ହାସଲ କରାଯିବ  । ଏହାଦ୍ଵାରା ହିଞ୍ଜିଳି ବ୍ଲକର ପ୍ରାୟ ୨୦୦୦ ଚାଷୀ ଉପକୃତ ହେବେ । କାର୍ଯ୍ୟ ଯେଭଳି ଉନ୍ନତ ମାନର ହେବ ଓ ନିର୍ଦ୍ଧାରିତ ସମୟରେ ଶେଷ ହୋଇ କାର୍ଯ୍ୟକ୍ଷମ କରାଯିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ବ୍ରହ୍ମପୁରରେ ପହଞ୍ଚି ମା’ ବୁଢୀ ଠାକୁରାଣୀ ମନ୍ଦିରରେ ପହଞ୍ଚି ଥିଲେ । ଓଡିଶା ସରକାରଙ୍କ ସ୍ଥାପତ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ମା’ ବୁଢୀ ଠାକୁରାଣୀ ମନ୍ଦିର ଉନ୍ନତିକରଣ କାର୍ଯ୍ୟ ସହ ମୁଖ୍ୟ ଫାଟକ, ପୂଜାରୀ କକ୍ଷ, ଦୋକାନ ଗୃହ, ବହୁବିଧ ଗୃହର ନିର୍ମାଣ ସହିତ ପାରିପାର୍ଶ୍ବିକ ଉନ୍ନତି କିଭଳି କରାଯିବ ତାହାର ସମୀକ୍ଷା କରି କାମ ଶୀଘ୍ର ତ୍ବରାନ୍ବିତ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

5T ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ବିଜୟ ଉତ୍ସବ: ୭୧ ଯୁଦ୍ଧର ବିଭୀଷିକା ମନେ ପଡ଼ିଲେ ଶିହରି ଉଠେ କୈଳାସଙ୍କ ଦେହ

କଟକ: ୧୯୭୧ ଡିସେମ୍ବର ୧୬ ତାରିଖ । ପାକିସ୍ତାନୀ ସୈନ୍ୟଙ୍କୁ ନିପାତ କରି ବିଜୟ ଉତ୍ସବ ପାଳନ କରିଥିଲେ ଭାରତୀୟ ସେନା । ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲା ପାକିସ୍ତାନ । ପୂର୍ବ ପାକିସ୍ତାନ ସ୍ବାଧୀନ ହୋଇ ଜନ୍ମ ନେଲା ବାଂଲାଦେଶ । ହେଲେ ଆଜି ବି ମନକୁ ଆନ୍ଦୋଳିତ କରି ଦେଉଛି ପାକିସ୍ତାନ ସେନା ସହ ଲଢ଼େଇ କରିଥିବା ସେହି ବୀର ଭାରତୀୟ ଯବାନଙ୍କ ମନକୁ । ଏମିତି ଜଣେ ବୀର ହେଲେ କଟକର ଅବସରପ୍ରାପ୍ତ ସୁବେଦାର କୈଳାସ ଚନ୍ଦ୍ର ବିଶ୍ୱାଳ । କୁହନ୍ତି, ସେହି ଯୁଦ୍ଧର ଘମାଘୋଟ ଓ ବିଭୀଷିକା କଥା ମନେ ପଡିଗଲେ ଶିହରି ଉଠୁଛି ଦେହ ।

୧୯୭୧ ଡିସେମ୍ବର । ପାକିସ୍ତାନର ବର୍ବରତାକୁ ଦମନ କରିବାକୁ ଭାରତ ନେଲା କଡ଼ା ପଦକ୍ଷେପ । ଅତ୍ୟାଚାରୀ ଶାସନରୁ ବାଂଲାଦେଶକୁ ମୁକ୍ତ କରିବାକୁ ଭାରତୀୟ ସେନା ଆରମ୍ଭ କଲା ଅଭିଯାନ । ବାଂଲାଦେଶ ମୁକ୍ତିବାହିନୀକୁ ସାହାଯ୍ୟ କରିବାକୁ ଯୁଦ୍ଧ ଘୋଷଣା କଲେ ଭାରତ ସରକାର । ଭାରତୀୟ ସେନାର ସୌର୍ଯ୍ୟ ଆଗରେ ହାର ମାନିଲା ପାକିସ୍ତାନ । ଆଜିର ଦିନରେ ପରାଜିତ ହୋଇ ଆତ୍ମସମର୍ପଣ କରିଥିଲା ପାକିସ୍ତାନ । ପୂର୍ବ ପାକିସ୍ତାନ ସ୍ବାଧୀନ ହୋଇ ଜନ୍ମ ନେଲା ବାଂଲାଦେଶ । ଏହାରି ମଧ୍ୟରେ ବିହାର ରେଜିମେଣ୍ଟ ସିକ୍ସ ବାଟେଲିୟନରେ ଯୋଗ ଦେଇଥିଲେ ସୁବେଦାର କୈଳାସ ଚନ୍ଦ୍ର ବିଶ୍ବାଳ । ଯୁଦ୍ଧରେ ସାମିଲ ହୋଇ ପାକିସ୍ତାନର ଅନେକ ଯୁଦ୍ଧ ଗାଡ଼ି ନଷ୍ଟ କରିଛନ୍ତି । ଆଜି ସାରା ଦେଶ ବିଜୟ ଉତ୍ସବ ପାଳୁଥିବାବେଳେ ସେଦିନର କଥା ମନେ ପକାଇଛନ୍ତି ବୀର କୈଳାସ ।

ଅବସରପ୍ରାପ୍ତ ସୁବେଦାର କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ସୋଗଲ ଗାଁରେ । ବର୍ତ୍ତମାନ ସେ କଟକ ଚାଉଳିଆଗଞ୍ଜ ଡିଭାଇନ୍ ନଗରରେ ୨ ପୁଅ ସ୍ତ୍ରୀ ନାତିଙ୍କ ସହ ରହୁଛନ୍ତି । ତଥାପି ବୟସର ଅପରାହ୍ନରେ ଅତୀତର ଯୁଦ୍ଧର ଘଟଣା ମନେ ପଡିଗଲେ ସେହି ସୌର୍ଯ୍ୟର ଘଟଣାକ୍ରମ ତାଙ୍କ ଆଖି ଆଗରେ ଝଲସି ଉଠେ । ବାପାଙ୍କ ମୁହଁରୁ ସେହି ବୀରତ୍ବର କଥା ଶୁଣି ପରିବାର ବି ନିଜକୁ ବେଶ ଗର୍ବ ଅନୁଭବ କରନ୍ତି ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି, ମାଆ ଯଶୋଦାଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ

ପୁରୀ: ଆଜି ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ପରମ୍ପରା ଅନୁସାରେ ମାଆ ଲକ୍ଷ୍ମୀ ଏକ ମାସ ପାଇଁ ବାପ ଘରକୁ ଯାଇଥିବାରୁ ମାଆ ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରୁଛନ୍ତି ସ୍ବାଦିଷ୍ଟ ବ୍ୟଞ୍ଜନ । ସୂର୍ଯ୍ୟୋଦୟ ପୂର୍ବରୁ ଏହା ମହାପ୍ରଭୁଙ୍କୁ ଅର୍ପଣ କରାଯାଏ । ଆଜିର ଦିନରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିବାର ବିଶ୍ୱାସ ରହିଥିବାରୁ ପୁରୀରେ ଦେଖିବାକୁ ମିଳିଥି ପ୍ରବଳ ଗହଳି ।

ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ଶ୍ରୀମନ୍ଦିରରେ ଚାଲିବ ପହିଲି ଭୋଗ ନୀତି । ଏଥିପାଇଁ ବଡି ଭୋର ୨ ଟା ୪୦ ରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯାଇ ନୀତି ଅନୁଷ୍ଠିତ ହୋଇଥିଲା । ପରେ ଭିତର ଶୋଧ, ମଙ୍ଗଳ ଆଳତୀ ଓ ରୋଷ ହୋମ, ମଇଲମ ଓ ତଡପ ଲାଗି କରାଯାଇ ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ପରେ ପହିଲି ଭୋଗ ଓ ଗୋପାଳ ବଲ୍ଲଭ କରାଯାଇଥିଲା । ଏହି ସ୍ବତନ୍ତ୍ର ନୀତିକାନ୍ତି ଆଗାମୀ ଏକ ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଶୀଘ୍ର ମହାପ୍ରସାଦ ପାଇବେ ।

ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନେଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇରଚୁଳ ଆଦି ଭୋଗ କରାଯାଇଥାଏ । ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ମହାପ୍ରଭୁଙ୍କ ଅବକାଶ ଓ ମଙ୍ଗଳ ଆଳତି ବଢିବା ପରେ ମହାପ୍ରଭୁଙ୍କୁ ପହିଲି ଭୋଗ ଲାଗି କରାଯାଏ ।

ଏଠି ନଦୀ ଅଛି ହେଲେ ବାଲି ନାହିଁ: ଆନ୍ଧ୍ର ଚାଲାଣ ହେଉଛି ଓଡ଼ିଶା ବାଲି, ଗଞ୍ଜାମରେ ଲୁଟେରା ରାଜର ଅନ୍ତ କେବେ ?

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବନ୍ଦ ହେଉନି ବାଲି ଚୋରା ଚାଲାଣ । ପ୍ରଶାସନ ଡାଳେ ଡାଳେ ଗଲେ ବାଲି ମାଫିଆ ଯାଉଛନ୍ତି ପତରେ ପତରେ । ନଦୀ ଗର୍ଭରେ ପଡିଛି ହାଇଓ୍ବା । JCB ମାଧ୍ୟରେ ଲୋଡ଼ ହୋଇ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି ଶହ ଶହ ଟ୍ରକ ବାଲି । ଦିନ ଦି ପହରେ ଏଭଳି ବାଲି ଲୁଟ୍ ହେଉଛି ଦିଗପହଣ୍ଡି ତହସିଲ ଅଂଚଳରେ । ଭିନ୍ନ ଭିନ୍ନ ନଦୀଗର୍ଭ ବା ସଇରତ ରହିଥିବା ବେଳେ ସବୁଠି ସରକାରଙ୍କୁ ଠକି ବିନା ଟେଣ୍ଡର ବିନା Y ଫର୍ମ ରେ ଚାଲାଣ ହେଉଛି କୋଟି କୋଟି ଟଙ୍କାର ବାଲି ।

ଗଞ୍ଜାମରେ ବାଲି ଚୋରା ଚାଲାଣର ଗୋଲକ ଧନ୍ଦା । ନଦୀ ଶଯ୍ୟା ଅଛି ହେଲେ ବାଲି ନାହିଁ । ଲମ୍ବିଛି କଳା ବେପାରୀଙ୍କ ତାଲିକା । ବିନା ଟେଣ୍ଡର, ବିନା Y ଫର୍ମରେ ବାଲି ବୋହି ନେଉଛନ୍ତି ଲୁଟେରା  । ଅକ୍ସନ ନହୋଇ ମଧ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ସର୍କଲର ଗୌଡ଼ଗାଁ, ବଜ୍ରଗୁମା, ଚଷା ନିମଖଣ୍ଡି, ଭୀଷ୍ମଗିରି, ମୌଳାଭଣଜାର ବିଭିନ୍ନ ଲିଜ ପଏଣ୍ଟରୁ ବାଲି ମାଫିଆ ବୋହି ନେଉଛନ୍ତି ବାଲି ।

ଜିଲ୍ଲାରେ ବାଲି ଚୋରା ଚାଲାଣର ସୀମା ଲଙ୍ଘିଛନ୍ତି ବାଲି ମାଫିଆ । ପୂର୍ବରୁ ଲିଜ ପଏଣ୍ଟର ଟେଣ୍ଡର ତହସିଲ ଅଧୀନରେ ହେଉଥିବା ବେଳେ ବର୍ତ୍ତମାନ ମାଇନିଂ ବିଭାଗ ହାତକୁ ଯାଇଛି । ହେଲେ ମାଇନିଂ ଅଧିକାରୀ, ତହସିଲଦାର କିମ୍ବା ପୋଲିସର କାର୍ଯ୍ୟାନୁଷ୍ଠାନ ଅବହେଳାରୁ ବାଲି ଆନ୍ଧ୍ର ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।

କିଛିଦିନ ତଳେ ସମାନ ମାମଲାରେ ଛତ୍ରପୁର ଅଞ୍ଚଳରୁ କୃପାସିନ୍ଧୁ ମୁଦୁଲି ଏବଂ ସହଯୋଗୀଙ୍କୁ ଗିରଫ କରାଯାଇଛି  । ହେଲେ ଏବେ ଅନ୍ୟ ବାଲି  ମାଫିଆ କିଭଳି ଖସି ଯାଉଛନ୍ତି ବୋଲି ପ୍ରଶ୍ନ ଉଠିଛି । ରାଜସ୍ବ ନିରୀକ୍ଷକ, ତହସିଲଦାର ଓ ମାଇନିଂ ଅଧିକକାରୀଙ୍କ  ଜାଣତରେ ଏହି କଳା ବେପାର ଚାଲିଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି  । ନଦୀଗର୍ଭ ବା ସଇରତରେ ହାଇଓ୍ବା ଓ ଜେସିବି ମେସିନରେ ବାଲି ଲୋଡ଼ ପାଇଁ ଅନୁମତି ନାହିଁ  । ହେଲେ କିଭଳି ନଦୀ ଗର୍ଭରେ ପଶୁଛି ବଡ ବଡ ଗାଡି ତାକୁ ନେଇ ପ୍ରଶ୍ନ ଉଠିଛି । ଦିଗପହଣ୍ଡି ତହସିଲରେ ୬ଟି ସଇରତ ଉପରେ ପ୍ରଶାସନ ଓ NGT ନିକଟରେ ଅଭିଯୋଗ  ହୋଇଥିବା ସୂଚନା ରହିଛି ।

ଗଞ୍ଜାମ ଭାୟା ବ୍ରହ୍ମପୁର ଦେଇ ଆନ୍ଧ୍ର ଚାଲାଣ ହେଉଛି ହଜାର ହଜାର ଟ୍ରକ ବାଲି । ଶହ ଶହ ଜେସିବି ନଦୀଶଯ୍ୟାକୁ ବିଦାରି କରୁଛନ୍ତି ବାଲି ଚୋରି । ଲଗାମ ଲଗାଇବାକୁ କେହି ନଥିବାରୁ ରାଜସ୍ବହାନୀ ସହ ପରିବେଶ କ୍ଷତିଗ୍ରସ୍ତ ହେବାରେ ଲାଗିଛି ।

ସୁନା ଶଙ୍ଖ ବିକ୍ରି ଘଟଣାର ପର୍ଦ୍ଦାଫାସ, ୪ ଗିରଫ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ । ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି । ଠକମାନେ ପୁରୀ ଜିଲ୍ଲା ଗୋଡିଶାଗଡା ଥାନା ଅନ୍ତର୍ଗତ ଅଲିବାଗ ଗ୍ରାମର ରାଜେଶ ପଲେଇଙ୍କୁ ଏଭଳି ଠକିଥିଲେ । ରାଜେଶ ଏ ନେଇ ଗତ ନଭମ୍ବର ୪ରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ସୂଚନା ଅନୁସାରେ, ଉମରକୋଟ ଥାନା ଅନ୍ତର୍ଗତ ଏକମ୍ୱା ଗ୍ରାମର ପଲ୍ଲବ ନାମକ ଜଣେ ବ୍ୟକ୍ତି ପୁରୀ ଜିଲ୍ଲାର ରାଜେଶ ପଲେଇଙ୍କୁ ଏକ ଶଙ୍ଖ ଦେଖାଇ ଏହା ସୁନା ବୋଲି କହିବାକ ସହ ବିକ୍ରି କରିବାକୁ ଚାହିଁ ଥିଲା । ଏହାର ମୂଲ୍ୟ ସେ ୩ ଲକ୍ଷ ଟଙ୍କା କହିଥିଲା । ରାଜେଶ ତାଙ୍କ ବାପାଙ୍କୁ ଫୋନ କରି ସୁନା ଶଙ୍ଖ ସମ୍ପର୍କରେ କହିବା ସହ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ରାଜେଶଙ୍କ ବାପା ଏକମ୍ବା ଆସିଥିଲେ ଓ ପଲଭଠାରୁ ସୁନା ଶଙ୍ଖକୁ ୩ ଲକ୍ଷ ଟଙ୍କାରେ କ୍ରୟ କରିଥିଲେ । ଯେତେବେଳେ ରାଜେଶଙ୍କ ବାପା ଶଙ୍ଖକୁ ପରୀକ୍ଷା କରିବା ପାଇଁ ବାହାରିଥିଲେ, ପଲଭ ଏପରି ନପରିବାକୁ କହିବା ସହ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ । ପରେ ରାଜେଶ ଓ ତାଙ୍କ ବାପା ଶଙ୍ଖକୁ ପରୀକ୍ଷା କରି ଦେଖିବା ବେଳକୁ ଏହା ସୁନା ନୁହେଁ ପିତ୍ତଳ ବୋଲି ଜଣା ପଡିଥିଲା ।

ସତ ଜାଣିବା ପରେ ରାଜେଶ ନଭେମ୍ବର ୪ ତାରିଖରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଶିବାଜୀ ନଗରର ଛବିନ୍ଦ୍ର ସାହୁ, ଡାବୁଗାଁ ଥାନାର ଜାମଗୁଡ଼ା ଗ୍ରାମର ଗଣେଶ ପନକା, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର କ୍ରିଷ୍ଣା ପନକା, ଡାବୁଗାଁ ଥାନା ଅନ୍ତର୍ଗତ ମାଝୀଗୁଡ଼ା ଗ୍ରାମର ହିରାସିଂ ହରିଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଦୁଇଟି ପିତଳ ଶଙ୍ଖ, ୪୦ ହଜାର ଟଙ୍କା, ଗୋଟିଏ କାର, ଦୁଇଟି ଛୁରୀ, ଦୁଇଟତ ଲାଠି ଓ ୪ଟି ମୋବାଇଲ ଜବତ କରିଛି । ଉମରକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାପଡ଼ାହାଣ୍ଡି ପୋଲିସ ଉପଖାଣ୍ଡ ଅଧିକାରୀ ଆଦିତ୍ୟ ସେନ୍ ଏନେଇ ସୂଚନା ଦେଇଛନ୍ତି ।

ଏସଓଜି-ମାଓବାଦୀ ଗୁଳି ବିନିମୟ, ଏବେ ବି ଚାଲିଛି ସର୍ଚ୍ଚ ଅପରେସନ

ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ଏସଓଜି-ମାଓବାଦୀ ଗୁଳି ବିନିମୟ ଘଟଣା । ଏବେବି ଜାରି ରହିଛି ସର୍ଚ୍ଚ ଅପରେସନ । ଗତକାଲି ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳର ନଳୀକୁମ୍ପା ଗାଁ ପାଖ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ-ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ ସର୍ଚ୍ଚ ଅପରେସନ ଜାରି ରହିଛି । ବହୁ ମାଓବାଦୀ କ୍ୟାମ୍ପ ଧ୍ବଂସ ସାଙ୍ଗକୁ ସେମାନ ସାମଗ୍ରୀ ଜବତ ହୋଇଛି । ଜିଲୋଟିନ, ଲ୍ୟାଣ୍ଡମାଇନ, ବୋମା, ତାର, ବ୍ୟାଟେରୀ ସହ ଅନେକ ସାମଗ୍ରୀ ପୋଲିସ ହାତରେ ଲାଗିଛି । ଗୁଳି ବିନିମୟରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଆଜି ବି ଉଭୟ ପଟୁ ୬ ଶହରୁ ଅଧିକ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ତେଜସ ରାଜଧାନୀ ଏକ୍ସପ୍ରେସରେ ବଡ ଚୋରି, ଲୁଟିନେଲେ ୬୦ ଲକ୍ଷ

କୋଟା: ରାଜସ୍ଥାନରେ ଚଳନ୍ତା ଟ୍ରେନରେ ବଡ ଚୋରି  । ଦିଲ୍ଲୀ ମୁମ୍ବାଇ ତେଜସ ରାଜଧାନୀ ଏକ୍ସପ୍ରେସରେ ବଡ ଡକାୟତି  । କୋଟା ରେଳ ଷ୍ଟେସନ ନିକଟରେ ରାଜଧାନୀ ଟ୍ରେନରେ ଜଣେ ଯାତ୍ରୀଙ୍କ ନିକଟରୁ ନଗଦ ୩୫ ଲକ୍ଷ ଟଙ୍କା ଓ ୨୫ ଲକ୍ଷ ମୂଲ୍ୟର ସୁନାଗହଣା ଲୁଟ୍‌ ହୋଇଛି  । ପୀଡିତ କୋଟା ଜିଆରପି ଥାନାରେ ଏକ ମାମଲା ରୁଜୁ କରିଛନ୍ତି  ।

ପୀଡିତଙ୍କ ନାଁ ଲୋହିତ ରେଗର ବୋଲି ଜଣାପଡିଛି  । ସେ ଦିଲ୍ଲୀର ଏକ ଜୁଏଲରୀ ଦୋକାନରେ କାମ କରନ୍ତି  । ଟଙ୍କା ସହ ସୁନାଗହଣା ମୁମ୍ବାଇ ପହଞ୍ଚାଇବାକୁ ତାକୁ ମାଲିକ ଦିଲ୍ଲୀ ପଠାଇଥିଲେ  । ସେ ଶୁକ୍ରବାର ଦିନ ଦିଲ୍ଲୀରୁ ତେଜସ ରାଜଧାନୀ ଏକ୍ସପ୍ରେସରେ ମୁମ୍ବାଇ ବାହାରିଥିଲା  । କୋଟା ଷ୍ଟେସନ ପହଞ୍ଚିବା ପୂର୍ବରୁ ନଗଦ ଟଙ୍କା ସହ ସୁନାଗହଣା ଭର୍ତ୍ତି ବ୍ୟାଗଟି ଗାଏବ ହୋଇଯାଇଥିଲା  ।

ବହୁ ଖୋଜାଖୋଜି ପରେ ପାଖରେ ଥିବା ୨ ସହଯାତ୍ରୀ ଗାଏବ ହୋଇଯାଇଥିବା ସେ ଜାଣିବାକୁ ପାଇଥିଲେ  । ଏହାପରେ ପୀଡିତ ଜଣକ କୋଟା ଜିଆରପି ଥାନାରେ ଅଭିଯୋଗ କରିଥିଲେ  ।

ସଂସଦ ସ୍ମୋକ କାଣ୍ଡ, ଶେଷ ମୁହୂର୍ତ୍ତରେ ବଦଳିଥିଲା ପ୍ଲାନ୍

ନୂଆଦିଲ୍ଲୀ: ୧୩ ଡିସେମ୍ବରରେ ସଂସଦ ସୁରକ୍ଷାକୁ ଭେଦ କରି କଲର ସ୍ମୋକ ସ୍ପ୍ରେ କରିଥିବା ଅଭିଯୁକ୍ତଙ୍କ ଖୋଲୁଛି ଗୁମର । ଅଭିଯୁକ୍ତମାନେ କେବଳ ସ୍ମୋକ ସ୍ପ୍ରେ କରିବାକୁ ଯୋଜନା କରି ନଥିଲେ । ତାଙ୍କ ପାଖରେ ଥିଲା ଏକାଧିକ ପ୍ଲାନ୍ । ସ୍ମୋକ୍ ସ୍ପ୍ରେ ସହ ଆଉ ଦୁଇଟି ପ୍ଲାନ ବି କରିଥିଲେ ଅଭିଯୁକ୍ତ । ସ୍ମୋକ ସ୍ପ୍ରେ ପୂର୍ବରୁ ଲୋକସଭାରେ ପଶି ଦେହରେ ନିଆଁ ଲଗାଇବା ଓ ଚିରିକୁଟି ବାଣ୍ଟିବାକୁ ମଧ୍ୟ ପ୍ଲାନ କରିଥିଲେ । ଦିଲ୍ଲୀ ପୋଲିସର ପଚରାଉଚରା ବେଳେ ଘଟଣାର ମାଷ୍ଟରମାଇଣ୍ଡ ଲଳିତ ଝା ଏମିତି କିଛି ବୟାନ ଦେଇଛି ।

ପୋଲିସ ଅନୁସାରେ, ପ୍ରଥମେ ଅଭିଯୁକ୍ତମାନେ ସଂସଦ ବାହାରେ ଓ ଭିତରେ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ । ଏହା ପୂର୍ବରୁ ସେମାନେ ଶରୀରରେ ନିଆଁରୁ ବର୍ତ୍ତିବା ପାଇଁ ମିଳୁଥିବା ଜେଲ୍ ଲଗାଇବାକୁ ଯୋଜନା କରିଥିଲେ । ହେଲେ ସେମାନଙ୍କୁ ଉକ୍ତ ଜେଲ ମିଳି ନଥିଲା । ଏହାପରେ ସେମାନେ ‘ପ୍ଲାନ ବି’କୁ ଯାଇଥିଲେ ଓ ସଂସଦ ଭିତରେ ପଶି ସ୍ମୋକ ସ୍ପ୍ରେ କରିଥିଲେ ।

ଅଭିଯୁକ୍ତମାନେ କେବଳ ଲୋକଲୋଚନକୁ ଆସିବାକୁ ଏମିତି କରି ନଥିବା ତଦନ୍ତାକରୀ ଟିମ୍ ଦାବି କରିଛି । ଘଟଣା ପରେ ଲଳିତ ନିଜର ଓ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଳକୁ ଜାଳି ଦେଇଥିବା ଦାବି କରିଛି । ଯାହାକୁ ପୋଲିସ ସତ ବୋଲି ଭାବୁନାହିଁ ।

ଲଳିତର ଦାବିକୁ ପୋଲିସ ବିଶ୍ବାସ କରୁନି

ସଂସଦ ଭିତରେ ସ୍ମୋକ ସ୍ପ୍ରେ କରିବା ପରେ ଲଳିତ ସମସ୍ତଙ୍କ ମୋବାଇଲ ଧରି ଫେରାର ହୋଇଯାଇଥିଲା । ଯାହାକୁ ସେ ନଷ୍ଟ କରି ଦେଇଥିବା କହିଛି । ହେଲେ ପୋଲିସକୁ ଲଳିତର ଏହି ଦାବି ଉପରେ ବିଶ୍ବାସ ନାହିଁ । ଏହି ମୋବାଇଲରେ ଯୋଜନାର ବହୁତ ପ୍ରମାଣ ଥିବା ଓ ଅନ୍ୟ ଲୋକଙ୍କ ନମ୍ବର ବି ଥିବ ଯେଉଁମାନେ ଯୋଜନାରେ ସାମିଲ ଥିଲେ । ତଦନ୍ତକୁ ଦିଗହରା କରିବାକୁ ଲଲିତ ଏମିତି କହୁଥିବା ପୋଲିସ ଭାବୁଛି । ତଦନ୍ତକାରୀ ଟିମ ଏମିତି ଚିନ୍ତା କରିବାରର ବି କାରଣ ରହିଛି । କାରଣ ତଦନ୍ତରେ ଲଳିତ ସହଯୋଗ କରୁନାହିଁ ଓ ବାରମ୍ବାର ନିଜର ବୟାନ ବଦଳାଉଛି ।

ମାଆ ସହ ଦାଦାଙ୍କ ମଜା ସହି ପାରିଲାନି ୧୧ ବର୍ଷର ପୁଅ, ଲଗାଇ ଦେଲା ରଶି

କାନପୁର: ଉତ୍ତରପ୍ରଦେଶର କାନପୁରରେ ଜଣେ ୫ମ ଶ୍ରେଣୀ ଛାତ୍ର ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କାରଣ, ସାହି ମହିଳାଙ୍କ ଆଗରେ ତା’ ମାଆଙ୍କ ସହ ଜଣେ ସମ୍ପର୍କୀୟ ଦାଦା ଥଟ୍ଟାମଜା କରିଥିଲେ । ଯାହା ତାକୁ ଗଭୀର ଆଘାତ ଦେଇଥିଲା । ସେହିଠାରେ ହିଁ ସେ ତା’ ମାଆକୁ ପଚାରିଥିଲା କାହିଁକି ସେ ମଜା କଲେ ଓ କାନ୍ଦିବାକୁ ଲାଗିଥିଲା । ଯେତେ ବୁଝାଇଲେ ବି ସେ ବୁଝି ନଥିଲା ଓ ଘରକୁ ଯାଇ ରଶି ଲଗାଇ ଦେଇଥିଲା ।

ସୂଚନା ଅନୁସାରେ, କାନପୁରର ସଚିଣ୍ଡି ଅଞ୍ଚଳର ଭୌତି ଅଞ୍ଚଳର ପ୍ରତାପପୁର ନଗର ରହିଛି । ସେଠାରେ ରାଧେଶ୍ୟାମ ପରିବାର ସହ ରୁହନ୍ତି । ତାଙ୍କର ତିନି ପୁଅ । ମଝିଆ ପୁଅ ୫ମ ଶ୍ରେଣୀରେ ପଢ଼େ । ବୟସ ପ୍ରାୟ ୧୧ ବର୍ଷ ହେବ । ତା’ ଦୁନିଆ ତା’ ମାଆକୁ ନେଇ । ସେ ତା’ ମାଆକୁ ଏତେ ଭଲ ପାଏ ଯେ, ତାଙ୍କୁ ଛାଡି କୁଆଡେ ଯାଏନାହିଁ । ସବୁବେଳେ ମାଆ ପାଖେ ପାଖେ ଥାଏ । ଯଦି କେହି ତା’ ମାଆ ଉପରେ ରାଗିଯାଏ ଏହାକୁ ସେ ସହଜରେ ଗ୍ରହଣ କରିପାରି ନଥାଏ ।

ଶୁକ୍ରବାର ଦିନ ପିଲାଟିର ମାଆ ସାହିର ମହିଳାଙ୍କ ସହ ବସିଥିଲେ । ଏହି ସମୟରେ ସାହିର ଜଣେ ଯୁବକ, ଯିଏ ମହିଳାଙ୍କ ସମ୍ପର୍କରେ ଦିଅର ହେବେ କିଛି ମଜା କରି ଦେଇଥିଲେ । ସମସ୍ତଙ୍କ ଆଗରେ ଏମିତି ମଜା କରିବା ପିଲାଟିକୁ ଭଲ ଲାଗି ନଥିଲା । ସେହିଠାରେ ହିଁ ସେ ତା’ ମାଆ ସହ ଝଗଡ଼ା ଆରମ୍ଭ କରି ଦେଇଥିଲା ଓ ପଚାରି ଥିଲା ସେ ତୁମ ସହ କାହିଁକି ମଜା କଲା ।

ମହିଳା ଜଣଙ୍କୁ ତାକୁ ବୁଝାଇଥିଲେ ଯେ, ସେ ଦିଅର ହେବେ ସେଥିପାଇଁ ମଜା କରିଦେଲେ । ଭାଉଜ ଓ ଦିଅର ସମ୍ପର୍କରେ ଏମିତି ଥଟ୍ଟାମଜା ହୋଇଥାଏ । ହେଲେ ପିଲାଟି ଶାନ୍ତ ହୋଇ ନଥିଲା । ଏପରିକି ପିଲାଟିର ପିଉସୀ ବି ତାକୁ ବୁଝାଇଥିଲେ ।

ଏହାପରେ ପିଲାଟି ଘରକୁ ପଳାଇ ଆସିଥିଲା । ହେଲେ ମାଆ ସହ ଏମିତି ମଜା ତାକୁ ଗଭୀର ଆଘାତ ଦେଇଥିଲା । ଘରେ ପହଞ୍ଚିବା ପରେ ବି ସେ କାନ୍ଦିବାକୁ ଲାଗିଥିଲା । ପରିବାର ଲୋକେ ବୁଝାଇବା ପରେ ସେ ଶାନ୍ତ ହୋଇ ଯାଇଥିଲା । ଏହାପରେ ତା’ ମାଆ ବଜାର ପରିବା କିଣିବାକୁ ଯିବାକୁ ଡାକିଥିଲେ । ହେଲେ ସେ ମାଆ ସହ ନଯାଇ ଘରେ ଖେଳିବ ବୋଲି କହିଥିଲା । ମାଆ ବଜାର ଚାଲିଯିବାର କିଛି ସମୟ ପରେ ସେ ଭିତର ପଟୁ କବାଟ ବନ୍ଦ କରି ଆତ୍ମହତ୍ୟା କରିଦେଇଥିଲା । ପିଲାର ପିଉସୀ ଏହା ଦେଖି ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ । ହେଲେ ସେତେବେଳକୁ ପିଲାଟିର ମୃତ୍ୟୁ ଘଟି ଚାଲିଥିଲା ।

ମାବାପାଙ୍କ ମୁହଁକୁ ଚାହିଁ ପରିଶ୍ରମ କରିବାକୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ କାର୍ତ୍ତିକ ପାଣ୍ଡିଆନ

ବ୍ରହ୍ମପୁର: ୫ ବର୍ଷ ପରିଶ୍ରମ କରନ୍ତୁ ୫୦ ବର୍ଷ ମିଳିବ ଖୁସି  । ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଛାତ୍ରଛାତ୍ରୀଙ୍କୁ ଖୁସି ଖବର ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  । ଆସନ୍ତା ମାସରୁ ହିଞ୍ଜିଳିରେ ଗଡିବ ଲକ୍ଷ୍ମୀ ବସ  । କଲେଜ ପିଲା ମାତ୍ର ୫ ଟଙ୍କା ଦେଇ ଯେକୌଣସି ପଞ୍ଚାୟତରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ପହଞ୍ଚିପାରିବେ  । କଲେଜ ରୂପାନ୍ତରଣ ନେଇ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ 5T ଅଧ୍ୟକ୍ଷ  । ୬ ମାସ ପୂର୍ବରୁ କଲେଜର ସ୍ଥିତି ଆଉ ଏବେକାର ସ୍ଥିତି ସମ୍ପର୍କରେ ସେ ଛାତ୍ରଛାତ୍ରୀଙ୍କ ମତ ଲୋଡିଛନ୍ତି  ।

ସେହିପରି ନିଜ ମାତାପିତାଙ୍କ ମୁହଁକୁ ଚାହିଁ କଠିନ ପରିଶ୍ରମ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି  । ମାତା, ପିତା, ଗୁରୁଙ୍କୁ କେବେବି ନ ଭୁଲିବା ପାଇଁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟଦୋରା ଜୁନିୟର ସାଇନ୍ସ କଲେଜରେ ପ୍ରଥମେ ପହଞ୍ଚିବା ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।