ବୌଦ୍ଧରେ ତିଆରି ହେଉଛି ବଡ଼ ବଡ଼ ଟନେଲ, ଗଡ଼ିବ ଟ୍ରେନ୍

1 min read

ବୌଦ୍ଧ: ବୌଦ୍ଧରେ ନିର୍ମାଣ ହେଉଛି ବଡ଼ ବଡ଼ ଟନେଲ । ବୌଦ୍ଧରୁ ଦଶପଲ୍ଲା ପର୍ଯ୍ୟନ୍ତ ମୋଟ ୭ଟି ଟନେଲ ନିର୍ମାଣ କରାଯାଉଛି । ଆଡେଣିଗଡ଼ଠାରେ ନିର୍ମାଣ ହେଉଛି ସବୁଠାରୁ ବଡ଼ ଟନେଲ । ଏହାର ଲମ୍ବ ୪ କିଲୋମିଟର ରହିଛି । ସେପଟେ ମାର୍ଦ୍ଧଙ୍ଗଠାରେ ନିର୍ମାଣ ହେଉଥିବା ଟନେଲରେ ଉଭୟ ପଟକୁ ରହିଛି ବାଟ । ଜାଣିଲେ ଖୁସି ହେବେ, ବୌଦ୍ଧ ଦେଇ ରେଳ ଚଳାଚଳ ହେବ । ଏଥିପାଇଁ ଇଷ୍ଟକୋଷ୍ଟ ରେଲଓ୍ବେ ଏହି ସବୁ ଟନେଲ ନିର୍ମାଣ କରୁଛି । ଏହି ସମସ୍ତ ଟନେଲ ନିର୍ମାଣ କାମକୁ ସୋସିଆଲ ମିଡିଆରେ ଇଷ୍ଟକୋଷ୍ଟ ରେଳଓ୍ବେ ପକ୍ଷରୁ ସେୟାର କରାଯାଇଛି ।

ସୂଚନାଯୋଗ୍ୟ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ମାଗଣା ଜମି । ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ମଧ୍ୟ ରାଜ୍ୟ ସରକାର ବହନ କରୁଛନ୍ତି । ରେଳ ଲାଇନ ବିଛା ଯିବା ପାଇଁ ବିଭିନ୍ନ ପାହାଡ କାଟି ରେଳବାଇ ପକ୍ଷରୁ ଟନେଲ ନିର୍ମାଣ କରାଯାଉଛି । ଆଡ଼େଣିଗଡରେ ତିଆରି ହେଉଥିବା ଟନେଲ ଲମ୍ବ ୪ କିମି ରହିଛି । ଯାହା ହେବ ଓଡ଼ିଶାର ସବୁଠାରୁ ବଡ ଟନେଲ । ତେଇଶମାଇଲରେ ୭ ନମ୍ବର ଟନେଲ ନିର୍ମାଣ ଚାଲିଛି । ମାର୍ଦ୍ଧିଙ୍ଗ ଗ୍ରାମରେ ନିର୍ମାଣ ହେଉଛି ୨ଟି ଟନେଲ । ଆଉ ୩ଟି ଟନେଲ ଦଶପଲ୍ଲାଠାରୁ ମାଧପୁର ମଧ୍ୟରେ ନିର୍ମାଣ ଚାଲିଛି । ଦ୍ରୁତ ଗତିରେ ନିର୍ମାଣ ଚାଲିଥିବା ବେଳେ ଗତକାଲି ଟନେଲ ନମ୍ବର ୫ର ବାଟ ଉଭୟ ପଟୁ ଖୋଲିଛି । ଯାହାର ଫୋଟ ଓ ଭିଡ଼ିଓ ରେଳବାଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ଗମନାଗମନ ଓ ପରିବହନ କ୍ଷେତ୍ରରେ ମୁଖ୍ୟତଃ ପଶ୍ଚିମ ଓଡିଶାର ୪ଟି ଜିଲ୍ଲାକୁ ପୂର୍ବ ଓଡିଶା ସହ ଯୋଡିବା ପାଇଁ ୧୯୯୪-୯୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଡିଆରମଙ୍କ କହିବା ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲାକୁ ରେଳ ଗଡିବ । ଅଳ୍ପ ଦିନ ବ୍ୟବଧାନରେ ଜିଲ୍ଲାବାସୀ ରେଳ ସେବା ପାଇବାକୁ ଯାଉଥିବାରୁ ରାଜ୍ଯ ସରକାରଙ୍କୁ ଧନ୍ଯବାଦ ଜଣାଇଛନ୍ତି ।