ନବୀନଙ୍କ ଉପରେ ବଢୁଛି ଆସ୍ଥା: ୨୪ ନିର୍ବାଚନ ଟିକେଟ ପାଇଁ ଆସିଲା ୧୦ ହଜାର ଆଶାୟୀଙ୍କ ଆବେଦନ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଉପରେ ବଢୁଛି ଆସ୍ଥା । ବିଜେଡି ଉପରେ ଦୃଢ଼ ବିଶ୍ବାସ । ଆଗାମୀ ନିର୍ବାଚନରେ ଦଳର ଐତିହାସିକ ବିଜୟ ନେଇ ବିଭିନ୍ନ ସର୍ଭେ ରିପୋର୍ଟ ଆସିବା ପରେ ଟିକେଟ୍ ପାଇଁ ପ୍ରାୟ ୧୦ ହଜାର ଆବେଦନ ଆସିଛି । ଜାତୀୟ ଦଳ ନେତାଙ୍କଠାରୁ ଆରମ୍ଭ କରି ପେସାଦାର ବ୍ଯକ୍ତି ବିଶେଷ ବିଜେଡି ଟିକେଟ୍ ପାଇଁ ଆବେଦନ କରିଛନ୍ତି । ସେପଟେ ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦା ହୋଇଥିବା ନେତାଙ୍କୁ ନେଇ ବିରୋଧୀ ବୃଥା ପ୍ରୟାସ କରୁଥିବା ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ହେଉଛି ।

ବିଜେଡି ମୁହାଁ ନେତା ଓ ପେସାଦାର ବ୍ୟକ୍ତି ବିଶେଷ । ସର୍ଭେ କହୁଛି, ଶଙ୍ଖମୟ ହେବ ଓଡ଼ିଶା । ୧୨୮ ବିଧାୟକ ଓ ୧୮ ସାଂସଦ ଆସନ ପାଇ ନବୀନ ରଚିବେ ଇତିହାସ । ପ୍ରଣବଙ୍କ ଟ୍ବିଟ୍ ପରେ ସ୍ବର ମିଳାଇଲେ ବିଜେଡି ନେତା । ବିଜେଡିରୁ ବିଦା ଜନ ବିରୋଧୀ ନେତାଙ୍କୁ ଆପଣାଉଛନ୍ତି ବିରୋଧୀ । ଦେଶର ସବୁଠାରୁ ଶକ୍ତିଶାଳୀ ଆଞ୍ଚିଳିକ ଦଳ ଭାବେ ଉଭା ହୋଇଛି ବିଜେଡି । ନବୀନ ନେତା ନମ୍ବର ଓ୍ବାନ । ୨୦୨୪ରେ ଐତିହାସିକ ବିଜୟ ଲାଭ କରିବ ବିଜେଡି । ଦେଶର ରାଜନୀତିରେ ଲେଖାହେବ ନୂଆ ଇତିହାସ । ନବୀନ ପଟ୍ଟନାୟକ ଦେଶର ଲମ୍ବା ସମୟ ଓ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ପୁଣି ୧ ନମ୍ବର ହେବେ । ଓଡ଼ିଶାବାସୀ ଏପରି ମନସ୍ଥ କରିଛନ୍ତି । ଯାହାକୁ ଖୋରାକ୍ ଯୋଗାଇଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ । ୨୦୨୨ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ବିଜେଡି ଦଖଲ କରିଛି । ଏହାକୁ ନଜରରେ ରଖି ଆଗାମୀ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ିବା ପାଇଁ ଏଯାଏଁ ୧୦ ହଜାରରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜାତୀୟ ଦଳର ନେତା ଓ ବହୁ ପେସାଦାର ବ୍ୟକ୍ତି ବିଶେଷ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ସୋସିଆଲ ମିଡିଆ ଏକ୍ସରେ ଏହା ଲେଖିଛନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜେଡି ଆଗାମୀ ନିର୍ବାଚନରେ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ଦଳ କହିଛି ।

ଅନ୍ୟପଟେ ଦୁଇ ଜାତୀୟ ଦଳ ବିଜେଡିରୁ ବିଦା ହୋଇଥିବା ଜନ ବିରୋଧୀ ନେତାଙ୍କୁ ନିଜ ଦଳରେ ସାମିଲ କରି ପ୍ରାର୍ଥୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଜନବିରୋଧୀ ନେତାଙ୍କୁ  ନେଇ ବିରୋଧୀ କୌଣସି ଫାଇଦା ପାଇବେ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।