ଆମ ହସ୍ପିଟାଲ ଯୋଜନାରେ ୬୭ ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୧୫ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ଡାକ୍ତରଖାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ସ୍ୱାସ୍ଥ୍ୟ କ୍ଷେତ୍ରକୁ ମଜବୁତ କରିବା ପାଇଁ କାର୍ଯ୍ୟକାରୀ ହୋଇଥିବା ରାଜ୍ୟ ସରକାରଙ୍କ ‘ଆମ ହସ୍ପିଟାଲ’ ଯୋଜନାରେ ଏହି ଚିକିତ୍ସାଳୟ ଲୋକାର୍ପଣ ହୋଇଛି । ଏଥିସହ ସୁବର୍ଣ୍ଣପୁରର ୩୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଝାରସୁଗୁଡ଼ାରେ ବିଏମ ଆରସି ହୃଦରୋଗ ଚିକିତ୍ସାଳୟର ମଧ୍ୟ ଉଦଘାଟନ ହୋଇଛି ।

ଆମ ହସ୍ପିଟାଲ ଯୋଜନାର ଆଜି ଦ୍ଵିତୀୟ ପର୍ଯ୍ୟାୟରେ ଅନୁଗୋଳ ଜିଲ୍ଲାରେ ୬, ବଲାଙ୍ଗୀରର ୫, ଦେବଗଡ଼ର ୧, ସୁବର୍ଣ୍ଣପୁରର ୨, ବାଲେଶ୍ଵରରେ ୮, ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ପୁରୀରେ ୫, ଖୋର୍ଦ୍ଧାରେ ୭ , ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ରୂପାନ୍ତରିତ ସରକାରୀ ଚିକିତ୍ସାଳୟର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମ ହସ୍ପିଟାଲ ଯୋଜନାର ପ୍ରଥମ ପର୍ଯ୍ୟାୟର ୭୩ଟି ରୂପାନ୍ତରିତ ଚିକିତ୍ସାଳୟର ଲୋକାର୍ପଣ କରାଯାଇଥିଲା ।