ସ୍ତ୍ରୀ କାଠ ଫାଳିଆ ମାଡ଼ରେ ସ୍ବାମୀ ମୃତ

1 min read

ଦାରିଙ୍ଗବାଡି: ସ୍ବାମୀ-ସ୍ତ୍ରୀ ସାଙ୍ଗ ହୋଇ ବଜାର ଗଲେ । ମାତାଲ ହୋଇ ଘରକୁ ଫେରିଲେ । ସନ୍ଧ୍ୟାରେ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା । ଏଥିରେ ଉତ୍ତେଜିତ ହୋଇ ଏକ କାଠ ଫାଳିଆରେ ପିଟି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏମିତି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗାବଡ଼ି ଥାନା ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ, ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ପଞ୍ଚାୟତ ମାର୍ଦ୍ଧିପଙ୍କା ଛକରେ ଏହି ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ମାଡ଼ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ନେତ୍ର ମାଝି । ନେତ୍ର ଏବଂ ତାଙ୍କ ପତ୍ନୀ ସୁଭନ୍ତୀ ମାଝି ଗତକାଲି ଦାରିଙ୍ଗବାଡି ବଜାରକୁ ଯାଇଥିଲେ । ସେଠାରେ ମଦ ପିଇ ମାତାଲ ଅବସ୍ଥାରେ ଉଭୟ ଘରକୁ ଫେରିଥିଲେ । କୌଣସି କଥାକୁ ନେଉ ଘରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହଠାତ୍ ସୁଭନ୍ତୀ ରାଗିଯାଇ ଏକ କାଠ ଫାଳିଆରେ ସ୍ଵାମୀକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ନେତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଖବରପାଇ ସ୍ଥାନୀୟ ସରପଞ୍ଚ ଦାରିଙ୍ଗବାଡି ଥାନା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ଏସଡିପିଓ ରାହୁଲ ଗୋଏଲଙ୍କ ନେତୃତ୍ଵରେ ସାଇଣ୍ଟିଫିକ ଟିମ୍ ଏବଂ ଥାନା ଅଧିକାରୀ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।