ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ବିଶ୍ବରେ ପୁଣି ଚମକିବ ବାରବାଟୀ

1 min read

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ ହେବ ବିଶ୍ବସ୍ତରୀୟ । 5T ଉପକ୍ରମରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଯାହା ବିଶ୍ଵକ୍ରୀଡା ଜଗତରେ କଟକକୁ ଆଣି ଦେବ ସୁନାମ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଅନୁଷ୍ଠାନିକ ଭାବେ କରିବେ ଘୋଷଣା । ଯାହାକୁ ନେଇ କଟକର କ୍ରୀଡ଼ାଜଗତ ଓ ରାଜନୈତିକ ମହଲରେ ଖୁସିର ମାହୋଲ ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମକୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଛି ।

ବାରବାଟୀ ପାଇବ ଓ୍ବାର୍ଲ୍ଡ କ୍ଲାସ କ୍ରିକେଟ ଫିଲ୍ଡର ମାନ୍ୟତା । ଏଥିପାଇଁ ସଜେଇ ହେଉଛି ବାରବାଟୀ ଗ୍ରାଉଣ୍ଡ । ବିରାଟ ଷ୍ଟେଜକୁ ଏଲଇଡ଼ି ଫେମ ୱାଲ ଖଞ୍ଜା ଚାଲିଛି । ସମସ୍ତଙ୍କ ପାଇଁ ପଡୁଛି ଚେୟାର । 5T ଉପକ୍ରମରେ ୬ ଶହ କୋଟି ବ୍ୟୟ ବରାଦରେ ଷ୍ଟାଡିୟମର ହେବ ପୁନଃନିର୍ମାଣ । ଆସନ୍ତାକାଲି ଷ୍ଟାଡିୟମରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହା ଘୋଷଣା କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଗଦେବେ ଇରଫାନ ପଠାନ, ପ୍ରଜ୍ଞାନ ଓଝା, ନେହା କକ୍କରଙ୍କ ପରି ସେଲିବ୍ରେଟି । ଏନେଇ ଓସିଏ କର୍ତ୍ତୃପକ୍ଷ ବେଶ ଖୁସି ପ୍ରକାଶ କରିବା ସହ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ପହଞ୍ଚିଥିବା କହିଛନ୍ତି ।

ଏହି ଐତିହାସିକ ପଦକ୍ଷେପ ସହ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ରାଜ୍ୟ ବିଭିନ୍ନ ଜିଲ୍ଲାରେ ନିର୍ମିତ ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦଘାଟନ କରିବେ । ଉପାନ୍ତରୁ ଉପକୂଳ ସବୁଠି ପ୍ରତିଭାବାନ କ୍ରିକେଟ ଖେଳାଳି ସାମ୍ନାକୁ ଆସିବେ । ଯାହା ରାଜ୍ୟ କ୍ରୀଡା ଜଗତ ପାଇଁ ସ୍ୱର୍ଣ୍ଣିମ ଦିବସ । ଓସିଏ ପ୍ରସ୍ତୁତ କରିଥିବା ୨୦୨୪ ଭିଜନକୁ ଏହା ସାକାର କରିବ । ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କ୍ରୀଡାବିତ ।

ଆସନ୍ତା ତିନି ର୍ବଷ ମଧ୍ୟରେ ବଦଳିବ ସମ୍ପୂର୍ଣ୍ଣ ରୂପରେଖ । ବୁଧବାର ସକାଳୁ ଷ୍ଟାଡିୟମ ବୁଲି ପୂରା ପ୍ରକଳ୍ପର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।