ଜୟା ବଚ୍ଚନଙ୍କୁ ବାରମ୍ବାର ରାଜ୍ୟସଭାକୁ କାହିଁକି ପଠାଉଛି ସମାଜବାଦୀ ପାର୍ଟି, ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ପୁଣି ଥରେ ଜୟା ବଚ୍ଚନଙ୍କୁ ରାଜ୍ୟସଭାକୁ ପଠାଇବାକୁ ଯାଉଛି । ଯଦି ଜୟା ରାଜ୍ୟ ସଭାକୁ ଯାଆନ୍ତି ଏହା ତାଙ୍କର ୫ମ ପାଳି ହେବ । ତେବେ ଜୟାଙ୍କ ପ୍ରାର୍ଥିତ୍ବକୁ ନେଇ ନିଜ ଦଳ ମଧ୍ୟରେ ଆଲୋଚନା ହେବା ଆରମ୍ଭ ହୋଇଯାଇଛି । ଜୟା ବଚ୍ଚନଙ୍କ ପାଖରେ ଏମିତି କ’ଣ ଅଛି, ଯେଉଁ କାରଣରୁ ସମାଜବାଦୀ ପାର୍ଟି ତାଙ୍କୁ ବାରମ୍ବାର ରାଜ୍ୟସଭାକୁ ପଠାଉଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦଳରେ ବହୁତ ବରିଷ୍ଠ ନେତା ଓ କର୍ମକର୍ତ୍ତା ଥିଲେ ବି ଜୟାଙ୍କୁ ବାରମ୍ବାର ରାଜ୍ୟସଭାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ଏପରିକି ଦଳର ଶୀର୍ଷ ନେତାଙ୍କୁ ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି ।

ଏହି କ୍ରମରେ ପଲ୍ଲବୀ ପଟେଲ ପ୍ରଥମେ ବିରୋଧର ସ୍ବର ଉଠାଇଥିଲେ । ଏମିତିରେ ତ ପଲ୍ଲବୀଙ୍କୁ ସମାଜବାଦୀ ପାର୍ଟିର ବିଧାୟକ କୁହାଯାଏ, ତେବେ ତାଙ୍କ ଦଳ ଆପନା ଦଲ୍ ରାଜ୍ୟସଭା ନିର୍ବାଚନକୁ ନେଇ ନିଜ ପକ୍ଷ ରଖି ସାରିଛି । ରାଜ୍ୟସଭା ପ୍ରାର୍ଥୀ ଆଲୋକ ରଙ୍ଗନ ଏବଂ ଜୟା ବଚ୍ଚନଙ୍କୁ ସମର୍ଥନ ନଦେବାକୁ ଦଳ ସ୍ପଷ୍ଟ କରିସାରିଛି । ଏବେ ପ୍ରଶ୍ନ ଉଠୁଛି ଏତେ ବିରୋଧ ପରେ ବି ସମାଜବାଦୀ ପାର୍ଟି କାହିଁକି ଜୟାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଛି ।

ଆଜି ଆମେ ଏଠାରେ ଏମିତି ୫ଟି କାରଣ କହିବାକୁ ଯାଉଛି, ଯାହା ପାଇଁ ଦଳ ଜୟାଙ୍କୁ ବାରମ୍ବାର ରାଜ୍ୟସଭାକୁ ପଠାଉଛି ଦଳ । ଆସନ୍ତୁ ଜାଣିବା ଏହି ୫ଟି କାରଣ ସମ୍ପର୍କରେ…

କାରଣ ନମ୍ବର ୧

ଜୟା ସମାଜବାଦୀ ପାର୍ଟିରୁ ୫ମ ଥର ରାଜ୍ୟସଭା ପ୍ରାର୍ଥୀ ହେବାର ସବୁଠାରୁ ବଡ କାରଣ ହେଲା ଯାଦବ ପରିବାର ସହ ତାଙ୍କର ଘନିଷ୍ଠତା । ମୁଲାୟମ ସିଂ ଯାଦବ ୪ ଥର ଜୟାଙ୍କୁ ରାଜ୍ୟସଭାକୁ ପଠାଇଥିଲେ । ଏବେ ଅଖିଳେଶ ଯାଦବ ୫ମ ଥର ତାଙ୍କୁ ପଠାଯାଉଛନ୍ତି । କୁହାଯାଉଛି ମୁଲାୟମଙ୍କ ପରିବାର ସହ ଜୟାଙ୍କର ପାରିବାରିକ ସମ୍ପର୍କ ବହୁତ ଦୃଢ଼ । ଏପରିକି ଅମର ସିଂଙ୍କୁ ଯେତେବେଳେ ଦଳ ଓ ଯାଦବ ପରିବାରରୁ ବାହାର କରିଦିଆଯାଇଥିଲା ସେତେବେଳେ ବି ଜୟା ମୁଲାୟମ ଓ ତାଙ୍କ ପରିବାର ସହ ରହିଥିଲେ ।

କାରଣ ନମ୍ବର ୨

କୁହାଯାଏ ଜୟା, ଡିମ୍ପଲ ଯାଦବଙ୍କ ବହୁତ ପ୍ରିୟ । ସଂସଦରେ ଉଭୟଙ୍କ କେମେଷ୍ଟ୍ରୀକୁ ପରଫେକ୍ଟ କୁହାଯାଇଥାଏ । ଡିମ୍ପଲଙ୍କ ପରେ ରାମଗୋପାଳ ଯାଦବ ବି ଜୟାଙ୍କୁ ବହୁତ ପସନ୍ଦ କରନ୍ତି ।

କାରଣ ନମ୍ବର ୩

ତୃତୀୟ ବଡ଼ କାରଣ ହେଲା ଜୟା ଆସୁଥିବା ସମୂଦାୟ ଉତ୍ତର ପ୍ରଦେଶରେ ପ୍ରାୟ ଅଧା । ଏହି ଜାତିର ପ୍ରତିନିଧିତ୍ବ ସମାଜବାଦୀ ପାର୍ଟି କରୁଛି ବୋଲି ଜୟାଙ୍କୁ ରାଜ୍ୟସଭାକୁ ପଠାଇ ଦଳ ଦେଖାଇବାକୁ ଚାହୁଁଛି । ରାଜ୍ୟସଭାରେ ଜୟା ଦଳର ଜଣେ ପ୍ରମୁଖ ମହିଳା ଚେହେରା ।

କାରଣ ନମ୍ବର ୪

ଜୟା ବଚ୍ଚନ ଜଣେ ସେଲିବ୍ରେଟି ଓ ବିଗ୍ ବିଙ୍କ ପତ୍ନୀ । ଦଳକୁ ଲାଗୁଛି ରାଜ୍ୟସଭାରେ ଜୟା ଏମିତି ଚେହେରା ଯିଏ ବିଚାରଧାରାରୁ ଊର୍ଦ୍ଧ୍ବରେ ଦଳ ଭିତରେ କଳା ଓ ସଂସ୍କୃତିର ପ୍ରତିନିଧିତ୍ବ କରିଥାନ୍ତି ।

କାରଣ ନମ୍ବର ୫

ଜୟା ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ କେବେ ହସ୍ତକ୍ଷେପ ନକରିବା ଆଉ ଏକ କାରଣ ବୋଲି କୁହାଯାଏ । ସଙ୍ଗଠନ ହେଉ କି ଟିକେଟ ବଣ୍ଟନ କେବେ ବି କୌଣସି ନିଷ୍ପତ୍ତିକୁ ନେଉ ପ୍ରଶ୍ନ ଉଠାନ୍ତି ନାହିଁ ଜୟା । ଦଳ ଯାହା ନିଷ୍ପତ୍ତି ନିଏ ଜୟା ତାହାକୁ ମାନି ନେଇଥାନ୍ତି ।