ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା, ଅଛନ୍ତି ୩୦ ବାଘ

Simlipal Tiger Reserve (STR)

ଭୁବନେଶ୍ବର: ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା । ଅଛନ୍ତି ୩୦ ବାଘ । ଏହାସହ ୮ଟି ଛୁଆ ମଧ୍ୟ ଅଛନ୍ତି । ଅଲ ଓଡିଶା ଟାଇଗର ଏଷ୍ଟିମେସନ ଅନୁସାରେ ୧୪ଟି ବାଘୁଣୀ ଓ ୧୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇଥିବାବେଳେ ଆଉ ୩ଟି ବାଘ ଶିମିଳିପାଳରେ ଥିବା ସୂଚନା ମିଳିଛି। ଏହି ୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇପାରିନାହିଁ । ରାଜ୍ଯରେ ବାଘ ସଂଖ୍ଯା ବୃଦ୍ଧି ନେଇ ଖୁସି ବ୍ଯକ୍ତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ବାଘଙ୍କ ଲାଗି ଓଡ଼ିଶା ବର୍ତ୍ତମାନ ଅନୁକୂଳ ପରିବେଶ ସୃଷ୍ଟି କରିଛି ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଡିଭିଜନରେ ଗୋଟିଏ, ପାରଳାଖେମୁଣ୍ଡି ଡିଭିଜନରେ ଗୋଟିଏ, ହାରାକୁଦ ଡିଭିଜନରେ ଗୋଟିଏ ବାଘ ଥିବା ଜଣାଯାଇଛି । ରାଜ୍ୟରେ ବାଘ ଗଣନା ଲାଗି ମୋଟ ୧୪୩୨ଟି କ୍ୟାମେରା ବ୍ଯବହୃତ ହୋଇଥିବାବେଳେ ୨୦୨୩ ଅକ୍ବୋବର ୧୫ରୁ ଫେବୃଆରୀ ୧୦ ଯାଏଁ କ୍ଯାମେରା ଜରିଆରେ ବାଘଙ୍କ ଗତିବିଧି ଲକ୍ଷ୍ଯ କରାଯାଇଥିଲା । ବାଘ ଗଣନା ପ୍ରକ୍ରିୟା ୪୭ଟି ଡିଭିଜନରେ କରାଯାଇଥିଲା । କ୍ଯାମେରାରେ ୫୬୭ଟି ଫଟୋଗ୍ରାଫ ଉଠାଯାଇଥିବାବେଳେ ମୋଟ ବାଘ ସଂଖ୍ୟା ୩୦ ଓ ବାଘଛୁଆ ସଂଖ୍ଯା ୮ ବୋଲି ଜଣାପଡ଼ିଛି । ଗତ ୨୦୨୨ରେ ରାଜ୍ଯରେ ୨୦ ବାଘ ଥିଲେ ।