spot_img
Home Blog Page 2246

ବଢିଲା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧିଙ୍କ ପ୍ରାପ୍ଯ

ଭୁବନେଶ୍ୱର: ବଢିଲା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧିଙ୍କ ପ୍ରାପ୍ଯ। ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପା ସହାୟତା ମଧ୍ଯ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ଘୋଷଣା ହୋଇଛି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଏବଂ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।

ମହାନଗର ନିଗମଗୁଡିକରେ ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ  ୧୫ ହଜାର ଟଙ୍କାକୁ, ଉପାଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍.ଏ.ସି. କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହା ବ୍ୟତୀତ ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ। ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଲେ ପଞ୍ଚାୟତ ପ୍ରତିନିଧି ଏବଂ OPS ସଂଘ

ଭୁବନେଶ୍ୱର: ନବୀନ ନିବାସରେ ପଞ୍ଚାୟତ ପ୍ରତିନିଧିଙ୍କ ଭିଡ଼। ପ୍ରାପ୍ଯ ବଢ଼ିଥିବାରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଭିନ୍ନ ଅଞ୍ଚଳର ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ। ଗତକାଲି ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଦରମା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ପରିଷଦ ସଭାପତିଙ୍କଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସିକ ପାରିତୋଷିକ ରାଶିକୁ ୩ ଗୁଣରୁ ଅଧିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ବାବଦରେ ରାଜ୍ୟ ସରକାର ୧୬୨ କୋଟି ୬୮ ଲକ୍ଷ ଟଙ୍କା ଅତିରିକ୍ତ ଅର୍ଥ ବହନ କରିବେ। ଆଶାଠାରୁ ଅଧିକ ମୁଖ୍ୟମନ୍ତ୍ରୀ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପଞ୍ଚାୟତ ପ୍ରତିନିଧି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଲେ ରାଜ୍ୟ OPS ସଂଘ। ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧନ୍ଯବାଦ ଜଣାଇଛନ୍ତି। ଦୀର୍ଘ ଦିନରୁ ସେମାନଙ୍କ କ୍ୟାଡ଼ର ପୁନର୍ଗଠନ ପାଇଁ ଦାବି ଥିଲା। ଯାହା ପୂରଣ ହୋଇଛି। ଏଥିପାଇଁ ଅଧିକ ପଦବୀ ବି ସୃଷ୍ଟି ହୋଇଛି। ଯେଉଁଥିପାଇଁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଅର୍ପଣ କରିଛନ୍ତି ରାଜ୍ୟ OPS ସଂଘ।

ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟର ମୁସଲମାନ ଭାଇମାନେ ଆଜି ବିରାଟ ପଟୁଆରରେ ନବୀନ ନିବାସ ଆସି ଦାବି ପୂରଣ ଲାଗି ମୁଖ୍ଯମନ୍ତ୍ରୀ ଓ 5T ଅଧ୍ଯକ୍ଷଙ୍କୁ ଧନ୍ଯବାଦ ଜଣାଇଛନ୍ତି । ସେମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମରେ ୨ ଏକର ଜମି କବରସ୍ଥାନ ପାଇଁ, MPCC ଜରିଆରେ ୬୮ ମୁସଲମାନ କମ୍ଯୁନିଟି ସେଣ୍ଟର ପାଇଁ ୩୦ ଲକ୍ଷ ଲେଖାଏଁ ଓ ୱାକଫ ବୋର୍ଡ ଅଫିସ ପାଇଁ ୮ କୋଟି ଟଙ୍କା ମଂଜୁର ହୋଇଛି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


                

ଓଡିଶା ଅପସ୍କିଲ୍ଲିଂ ଆଣ୍ଡ ପ୍ଲେସମେଣ୍ଟ ପୋଗ୍ରାମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ଯୁବକ ଯୁବତୀଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର: ଦକ୍ଷ ହେଉଛନ୍ତି ଓଡିଶାର ଯୁବପିଢୀ। ଓଡିଶା ଅପସ୍କିଲ୍ଲିଂ ଆଣ୍ଡ ପ୍ଲେସମେଣ୍ଟ ପୋଗ୍ରାମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ୧୮୧ ଜଣ ଯୁବକ ଯୁବତୀଙ୍କୁ ମିଳିଛି ନିଯୁକ୍ତି। ଟେକ୍ ମହିନ୍ଦ୍ରା କମ୍ପାନୀର ଦେଶରେ ଥିବା ବିଭିନ୍ନ କେନ୍ଦ୍ରରେ ମାସିକ ୪ ଲକ୍ଷ ୨୫ ହଜାର ଟଙ୍କା ଦରମାରେ ଏମାନେ ନିଯୁକ୍ତି ପାଇଛନ୍ତି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏହି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ 5T ଅଧ୍ୟକ୍ଷ କହିଛନ୍ତି 5T କାର୍ଯ୍ୟକ୍ରମ ଅଧୀନରେ ଏହା ଏକ ସ୍ବପ୍ନର ପ୍ରକଳ୍ପ। ରାଜ୍ୟର ଶିକ୍ଷିତ ଯୁବବର୍ଗଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ଓ ନିଯୁକ୍ତିର ଯୋଜନା କରାଯାଉଛି। ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀମାନେ ସଫଳତା ପାଇଥିବାରୁ ସେ ଖୁସି ପ୍ରକାଶ କରିବା ସହ ପରବର୍ତ୍ତୀ ପିଢୀ ପାଇଁ ଏହା ଉଦାହରଣ ସାଜିବ ବୋଲି କହିଛନ୍ତି।

ଖୁବ୍ ଶିଘ୍ର ପରବର୍ତ୍ତୀ ବ୍ୟାଚକୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ଓ ଅଧିକରୁ ଅଧିକ ଯୁବପିଢୀଙ୍କ ପାଇଁ ଏହି କାଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି 5T ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ମଧ୍ୟ ସରକାରଙ୍କ ଏହି ଦୂରଦୃଷ୍ଟି ସମ୍ପର୍ଣ୍ଣ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଳା ଖଣିଜ ପାଣ୍ଠି ଓ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ସହଯୋଗରେ କରାଯାଉଛି।

‘ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତ୍ତି ସନ୍ତାନଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତୀ ସନ୍ତାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଏପ୍ରିଲ ୨୦୨୪ରୁ ପ୍ରଦାନ କରାଯିବ ଏହି ସମ୍ମାନ ରାଶି। ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ।

ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ବାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ମାସରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।


                

CAA ବିରୋଧରେ ସାଉଥର ଦୁଇ ବଡ ସୁପରଷ୍ଟାର

ନୂଆଦିଲ୍ଲୀ: ଦେଶରେ ସିଏଏ ଲାଗୁ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ବିରୋଧୀ ଦଳ ବିରୋଧ କରୁଛନ୍ତି। ଏବେ ଏହି ତାଲିକାରେ ସାଉଥର ଦୁଇ ବଡ ବଡ ସୁପରଷ୍ଟାର ମଧ୍ୟ ସାମିଲ ହୋଇଛନ୍ତି। ସୁପରଷ୍ଟାର ଥଲପତି ବିଜୟ ଏବଂ ତାମିଲ ସୁପରଷ୍ଟାର କମଲ ହାସନ ଏହାକୁ ବିରୋଧ କରିବା ସହ କଡା ସମାଲୋଚନା କରିଛନ୍ତି ।

CAA  ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କମଲ ହାସନ ଏବଂ ଥଲପତି ବିଜୟ । କମଲ ହାସନ କହିଛନ୍ତି ଯେ,  ମୁଁ ଏହି ବିଲ୍ ବିପକ୍ଷରେ ରହିଛି। ଏହା ଭାରତ ପାଇଁ ଅନ୍ଧାକାରର ଦିନ କହି କଡା ସମାଲୋଚନା କରିଛନ୍ତି ।

ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ସିଏଏକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍‌କୁ ବେକାର୍‌ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଛି। ଏହାସହ ଗଞ୍ଜାମର ଭଞ୍ଜନଗର ଏନଏସିରୁ ମ୍ୟୁନିସିପାଲିଟିକୁ ଉନ୍ନୀତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା  ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ  ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଗତ ମାସରେ ମୁଖ୍ୟମନ୍ତ୍ରୀ ୩୫ଟି ନୂଆ NAC ଓ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ ନେଇ ଘୋଷଣା କରିଥିଲେ।

ଭୁବନେଶ୍ବରରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ। ଭୁବନେଶ୍ବର ମେୟରଙ୍କ ସରକାରୀ ବାସଭବନରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ସଫେଇ କର୍ମଚାରୀ। ୨ ଦିନ ଭିତରେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ। ଅଳିଆ ପୃଥକି କରଣ ନକରିବା ଏବଂ ସଫେଇ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସଫେଇ କର୍ମଚାରୀ।

ଗତକାଲି ଅଳିଆ ପୃଥକି କରଣ କରିବାକୁ ୧୫ ଦିନ ଏବଂ ଦରମା ବୃଦ୍ଧି କରିବାକୁ ୩ ଦିନ ସମୟ ନେଇଥିଲା ବିଏମସି। ଲିଖିତ ପ୍ରତିଶ୍ରୁତି ଦାବି କରି ଆନ୍ଦୋଳନରେ ବସିଥିଲେ ସଫେଇ କର୍ମଚାରୀ। ଆଜି ମେୟରଙ୍କ ବାସଭବନରେ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ସଫେଇ କର୍ମଚାରୀ। ଆଜିଠୁ ସଫେଇ କରିବେ କର୍ମଚାରୀ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ:  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି। ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସନ୍ଧ୍ୟା ୬ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଆଜି ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଶ୍ରୀ ବିଗ୍ରହଙ୍କର ବନକ ଲାଗି ନୀତି କରାଯିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ନୀତିକାନ୍ତି। ଧାର୍ଯ୍ୟ ସମୟ ଅନୁସାରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ପାର୍ଶ୍ବ ଦେବାଦେବୀଙ୍କ ପୂଜା କରିପାରିବେ ଶ୍ରଦ୍ଧାଳୁ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।

କାଲିଠୁ ରାଜ୍ୟରେ ବଦଳିବ ପାଗ, ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: ଆଜି ବି ସିଝିବ ଓଡ଼ିଶା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ରାଜ୍ୟରେ ତାତି ବୃଦ୍ଧି ପାଇଛି । କାଲିଠୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ବିଶେଷ କରି ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି। ୧୬ ତାରିଖ ବେଳକୁ ବର୍ଷାର ବିସ୍ତୃତି ବଢିବ। ଉପକୂଳ ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । ୧୮ ଏବଂ ୧୯ ତାରିଖରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ବାୟୁ ଚଳାଚଳରେ ଅସଙ୍ଗତି ଦେଖାଦେଉଛି। ସେହିଭଳି ଉତ୍ତର ଓଡ଼ିଶାକୁ ଉତ୍ତର-ପଶ୍ଚିମ ଭାରତରୁ ଥଣ୍ଡା ପବନ ଆସୁଛି । ସେଥିପାଇଁ ଉତ୍ତର ଓଡ଼ିଶାରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢିବ ନାହିଁ ବୋଲି କୁହାଯାଇଛି ।

କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

ହାଇଦ୍ରାବାଦ: କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ। ଏପରି ଏକ ଅଘଟଣ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଘଟିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡିଙ୍କ ସହର ଗସ୍ତ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏମସ୍‌ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାପଡିଛି।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏସ୍‌ ଅଧିକାରୀ ଜଣକ ହେଲେ ପରିତୋଷ ପଙ୍କଜ। ସେ ଭଦ୍ରାଞ୍ଚଳମର ଏଏସ୍‌ପି ଭାବେ କାର୍ଯରତ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାରକେଡ ସହର ମଧ୍ୟ ଦେଇ ଯାଉଥିବା ବେଳେ ପରିତୋଷ ପଙ୍କଜ ଡ୍ୟୁଟିରେ ମୁତୟନ ଥିଲେ। ସେହି ସମୟରେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ କାରକେଡର ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଆଇପିଏସ୍‌ ଅଧିକାରୀ ପଙ୍କଜ ତଳେ ପଡ଼ି ଯାଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପଙ୍କଜଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।