ରେକର୍ଡ କଲା ରାଜଧାନୀର ତାତି

ଭୁବନେଶ୍ବର: ବଢୁଛି ସୂର୍ଯ୍ଯଙ୍କ ପ୍ରକୋପ। ସୋମବାର ରେକର୍ଡ ଭାଙ୍ଗିଛି ରାଜଧାନୀର ତାତି। ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଥିଲେ ସୁଦ୍ଧା ତାତିରେ ଲାଗୁନି ବ୍ରେକ୍। ଜନସ୍ବାସ୍ଥ୍ଯ ବିଭାଗର ସୂଚନା, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୬ ଜିଲ୍ଲାରୁ ଅଂଶୁଘାତ ଓ ହିଟ୍ ରିଲେଟେଡ ୱିଲନେସ ମାମଲା ଆସିଥିବାବେଳେ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ତାତିଲେ ଲାଗୁନି ବ୍ରେକ୍ । କାଳବୈଶାଖୀ ପ୍ରଭାବ ସତ୍ତ୍ବେ ଅସହ୍ଯ ଗୁଳୁଗୁଳିରେ ଅସ୍ତବ୍ଯସ୍ତ ଜନ ଜୀବନ । କାଳବୈଶାଖୀ ବର୍ଷା ପ୍ରଭାବରେ ୨ ରୁ ୩ ଡିଗ୍ରୀ ତାପମାତ୍ରା  କମିଥିବା ବେଳେ ପୁଣି ୨୫ ରୁ ପାରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଉପକୂଳ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାର ଗ୍ରୀଷ୍ମ  ପ୍ରବାହ ରହିବାର ସମ୍ଭାବନା ଥିବାବେଳେ ବାଲେଶ୍ୱର ଭଦ୍ରକ, କଟକ, ଖୋର୍ଦ୍ଧା  ମୟୁରଭଞ୍ଜ, କେନ୍ଦୁଝର, ବଲାଙ୍ଗୀର, ବୌଦ୍ଧ, ଯାଜପୁର, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଙ୍କ ଜାରି କରାଯାଇଛି । କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ପ୍ରଭାବରେ କିଛି ପରିମାଣର ତାପମାତ୍ରା କମିବାକୁ ଥିଲେ ସୁଦ୍ଧା ଆଶ୍ବସ୍ତି ମିଳିବନି ବୋଲା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପ୍ରବଳ ଖରା ଯୋଗୁଁ ବଢୁଛି ଅଂଶୁଘାତ ଆଶଂକା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୧୬ ଜିଲ୍ଲାରୁ ଅଂଶୁଘାତ ଓ ହିଟ୍ ରିଲେଟେଡ ୱିଲନେସ ମାମଲା ଆସିଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨ ଜଣ, ଅନୁଗୁଳରୁ ୯ ଜଣ, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୫ ଜଣଙ୍କ ହୋଇଛି ଚିକିତ୍ସା । ତେବେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

ମୁଣ୍ଡଫଟା ଖରା ଯୋଗୁଁ ସକାଳୁଆ ସ୍କୁଲ ହେବା ସହ ଆସନ୍ତା ୨୫ ତାରିଖରୁ ରାଜ୍ଯରେ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ଯ ସରକାର । ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ।