ରାଜଗାଙ୍ଗପୁରରେ ଜମୁଛି ନିର୍ବାଚନୀ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାର ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ରହିଛି ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ପ୍ରାର୍ଥୀ ଘୋଷଣା ପରେ ଏଠାରେ ରାଜ୍ଯର ୩ ରାଜନୈତିକ ଦଳପକ୍ଷରୁ ଜାରି ରହିଛି ଜୋରଦାର ପ୍ରଚାର । ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର 5 ଥର ବିଧାୟକ ଥିବା ମଙ୍ଗଳା କିଷାନଙ୍କ ପୁଅ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଵେଳେ ପୁଅ ପାଇଁ ମଙ୍ଗଳା କିଷାନ ପ୍ରଚାର ଜାରି ରଖିଛନ୍ତି ବାପା ।

କମ୍ପୁଛି ନିର୍ବାଚନ ରଣକ୍ଷେତ୍ର । ପ୍ରଚାର ସହ ଆରୋପ ପ୍ରତ୍ଯାରୋପ । ନିଜ ସପକ୍ଷରେ ଭୋଟ ଆଣିବାକୁ ଜୋରଦାର କସରତ୍ । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଏବେ ରାଜନୀତିର ହାୱା । ବିଜେଡି ଲୋକସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ ଓ ବିଧାନସଭା ପ୍ରାର୍ଥୀ ଅନିଲ ବରୁଆ ତାଙ୍କ ପ୍ରଚାରକୁ ସାଣିତ କରିଛନ୍ତି । ବିଜେଡିର ବିକାଶ ପାଇଁ ସବୁଠି ଗ୍ରହଣୀୟ ହେଉଛନ୍ତି ପ୍ରାର୍ଥୀ । ଏହାସହ ଅନିଲ ବରୁଆ ପୂର୍ବତନ ବିଧାୟକ ମଙ୍ଗଳା କିଷାନଙ୍କ ପୁଅ ହୋଇଥିବାରୁ ନିର୍ବାଚନରେ ବାପା ମଧ୍ଯ ନିଜ ସମସ୍ତ କଳବଳ ଲଗାଇ ଦେଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସି. ଏସ. ରାଜନ ଏକ୍କା ଓ ଵିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ଘରକୁ ଘର ବୁଲି ଓ ବୁଥ ସ୍ତରରେ ନିଜ ସମର୍ଥନ ଯୋଗାଡ କରିବାକୁ ଜାରି ରଖିଛନ୍ତି ପ୍ରୟାସ।

ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ସହିତ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସେଥିମଧ୍ୟରୁ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷଣ ରହିଛି ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୫୧ ହଜାର ୭୬୮। ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୩ ହଜାର ୫୬୮, ମହିଳା ୧ ଲକ୍ଷ ୨୮ ହଜାର ୧୭୧ ଓ ଟ୍ରାନସଜେଣ୍ଡର ୨୯ ଜଣ । ତେବେ ସଚେତନ ଭୋଟର ନିଜ ନିଜ ପ୍ରାର୍ଥୀଙ୍କୁ ନେଇ ବେଶ ଉତ୍ସାହିତ।

୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରି ମିଞ୍ଜ ୩୫ ହଜାର ୫୯୨ ଭୋଟ ପାଇ ଏଠାରେ ବିଜୟୀ ହୋଇଥିଲେ । ଵିଜେଡି ପ୍ରାର୍ଥୀ ଵେନେଡିକ ତିର୍କୀଙ୍କୁ ମିଳିଥିଲା ୩୧ ହଜାର ୪୭୭ ଭୋଟ ଓ ଜେଏମଏମ ପ୍ରାର୍ଥୀ ହାଲୁ ମୁଣ୍ଡାରୀ ୧୭ ହଜାର ୬୯୯ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ଵିଜେଡି ପ୍ରାର୍ଥୀ ମଙ୍ଗଳା କିଷାନ ୫୪ ହଜାର ୫୯୬ ଭୋଟ ପାଇ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗ୍ରେଗୋରି ମିଞ୍ଜଙ୍କୁ ୪୪ ହଜାର ୫୬୦ ଭୋଟ ଓ ଵିଜେପି ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କୁ ୨୮ ହଜାର 694 ଭୋଟ ମିଳିଥିଲା । 2019 ରେ କଂଗ୍ରେସ ପ୍ରାର୍ଥୀ ସି.ଏସ. ରାଜନ ଏକ୍କା 53 ହଜାର 918 ଭୋଟ ପାଇ ବିଜୟୀ ହୋଇଥିଲେ । ଵିଜେଡି ପ୍ରାର୍ଥୀ ମଙ୍ଗଳା କିଷାନଙ୍କୁ 52 ହଜାର 972 ଭୋଟ ଓ ଵିଜେପି ପ୍ରାର୍ଥୀ ନରସିଂହ ମିଞ୍ଜଙ୍କୁ 52 ହଜାର 896 ଭୋଟ ମିଳିଥିଲା।