spot_img
Home Blog Page 2104

କେବଳ ନିଶା ପାଇଁ ବ୍ୟବହାର ହୁଏନି ଭାଙ୍ଗ, ଏଥିରେ ରହିଛି ଅନେକ ଔଷଧିୟ ଗୁଣ

ୟନନ୍ଦିଘୋଷ ବ୍ୟୁରୋ: ଆଜି ହୋଲି । ହୋଲି ଅବସରରେ ସମସ୍ତେ ପଣା ପଇଥାନ୍ତି । ଏବଂ ଏହି ପଣା ବା ସର୍ବତରେ ଭାଙ୍ଗ ମିଶାଯାଇ ବି ପିଆଯାଇଥାଏ । ତେବେ ଆପଣ ଜାଣିଛନ୍ତି କି ଭାଙ୍ଗକୁ କେବଳ ନିଶା ପାଇଁ ବ୍ୟବହାର କରାଯାଏ ନାହିଁ । ଏହାର ଅନେକ ଔଷଧିୟ ଗୁଣ ବି ରହିଛି । ତାହାଲେ ଜାଣନ୍ତୁ ଭାଙ୍ଗ ଆଉ କେଉଁ ସବୁ କାମରେ ବ୍ୟବହାର ହୁଏ ।

ଭାଙ୍ଗ ଗଛ ୪ରୁ ୧୦ ଫୁଟ ଲମ୍ବା ବଢ଼ିପାରେ । ଏହା ଗଙ୍ଗା ତଟବର୍ତ୍ତି ଯାଗା ଯେମିତିକି ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଇତ୍ୟାଦି ଯାଗାରେ ଅଧିକା ମିଳିଥାଏ । ଏହା ପଥୁରିଆ ଭୂମିରେ ବି ଭଲରେ ବଢ଼ିଥାଏ । ଫାଇବର୍, ତେଲ ଏବଂ ନିଶା ପାଇଁ ଏହାକୁ ବ୍ୟବହାର କରଯାଏ । ତେଲୁଗୁ ଭାଷାରେ ଏହାକୁ ଗଞ୍ଜାଇ ତାମିଲରେ ଗାଞ୍ଜା ଏବଂ କନ୍ନଡରେ ଏହାକୁ ବାଙ୍ଗି ବୋଲି କୁହାଯାଏ ।

ଭାଙ୍ଗରେ ସାବୁନ ତିଆରି ହୋଇଥାଏ । ସାବୁନକୁ ଚିକ୍କଣ କରିବାକୁ ଭାଙ୍ଗ ବ୍ୟବହାର କରାଯାଏ । ଜମିର ଉର୍ବରତା ବଢ଼ାଇବା ପାଇଁ କୃଷି ଦ୍ରବ୍ୟରେ ମଧ୍ୟ ଭାଙ୍ଗ ବ୍ୟବହାର ହୁଏ ।

ପଶୁଙ୍କ ରୋଗ ଭଲ କରିବାକୁ ଭାଙ୍ଗ ବ୍ୟବହାର ହୁଏ । ପଶୁଙ୍କ କ୍ଷତ ସ୍ଥାନରେ ଭାଙ୍ଗ ଲଗାଇଲେ ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତି । ବିଶେଷ କରି ପଶୁଙ୍କୁ ହେମାଟୋମା ରୋଗ ଭଲ କରିବାକୁ ଏହାର ବ୍ୟବହାର ହୁଏ । ହିମାଚଳ ପ୍ରଦେଶରେ ଏହାକୁ ଚାଷ କରିବାକୁ ସରକାରଙ୍କ ତରଫରୁ ଅନୁମତି ମିଳିଛି । ଫସଲ କଟା ହେଲା ପରେ ଏହାର ମଞ୍ଜିକୁ ଅଲଗା ରଖାଯାଏ । ଡାଳ ଏବଂ ପତ୍ରକୁ ଅଲଗା ରଖାଯାଏ । ଏହାର ଡାଳ ଏତେ ମଜବୁତ ହୋଇଥାଏ ଯେ, ଏଥିରେ ଫାଇବର୍ ଠାରୁ ବି ଅଧିକ ମଜବୁତ ରଶି ତିଆରି କରାଯାଏ ।

ଛିଡିଲାନି କଥା, ପଞ୍ଜାବରେ ଏକା ଲଢ଼ିବ ବିଜେପି

ଚଣ୍ଡିଗଡ଼: ପଞ୍ଜାବରେ ହେବନି ମେଣ୍ଟ । ଏକା ଲଢ଼ିବ ବିଜେପି । ପଞ୍ଜାବରେ ସିରୋମଣି ଅକାଳି ଦଳ ସହ ବିଜେପିର ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ରାଜ୍ୟର ସମସ୍ତ ୧୩ ସିଟରେ ଏକା ନିର୍ବାଚନ ଲଢ଼ିବ । ପଞ୍ଜାବ ବିଜେପି ଅଧ୍ୟକ୍ଷ ସୁନିଲ ଜାଖଡ ଏହି ସୂଚନା ଦେଇଛନ୍ତି ।

ନୂଆ ଫର୍ମୁଲାରେ ବିଜେପି ୫ ଏବଂ ସିରୋମଣି ଅକାଳି ଦଳ ୮ ସିଟରେ ଲଢ଼ିବାକୁ ପ୍ରସ୍ତାବ ଉପରେ ସହମତି ମିଳିଥିଲା । କିନ୍ତୁ ଅକାଳି ଦଳର ନେତା କହୁଥିଲେ ପ୍ରଥମେ ନିର୍ବାଚନ ହେଇଯାଉ ତା’ ପରେ ପଞ୍ଜାବ ଲୋକଙ୍କ ଆବଶ୍ୟକତା ନେଇ ନିଷ୍ପତ୍ତି ନିଆଯିବ । ଏହା ସହ ଅକାଳି ଦଳ ବିଜେପି ପାଖରେ ବହୁତ ଗୁଡିଏ ସର୍ତ୍ତ ରଖିଥିଲା । ଯେପରିକି ରାତିରେ NSA ନିୟମ ହଟାଯାଉ । ବନ୍ଦୀ ଥିବା ଶିଖଙ୍କୁ ଛଡ଼ାଯାଉ, ବ୍ୟବସାୟ ପାଇଁ ବର୍ଡର ଖୋଲାଯାଉ, କୃଷକ ଆନ୍ଦୋଳନ ରୋକିବାକୁ MSPର ଗ୍ୟାରେଣ୍ଟି ଦେବା ଇତ୍ୟାଦି ସର୍ତ୍ତ ରଖାଯାଇଥିଲା । ଏଥିରେ ସହମତି ନ ମିଳିବାକୁ ମେଣ୍ଟ ଆଶା ମଉଳିଯାଇଛି । ଏବେ ବିଜେପି ସେଠାରେ ଏକା ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି ।

ବଡ଼ ଘର କରିବା ଆଶା, ୨୩ ଲକ୍ଷ ପାଇବାକୁ ୯ ବର୍ଷର ପୁଅକୁ ଅପହରଣ ପରେ କଲା ହତ୍ୟା

ଥାଣେ: ନୂଆ ଘର ତିଆରି କରିବାକୁ ଦରକାର ଥିଲା ୨୩ ଲକ୍ଷ ଟଙ୍କା। ଟଙ୍କା ପାଇଁ ପଡୋଶୀ ଘର ପୁଅକୁ ଅପହରଣ ଓ ପରେ ହତ୍ୟା। ମହାରାଷ୍ଟ୍ରର ଥାଣେ ଅଞ୍ଚଳରେ ଘଟିଛି ଏକ ଜଘନ୍ୟ କାଣ୍ଡ। ବଦଲାପୁର ଗୋରେ ଗାଁରେ ୯ବର୍ଷର ବାଳକକୁ ହତ୍ୟା କରିଛି ଟେଲର। ପେସାରେ ଥିଲା ଟେଲର କିନ୍ତୁ ନିଶା ଥିଲା ବଡ଼ ଘର ତିଆରି କରିବା। ଟଙ୍କା ପାଇଁ ରଚିଥିଲା ଅପହରଣ ଷଡ଼ଯନ୍ତ୍ର। ୯ବର୍ଷୀୟ ଇବାଦ ବୁବୁରେ ନମାଜ ପାଠ କରି ମସଜିଦରୁ ଫେରୁଥିବା ବେଳେ ଅପହରଣ କରିଥିଲା ଟେଲର। ଅପହରଣ ପରେ ନାବାଳକର ବାପାକୁ ଫୋନ କରି ୨୩ ଲକ୍ଷ ଟଙ୍କା ମାଗିଥିଲା ଅଭିଯୁକ୍ତ। ପରିବାର ଲୋକ କିଛି କରିବା ପୂର୍ବରୁ ଧରା ପଡ଼ିଯିବା ଭୟରେ ପିଲାଟିକୁ ହତ୍ୟା କରି ଅଖାରେ ଭର୍ତ୍ତି କରି ଦେଇଥିଲା ଅଭିଯୁକ୍ତ ଟେଲର । ମୃତଦେହ ଥିବା ଅଖାକୁ ନିଜ ଘର ପଛ ପଟ ବଗିଚାରେ ଲୁଚାଇ ଦେଇଥିଲା କିଲର ଟେଲର। ପୋଲିସ ଅଭିଯୁକ୍ତ ଟେଲର ସଲମାନ ମୌଲବୀ ସମେତ ସହଯୋଗୀଙ୍କୁ ଗିରଫ କରିଛି।

ଯୁଦ୍ଧରେ ଲାଗିବ ସାମୟିକ ବ୍ରେକ୍, ଅସ୍ତ୍ରବିରତି ଲାଗୁ ପାଇଁ କହିଲା ଜାତିସଂଘ ସୁରକ୍ଷା ପରିଷଦ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ଓ ହମାସ ଯୁଦ୍ଧରେ ଲାଗିବ ସାମୟିକ ବ୍ରେକ୍। ଗାଜାରେ ତୁରନ୍ତ ଅସ୍ତ୍ରବିରତି ଲାଗୁ ପାଇଁ କହିଲା ଜାତିସଂଘ ସୁରକ୍ଷା ପରିଷଦ। ବର୍ତ୍ତମାନ ଇସଲାମର ପବିତ୍ର ମାସ ରମଜାନ ଚାଲିଛି। ତେଣୁ ତୁରନ୍ତ ଗାଜା ସହରରେ ଅସ୍ତ୍ରବିରତି ଲାଗୁ କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆସିଥିଲା। ଯୁଦ୍ଧର ଦୀର୍ଘ ୫ ମାସ ପରେ ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧବିରତି ପାଇଁ ଦାବି କରିଛି। ତେବେ ଏହା ଉପରେ ଆସିଥିବା ପ୍ରସ୍ତାବରୁ ଇସ୍ରାଏଲର ଘନିଷ୍ଠ ସହଯୋଗୀ ଆମେରିକା ଦୂରେଇ ରହିଛି। ଏହି ପ୍ରସ୍ତାବ ସପକ୍ଷରେ ୧୪ ରାଷ୍ଟ୍ର ଭୋଟ ଦେଇଛନ୍ତି। ଅସ୍ତ୍ରବିରତି ଲାଗୁ କରାଯିବା ସହ ହମାସ ଓ ଅନ୍ୟ ଆତଙ୍କବାଦୀମାନେ ଅକ୍ଟୋବର ୭ରୁ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ ନାଗରିକଙ୍କୁ ଛାଡ଼ି ଦେବାକୁ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦ ଦାବି କରିଛି।

ଚୈତ୍ର ମଙ୍ଗଳବାରରେ କାକଟପୁର ମା’ ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ, ଅନୁଷ୍ଠିତ ହେବ ନେତ୍ର ଉତ୍ସବ

ପୁରୀ: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ। ପ୍ରଥମ ପାଳି ଯାତ୍ରାରେ ମା’ଙ୍କ ପ୍ରସିଦ୍ଧ ନେତ୍ର ଉତ୍ସବ ଅନୁଷ୍ଠିତ ହେବ । ଆଜିର ଦିନରେ ମା ମଙ୍ଗଳା ପୂଣ୍ୟତୋୟା ପ୍ରାଚୀ ନଦୀରୁ ଆବିର୍ଭୂତ ହୋଇଥିଲେ ଓ ମା ମଙ୍ଗଳା ମନ୍ଦିରର ପ୍ରତିଷ୍ଠା କରାଯାଇଥିଲା । ତେଣୁ ଆଜିର ଦିନକୁ ବେଶ ଆନନ୍ଦ ଉଲ୍ଲାସର ସହ ଶ୍ରଦ୍ଘାଳୁ ମାନେ  ପାଳନ କରିଥାନ୍ତି । ପ୍ରତ୍ୟୁଷରେ ମାଙ୍କ ସ୍ନାନ ମାର୍ଜଣା,ସୂର୍ଯ୍ୟପୂଜା,ବଲ୍ଲଭ ପରେ ସାଧାରଣ ଦର୍ଶନ ହୋଇଥିଲା । ମଧ୍ୟାହ୍ନରେ ମାଙ୍କ ଆଜ୍ଞାମାଳ ନେଲା ପରେ ମାଙ୍କ ସେବକ ମାନେ ଛୁଆ,ହଳଦୀ ଓ ବିଶୁଦ୍ଧ ଜଳରେ ନୀଳ ଚକ୍ରକୁ ସ୍ନାନ କଲାପରେ ପୁରୁଣା ନେତ୍ରକୁ ପରିବର୍ତ୍ତନ କରି ନୂତନ ଶ୍ଵେତ ନେତ୍ର ବନ୍ଧା ହେବ । ମାଙ୍କ ଏହି ନେତ୍ର ଉତ୍ସବରେ ମା ସାରଳା ପୀଠରୁ ଆସିଥିବା ଘଣ୍ଟ ପାଟୁଆ ମାନେ ପ୍ରାଚୀ ନଦୀରୁ ପାଣି ତୋଳି ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁଆ ନୃତ୍ୟ କରିବେ ମାସ ତମାମ ମାଙ୍କ ମହିମା ପ୍ରଚାର ପାଇଁ ବିଭିନ୍ନ ଗାଁ ଗଣ୍ଡାକୁ ଯାତ୍ରା ଆରମ୍ଭ କରବେ । ପ୍ରଥମ ମଙ୍ଗଳବାରରେ ମହିଳାମାନେ ପନ୍ଥେଇ ନିର୍ମାଣ କରି ମଙ୍ଗଳା ମାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

ପାକିସ୍ତାନରେ ପୁଣି ଆକ୍ରମଣ, ଟର୍ବାଟ ନାଭାଲ ଏୟାରବେସ ଉପରେ ହୋଇଛି ଆକ୍ରମଣ

ଇସଲାମାବାଦ: ପାକିସ୍ତାନରେ ପୁଣି ଆକ୍ରମଣ ହୋଇଛି । ବଲୁଚିସ୍ତାନରେ ଥିବା ପାକିସ୍ତାନର ଦ୍ବିତୀୟ ବୃହତ୍ତମ ଟର୍ବାଟ ନାଭାଲ ଏୟାରବେସ ଉପରେ ଆକ୍ରମଣ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଶସ୍ତ୍ର ଆକ୍ରମଣକାରମାନେ ଏୟାର ଷ୍ଟେସନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଗୁଳି ବିନିମୟ ହୋଇଥିଲା ।ଏଥିରେ ଆକ୍ରମଣକାରୀ ପ୍ରାଣ କହରାଇଛନ୍ତି । ଆକ୍ରମଣକାରୀ ନିହତ ହେଲା ପରେ ସୁରକ୍ଷାବାହିନୀ ପୂରା ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ କରିଥିଲେ । ସେନା ବେଶରେ ଚାଇନାର ଡ୍ରୋନ ମଧ୍ୟ ବ୍ୟବହାର ହୋଇଥିଲା । ବଲୁଚିସ୍ତାନ ଲିବରେସନ ଆର୍ମି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସେ କହିଛି ଯେ, ତାଙ୍କର ସଶସ୍ତ୍ର ବାହିନୀ ଏୟାର ଷ୍ଟେସନ ଉପରେ ଚକର ଲଗାଇବା ବେଳେ ଆକ୍ରମଣ କରିଛନ୍ତି ।

ଆକ୍ରମଣ ପରେ ତୁର୍ବାଟର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଲଗାଇଛନ୍ତି । ସମସ୍ତ ଡାକ୍ତରଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି । ଏହି ସପ୍ତାହରେ ଏହା ଦ୍ବିତୀୟ ଆକ୍ରମଣ । ଏବଂ ବିଏଲଏସ ମଜିଦ ବ୍ରିଗେଡ ଦ୍ବାରା କରାଯାଇଥିବା ଏହା ହେଉଛି ତୃତୀୟ ଆକ୍ରମଣ ।

ଏପ୍ରିଲ ପହିଲାରୁ ରାଜ୍ୟରେ ବଢିବ ତାତି, ଅଧିକାଂଶ ସହରରେ ୪୦ ଡିଗ୍ରୀ ଟପିବ ତାପମାତ୍ରା

ଭୁବନେଶ୍ବର: ଏପ୍ରିଲ ପହିଲାରୁ ରାଜ୍ୟରେ ବଢିବ ଗ୍ରୀଷ୍ମପ୍ରବାହ । ସ୍ବାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାତି। ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି।  ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାଠାରୁ ଅଧିକ ହେବ। ବିଶେଷ କରି ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି ଏବଂ ଗଜପତିରେ ଗ୍ରୀଷ୍ମପ୍ରବାହ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମେଘମୁକ୍ତ ଆକାଶ, ଶୁଖିଲା ପାଗ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ଏଭଳି ସ୍ଥିତି ଦେଖାଦେବ ।

ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିଛି । ଆଜି ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଏବଂ ଯାଜପୁରରେ ପାଗ ମେଘୁ୍ଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାକି ଓଡ଼ିଶାରେ ତାତି ଲାଗିରହିବ। ମାର୍ଚ୍ଚ ୨୮ ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଦେବ ହଟ୍ ଓ୍ବେଦର କଣ୍ଡିସନ । ୨୯ ତାରିଖ ପରଠୁ ସ୍ଵାଭାବିକଠାରୁ ବଢିବ ୨ରୁ ୪ ଡିଗ୍ରୀ ତାପମାତ୍ରା ।

ଆଜିଠୁ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ସ୍ଵତନ୍ତ୍ର ରୀତିନୀତି ହେବ ମାଆଙ୍କ ପୂଜାର୍ଚ୍ଚନା

ଗଞ୍ଜାମ: ଆଜିଠୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ଏନେଇ ଚଳଚଞ୍ଚଳ ମାଆ ତାରାତାରିଣୀଙ୍କ ପୀଠ । ସ୍ଵତନ୍ତ୍ର ରୀତିନୀତି ସହକାରେ ହେବ ମାଆଙ୍କ ପୂଜାର୍ଚ୍ଚନା । ଯାତ୍ରାରେ ଲକ୍ଷାଧିକ ସଂଖ୍ଯାରେ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭକ୍ତମାନେ ପାହାଡ ଉପରକୁ ଯିବା ପାଇଁ  ୨୦ରୁ ୨୫ଟି ବସ ଚଳାଚଳ କରିବ । ଏଥିସହିତ ମନ୍ଦିର ଉପରେ ଓ ତଳେ ପାନୀୟ ଜଳ , ପାର୍କିଂ ସ୍ଥାନ ,ବ୍ଯାରିକେଡ ଭଳି ବ୍ଯବସ୍ଥା କରାଯାଇଛି । ଅନେକ ମାନସିକଧାରୀ ମୁଣ୍ଡନ କରିବା ନିମନ୍ତେ ଏହି ସମୟରେ ମନ୍ଦିରକୁ ଆସିଥାନ୍ତି । ଏଥିପାଇଁ ୬ଟି ସ୍ଥାନରେ ମୁଣ୍ଡନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଚୈତ୍ର ଯାତ୍ରା ଏପ୍ରିଲ ୨୩ ତାରିଖରେ ଶେଷ ହେବ । ଚଳିତ ବର୍ଷ ୫ଟି ମଙ୍ଗଳବାର ପଡୁଥିବାରୁ ମାଆଙ୍କ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବ । ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ହେବେ ମାଆ । ସମସ୍ତ ଭକ୍ତ ଯେପରି  ଭଲରେ ମାଆଙ୍କ ଦର୍ଶନ କରିପାରିବେ ସେ ନେଇ କାର୍ଯ୍ଯ କରିବେ ମାଆଙ୍କ ଶ୍ରୀଅଙ୍ଗ ଲାଗି ସେବାୟତ । ଯାତ୍ରାକୁ ଶୃଙ୍ଖଳିତ ଭାବେ ସାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।

ହୋଲି ପାଳିବେନି ଆପ୍ କର୍ମୀ, ଦିଲ୍ଲୀରେ କର୍ମୀ କରିବେ ଗର୍ଜନ

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲା । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆଜି ଦିଲ୍ଲୀରେ ଆପ୍ ଗର୍ଜନ । ହୋଲି ପାଳିବେନି ଆପ୍ କର୍ମୀ । ବରଂ ଗିରଫ ପ୍ରତିବାଦରେ ହେବ ଜୋରଦାର ଲଢେଇ ।  ବିଭିନ୍ନ ସ୍ଥାନରେ ନାରାବାଜି ସହ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ଆପ୍ କର୍ମୀ । ଆପ୍ ନେତା ତଥା ମନ୍ତ୍ରୀ ଗୋପାଳ ରାଏ କହିଛନ୍ତି- କେଜରିଓ୍ବାଲଙ୍କୁ ବେଆଇନ ଗିରଫ ପ୍ରତିବାଦରେ ସାରା ଦିଲ୍ଲୀରେ ଆନ୍ଦୋଳନ କରାଯିବ । ସବୁଦିଗରୁ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଆସିବା ପରେ ସେଠାରେ ବିକ୍ଷୋଭ କରାଯିବ ।

କର୍ମୀମାନେ ହୋଲି ନ ପାଳି କେଜରିଓ୍ବାଲଙ୍କ ପ୍ରତି ସମର୍ଥନ ଉଦ୍ଦେଶ୍ୟରେ ବିକ୍ଷୋଭ କରିବେ । ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ଇଣ୍ଡିଆ ମେଣ୍ଟ ସହ ଆଲୋଚନା ଜାରି ରହିଛି । ଆସନ୍ତା ୩୧ ତାରିଖରେ ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ବଡ଼ଧରଣର ସମାବେଶ କରାଯିବ ଏବଂ ଏଥିରେ ସମସ୍ତ ସହଯୋଗୀ ଦଳ ଭାଗନେବା ଆଶା କରାଯାଉଛି । ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଆଜି ରଙ୍ଗର ପର୍ବ ହୋଲି, ସ୍ନେହ ଏବଂ ପ୍ରେମର ରଙ୍ଗ ଲଗାଉଛନ୍ତି ଦେଶବାସୀ

ଭୁବନେଶ୍ବର: ଆଜି ରଙ୍ଗର ପର୍ବ ହୋଲି । ଆଧ୍ୟାତ୍ମିକ ଭାରତ ବର୍ଷରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଆନନ୍ଦ ଓ ଭାତୃତ୍ବର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାଉଛନ୍ତି ଲୋକେ । ସବୁଠି ଜମୁଛି ରଙ୍ଗର ମାହୋଲ । ସ୍ନେହ ଓ ପ୍ରେମର ରଙ୍ଗ ଲଗାଇ ସମ୍ପର୍କର ସୁତାକୁ ମଜବୁତ କରୁଛନ୍ତି ସମସ୍ତେ । ମିଠା ଦେଇ ମନ ଜିଣୁଛନ୍ତି ସାଙ୍ଗ, ସାଥୀ, ଭାଇ ଓ ଭଉଣୀ  । ହୋଲି ରଙ୍ଗରେ ରଙ୍ଗେଇ ହୋଇଛି ସାରା ଦେଶ । ରଙ୍ଗର ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ଖୁବ ଧୁମଧାମରେ ପାଳନ କରାଯାଇଛି ।

ଅନ୍ୟପଟେ ହୋଲି ପାଇଁ ସଜାଗ ହୋଇଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ଯବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ସହରର ୩୧ଟି ସ୍ଥାନରେ ଅମାନିଆଙ୍କୁ ଜଗିବ ପୋଲିସ । ପିସିଆର ସହ ୧୭ଟି ମୋବାଇଲ ଭେଇକିଲରେ ବୁଲିବେ ସ୍ବତନ୍ତ୍ର ଟିମ୍ । ଅମାନିଆଙ୍କ ଉପରେ ସିସିଟିଭି ସହାଯ୍ୟରେ ନଜର ରଖାଯିବ । ଏହା ସହିତ ଷ୍ଟାଇକିଂ ଫୋର୍ସ ମୁତୟନ ହେବେ । ୪ଟି ଗାଧୁଆ ତୁଠରେ ପୋଲିସ ବି ପହରା ମାରିବ । ବିଶେଷକରି କେମିକାଲ ରଙ୍ଗ ବିକ୍ରି ଉପରେ ନଜର ରଖିବ ସ୍ୱତନ୍ତ୍ର ଟିମ ।  ଜଣେ ଡିସିପିଙ୍କ ନେତୃତ୍ୱରେ ରଙ୍ଗ ନେଇ ଯାଞ୍ଚ କରାଯିବ । ସେହିପରି ୪ଜଣ ଏଡିସିପିଙ୍କ ନେତୃତ୍ୱରେ ୮ ଜଣ ଏସିପି, ଆଇଆଇସିଙ୍କ ସହ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଲିରେ ମଦ ପିଇ ଗାଡି ଚଳାଇଲେ ଧରିବ ପୋଲିସ । ରାସ୍ତାରେ ଯୁବତୀଙ୍କୁ କମେଣ୍ଟ ମାରିଲେ ଜଗିବ ମହିଳା ପୋଲିସ । ରୋଡ୍ ରୋମିଓଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହୋଲି ନାଁରେ କମର୍ସିଆଲ ପାର୍ଟି କରୁଥିଲେ ସମସ୍ତ ତଥ୍ୟ ସ୍ଥାନୀୟ ପୋଲିସକୁ ଦେବାକୁ ପଡ଼ିବ ।