ଜାତୀୟ ଗଣମାଧ୍ୟମରେ ଗିରିଶ ମୁର୍ମୁଙ୍କୁ ନେଇ ଚର୍ଚ୍ଚା, ହୋଇପାରନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗିରିଶ ମୁର୍ମୁ ହୋଇପାରନ୍ତି ଓଡ଼ିଶାର ପରବର୍ତ୍ତୀ ମୁଖ୍ଯମନ୍ତ୍ରୀ। ଗିରିଶ ମୁର୍ମୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ନେଇ ଜାତୀୟ ଗଣମାଧ୍ଯମରେ ଚର୍ଚ୍ଚା ହେଉଛି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଗିରିଶ ମୁର୍ମୁ।

ଓଡିଶାରେ ଦୁଇଟି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି  । ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟଟି ଗିରିଶ ମୁର୍ମୁ  । କିନ୍ତୁ ମୋଦି କ୍ୟାବିନେଟରେ ଧର୍ମେନ୍ଦ୍ର ଶପଥ ନେବା ପରେ ଏବେ ଗିରିଶଙ୍କ ନାଁ ଫାଇନାଲ ବୋଲି ଚର୍ଚ୍ଚା ହେଉଛି  । ବିଜେପି ପକ୍ଷରୁ ଏନେଇ କୌଣସି ଅଧିକାରିକ ସୂଚନା ମିଳିନାହିଁ  । ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ନାଁରେ ଫାଇନାଲ ମୋହର ମାରିବେ ଦଳର ସୁପ୍ରିମୋ  ।

ଗିରିଶ ମୁର୍ମୁ ଭାରତର ଏଜି ଅଛନ୍ତି  । ଗତ ଅଗଷ୍ଟ ୮, ୨୦୨୦ରୁ ତାଙ୍କୁ ଏହି ଦାୟିତ୍ବ ମିଳିଛି  । ଏହା ପୂର୍ବରୁ ଜମ୍ମୁ କାଶ୍ମୀରର ଏଲଜି ରହିଛନ୍ତି ଗିରିଶ ମୁର୍ମୁ  । ଭାରତ ସରକାରଙ୍କ ବିଭିନ୍ନ ପଦ ପଦବୀରେ ସେ ଦାୟିତ୍ବ ତୁଲାଇଛନ୍ତି  । ଅର୍ଥ ବିଭାଗ ସଚିବ, ବିତ୍ତୀୟ ସେବା ବିଭାଗ ଓ ରାଜସ୍ବ ବିଭାଗରେ ସ୍ବତନ୍ତ୍ର ଓ ଅତିରିକ୍ତ ସଚିବ ଦାୟିତ୍ବ ତୁଲାଇଛନ୍ତି  । କେନ୍ଦ୍ରରେ ନିଜ କାର୍ଯ୍ୟକାଳ ପୂର୍ବରୁ ମୁର୍ମୁ ଗୁଜୁରାଟ ସରକାରରେ ବି ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି  । ମୁର୍ମୁଙ୍କ ପାଖରେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଅଭିଜ୍ଞତା ରହିଆସିଛି  ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ହାସଲ କରିଛନ୍ତି ମୁର୍ମୁ  । ବର୍ମିଂଧମ ବିଶ୍ବବିଦ୍ୟାଳୟରୁ ଏମବିଏ ଡିଗ୍ରୀ ମଧ୍ୟ ସେ ହାସଲ କରିଛନ୍ତି  । ଗୁଜୁରାଟ କ୍ୟାଡରର ୧୯୮୫ ବ୍ୟାଚର ସେ ଆଇଏଏସ ଅଧିକାରୀ ଅଟନ୍ତି  । ୧୯୫୯ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ଗିରିଶ ମୁର୍ମୁ ସ୍ମିତା ମୁର୍ମୁଙ୍କୁ ବିବାହ କରିଛନ୍ତି  ।