ଦାୟିତ୍ଵ ନେବା ପରେ ପିଏମ ମୋଦିଙ୍କ ପ୍ରଥମ ଦସ୍ତଖତ, ଉପକୃତ ହେବେ ୯ କୋଟିରୁ ଅଧିକ ଚାଷୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେବାପରେ ପିଏମ ମୋଦିଙ୍କ ପ୍ରଥମ ଦସ୍ତଖତ। ପିଏମ କିଶାନ ନିଧିର ୧୭ତମ କିସ୍ତି ଜାରି କରିବାକୁ ଫାଇଲରେ କଲେ ଦସ୍ତଖତ। ଏହାଦ୍ଵାରା ଉପକୃତ ହେବେ ୯ କୋଟିରୁ ଅଧିକ ଚାଷୀ। ପିଏମ କିଶାନ ନିଧିର ୧୭ତମ କିସ୍ତି ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ୯.୩ କୋଟିରୁ ଅଧିକ ଚାଷୀଙ୍କୁ ପ୍ରାୟ ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତୃତୀୟ ପାଳି ସରକାରରେ ଦାୟିତ୍ଵ ଗ୍ରହଣ ପରେ ଏହି ପ୍ରଥମ ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଗତକାଲି ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥଗ୍ରହଣ ସମାରୋହର ଆୟୋଜନ ହୋଇଥିଲା। ହଜାର ହଜାର ସଂଖ୍ଯାରେ ଆମନ୍ତ୍ରିତ ଅତିଥିଙ୍କ ଗହଣରେ ତୃତୀୟଥର ଲାଗି ପ୍ରଧାନମନ୍ତ୍ରୀଭାବେ ଶପଥଗ୍ରହଣ କରିଥିଲେ ମୋଦି। ମୋଦିଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ ୭୨ ଜଣ ମନ୍ତ୍ରୀ ଶପଥ ପାଠ କରିଥିଲେ।