ନରେନ୍ଦ୍ର ମୋଦିଙ୍କ ପରେ ନିର୍ମଳା ସୀତାରମଣ କଲେ ଖାସ୍‌ ରେକର୍ଡ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି  । ଏନଡିଏ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେଇଛନ୍ତି ନିର୍ମଳା ସୀତାରମଣ  ।ମୋଦି ସରକାରରେ ଲଗାତାର ତୃତୀୟ ଥର ମନ୍ତ୍ରୀ ରୂପେ ଶପଥ ନେଇ ପ୍ରଥମ ମହିଳା ସାଜିଛନ୍ତି ସୀତାରମଣ  ।

 

ମୋଦି ମନ୍ତ୍ରୀମଣ୍ଡଳରେ ସେ ୨୦୧୭ରେ ପ୍ରଥମ ଥର ମହିଳା ପ୍ରତିରକ୍ଷା ମନ୍ତ୍ରୀ ସାଜି ରେକର୍ଡ କରିଛନ୍ତି । ପ୍ରଥମ ମହିଳା ଭାବେ ଭାରତର ପୂର୍ଣ୍ଣକାଲୀନ ଅର୍ଥମନ୍ତ୍ରୀ ସାଜି ସେ ରେକର୍ଡ କରିଛନ୍ତି  । ଏହା ପୂର୍ବରୁ ଇନ୍ଦିରା ଗାନ୍ଧୀ କିଛି ସମୟ ପାଇଁ ଅର୍ଥମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ନେଇଥିଲେ  । ଲଗାତାର ଷଷ୍ଠ ବଜେଟ ଉପସ୍ଥାପନ କରି ରେକର୍ଡ କରିଛନ୍ତି ନିର୍ମଳା  । ଏଥିରେ ୫ ପୂର୍ଣ୍ଣାଙ୍ଗ ବଜେଟ ଓ ଗୋଟିଏ ଅନ୍ତରୀଣ ବଜେଟ ସାମିଲ ଅଛି  ।

 

ଏହି ଉପଲବ୍ଧି ବର୍ତ୍ତମାନ ସୁଦ୍ଧା କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ହାସଲ କରିଥିଲେ  । ସୀତାରମଣ ବଜେଟ ଉପସ୍ଥାପନା କରିବା ସମୟରେ ପାରମ୍ପାରିକ ବ୍ରିଫକେସ୍‌କୁ ହଟାଇ ଦେଇଥିଲେ  । ଏହା ସ୍ଥାନରେ ଭାଷଣ ଓ ଅନ୍ୟ ଦସ୍ତାବିଜ ନେବା ପାଇଁ ରାଷ୍ଟ୍ରୀୟ ପ୍ରତୀକ ସହ ବହିଖାତାର ସାହାରା ନେଇଥିଲେ  ।