ଯେତେବଳେ ଲକଡାଉନ୍ କଥା ଉଠିବ, ସେତେବେଳେ ସୋନୁ ଆଲୋଚନା ଭିତରକୁ ଆସିବେ

ଜଣେ ବ୍ୟକ୍ତି ଚାହିଁଲେ ବହୁତ କିଛି କରି ପାରିବେ । ବଲିଉଡର ସୋନୁ ସୁଦ୍ ହେଉଛନ୍ତି ଏହାର ଉଦାହରଣ । ଆମ ସମୟର ଜଣେ ରୋଲ ମଡେଲ । ଭବିଷ୍ୟତରେ ଯେତେବେଳେ କରୋନା କାଳର ଇତିହାସ ଲେଖାଯିବ,ଯେତେବେଳେ ଲକଡାଉନକୁ ଲୋକ ମନେ ପକାଇବେ,ଯେତେବେଳେ ଆଜିର ପୀଢି ଆଗାମୀ ପୀଢିକୁ ଲକଡାଉନର ବ୍ୟଥା କଥା ଶୁଣାଇବେ ସେତେବେଳ ସୋନୁ ମାନବତାର ଉଦାହରଣ ହୋଇ କାହାଣୀର ନାୟକ ହେବେ ।

ସୋନୁଙ୍କ କଥା ସିନେମାର କାହାଣୀଠାରୁ କିଛି କମ ନୁହେଁ । ଦୁଇ ଘଣ୍ଟାର ଟାଇମ୍ ଫ୍ରେମ ଭିତରେ ନାୟକକୁ ବହୁତ କିଛି କରିବାର ଥାଏ । ସମାଜ,ସିଷ୍ଟମକୁ ବଦଳାଇବା ପାଇଁ ତା’ପାଖରେ ଦୁଇ ଘଣ୍ଟା କିମ୍ବା ତା’ଠାରୁ କମ ସମୟ ଥାଏ । କିନ୍ତୁ ସେହି ଟାଇମ୍ ଫ୍ରେମ ଭିତରେ ସବୁ କିଛି ସଫଳତାର ସହ ସାରେ ନାୟକ । କାହାଣୀର ହାପି ଏଣ୍ଡିଂ ହୁଏ । ବାସ୍ତବ ଜୀବନରେ ଏମିତି କିଛି ହେବ ନାହିଁ,ଏହା କେବଳ ସିଲଭର ସ୍କ୍ରିନ୍ ଉପରେ ସମ୍ଭବ ବୋଲି ଜାଣିଥିବା ଦର୍ଶକ କିନ୍ତୁ ତାଳିମାରେ । ତେଣୁ ‘ନାୟକ’ ଫିଲ୍ମରେ ଅନିଲ କପୁର ଓରଫ ଶିବଜୀ ରାଓ ଗାଏକୱାଡ ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ବହୁତ କିଛି କରି ପକାନ୍ତି । ପିଡିଏସ ବିତରଣରେ ସୁଧାରଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କୁ ଘର ଦେବା ,ସବୁକିଛି ୨୪ ଘଣ୍ଟା ଭିତରେ ହୋଇଯାଏ । ଏସବୁ ଫିଲ୍ମରେ ସମ୍ଭବ ଥିଲା ।

କିନ୍ତୁ କରୋନା କାଳରେ ଜଣେ ଫିଲ୍ମି ଖଳନାୟକ ଏସବୁ ବାସ୍ତବ ଜୀବନରେ ମଧ୍ୟ ସମ୍ଭବ ବୋଲି ପ୍ରମାଣିତ କରିଛନ୍ତି । ସେ ହେଉଛନ୍ତି ସୋନୁ ସୁଦ । ସୁପ୍ରିମକୋର୍ଟଙ୍କୁ ୫ ଜୁନରେ ୧୫ ଦିନ ମଧ୍ୟରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଂଚାଇବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପଡେ । କିନ୍ତୁ ତା’ପୂର୍ବରୁ ଜଣେ ବ୍ୟକ୍ତି ଏକାକୀ ନିଜ ଚେଷ୍ଟାରେ ୧୮ ହଜାରରୁ ଅଧିକ ପ୍ରବାସୀଙ୍କୁ ଘରେ ପହଂଚାଇ ସାରିଛନ୍ତି । ବାତ୍ୟା ନିସର୍ଗ ବେଳେ ମଧ୍ୟ ସୋନୁଙ୍କୁ ସୁପରମ୍ୟାନ୍ ଭୂମିକାରେ ଦେଖିବାକୁ ମିଳିଛି । ସୋନୁ ୨୮ ହଜାର ଲୋକଙ୍କୁ ନିଜ ଖର୍ଚ୍ଚରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛନ୍ତି । ସେମାନଙ୍କ ଭୋଜନ ବ୍ୟବସ୍ଥା କରିଛନ୍ତି । ଏମିତିରେ ସୋନୁଙ୍କୁ ଯଦି ଏକାକୀ ଗୋଟିଏ ସେନା କୁହାଯାଏ ତେବେ କିଛି ଭୁଲ ହେବ ନାହିଁ ।

ପରିବର୍ତ୍ତନ ପାଇଁ ନିଜକୁ ହିଁ ଆଗକୁ ବଢିବାକୁ ପଡେ । ସୋନୁ ସେ କଥା କରି ଦେଖାଇଛନ୍ତି । ତେଣୁ ବ୍ୟକ୍ତି ପୂଜାରେ ବିଶ୍ୱାସ କରୁଥିବା ଭାରତରେ ଯଦି ଆଗକୁ ସୋନୁଙ୍କ ନାମରେ ମନ୍ଦିର ତିଆରି ହୁଏ ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ସବୁଠୁ ସୁଖଦ ଆଶ୍ଚର୍ଯ୍ୟ ହେବ,ଯଦି ସୋନୁଙ୍କ ପଦାଙ୍କ ଆମେ ଅନୂସରଣ କରିବା । କେବଳ ଫେସବୁକ୍, ଟ୍ୱିଟରର ହ୍ୟାସଟାଗ ଭିତରେ ନିଜକୁ ସୀମିତ ରଖିଲେ ପରିବର୍ତ୍ତନ ଆସିବ ନାହିଁ । ସେଥିପାଇଁ ସୋନୁଙ୍କ ଭଳି ରାସ୍ତାକୁ ଓହ୍ଲାଇବାକୁ ପଡିବ ।

Leave a Reply