ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ମାଡ଼ି ଆସୁଛି ବାତ୍ୟା!

1 min read

ନନ୍ଦିଘୋଷ ବ୍ୟୁରୋ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ଯାର ରୂପ । ତେବେ ବାତ୍ଯା ହେବ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଦକ୍ଷିଣ ତାମିଲନାଡୁ ଓ ଶ୍ରୀଲଙ୍କା ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ମୌସୁମୀ ପ୍ରବାହ ଯୋଗୁଁ ପଶ୍ଚିମା ବାୟୁ ମଧ୍ୟ ଶକ୍ତିଶାଳୀ ହେବାରେ ଲାଗିଛି । ଏହି ଘୁର୍ଣ୍ଣିବଳୟ ୨ରୁ ୩ ଦିନ ମଧ୍ଯରେ ପୂର୍ବ ଦିଗକୁ ମୁହାଁଇବା ସହ ଆହୁରି ବଳ ଗୋଟାଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ। ୨୨ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଉତ୍ତର ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡିଶା ମୁହାଁ ହୋଇପାରେ। ତଥାପି ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କିଛି ସ୍ପଷ୍ଟ ଭାବେ ସୂଚନା ଆସିନାହିଁ। ତେବେ ଆଉ ଦୁଇ ଦିନ ଯାଏ ଗ୍ରୀଷ୍ମ ଲହରି ଜାରି ରହିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼ର କିଛି ଅଞ୍ଚଳରେ ଘଡ଼ଘଡ଼ି ହେବାର ସମ୍ଭାବନା  ।