ହାରିବା ଜାଣି ରାଗରେ ରକ୍ତ ଚାଉଳ ଚୋବାଉଛି ବିଜେପି : ବିଜେଡି

ଭୁବନେଶ୍ବର: ନିର୍ବାଚନରେ ନିଜର ଶୋଚନୀୟ ପରାଜୟ ଜାଣି ସାରିଲାଣି ବିଜେପି। ଏଥିପାଇଁ ବିଜେପି ରାଗରେ ରକ୍ତ ଚାଉଳ ଚୋବାଉଛି । ଶୁକ୍ରବାର ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଏହା ପ୍ରମାଣିତ କରିଛି । ଏନେଇ ଭଟଲି ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ଯ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ର୍ପୂବରୁ ମଧ୍ୟ ଈରାଶିଷଙ୍କ ଅପରାଧିକ କାର୍ଯ୍ୟକଳାପ ବିଷୟରେ ଓଡ଼ିଶାବାସୀ ଜାଣିଛନ୍ତି ।

ଶୁକ୍ରବାର ଏହାର ପୁନରାବୃତ୍ତି କରିଛନ୍ତି ଈରାଶିଷ । ନେଗିମୁଣ୍ଡାର ବିଜେଡି କର୍ମୀ ସାନନ୍ଦ ସାହୁଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିନେଇଥିଲେ ଈରାଶିଷଙ୍କ ୫ ଜଣ ସମର୍ଥକ । ସାନନ୍ଦଙ୍କ ପୁଅ ସୋହେଲା ଥାନାରେ ଏତଲା ଦେବା ପରେ ପୋଲିସ ସାନନ୍ଦଙ୍କୁ ଅମ୍ବାଭୋନା ଅଞ୍ଚଳର ଏକ ଜଙ୍ଗଲରୁ ଉଦ୍ଧାର କରିଥିଲା । ଅପହରଣକାରୀମାନେ ଭଟଲିର ବିଜେପି ବିଧାୟକ ପ୍ରାର୍ଥୀ ଈରାଶିଷ ଆଚାର୍ଯ୍ଯଙ୍କ ସମର୍ଥକ ବୋଲି ସାନନ୍ଦ ସାହୁ କହିଛନ୍ତି ।

ଗାଁରେ ବିଜେଡି ଅଫିସ ଖୋଲିବାରୁ ତାଙ୍କୁ ଅପହରଣ କରିବା ସହିତ ମାଡ଼ ମାରି ହତ୍ଯା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସାନନ୍ଦ। ସେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି । ଏହି ଘଟଣାରେ ଈରାଶିଷ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ବିଜେଡି ଦାବି କରିଛି ।