ଦିନେ ପ୍ରେସମିଟ କରି ଅଡିଓ ଶୁଣାଇ ସମୀରଙ୍କୁ କହୁଥିଲେ ହତ୍ୟାକାରୀ, ଆଜି ପୁଣି ସୁନାପୁଅ କହି କେଳେଇଲେ କେମିତି?

ନନ୍ଦିଘୋଷ ବ୍ୟୁରୋ: ପୂର୍ବରୁ କହୁଥିଲ ସେ ହେଉଛନ୍ତି କେଳେଙ୍କାରୀ, ପୁଣି ଏବେ ସେ କେମିତି ହେଲେ ପ୍ରିୟ ତୁମରି । ବିଜେପିରେ ନିମାପଡ଼ା ବିଧାୟକ ସମୀର ଦାଶ ଯୋଗଦେବା ପରେ ଏବେ ସବୁଠି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । କହି ରଖୁଛୁ କି, ପୁରୀ ଜିଲ୍ଲା ଗୋପ୍ ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ଯୁ ପୂର୍ବରୁ ସାମ୍ନାକୁ ଆସିଥିଲା ଏକ ମୋବାଇଲ ଅଡିଓ।  ଏହି ଅଡିଓ ସମ୍ପର୍କରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଥିଲେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ସେ କହିଥିଲେ, ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ସାହୁ ଫୋନ୍‌ରେ ଅକ୍ଷୟ ନାମକ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ। ଆତ୍ମହତ୍ୟା କରିବେ ବୋଲି କହିଥିଲେ ଧର୍ମେନ୍ଦ୍ର ସାହୁ। ସମୀର ଦାଶଙ୍କ ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମଧ୍ୟ ବନ୍ଧୁ ଅକ୍ଷୟଙ୍କୁ ଧର୍ମେନ୍ଦ୍ର ଜଣାଇଥିଲେ। ଯାହା କି ଅଡିଓ କ୍ଲିପ୍‌ରୁ ସ୍ପଷ୍ଟ ବାରି ହୋଇପଡୁଥିଲା। ସମୀର ଦାଶ ଇସ୍ତଫା  ଦେବାକୁ ଦାବି କରିଥିଲେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା। ଘଟଣାକୁ ନେଇ ବିଜେପି ଅହୋରାତ୍ର ଧାରଣା କରିବ ବୋଲି ମଧ୍ୟ କହିଥିଲା । କିନ୍ତୁ ଆଜି ବିଜେପି କିଭଳିଭାବେ ଜଣେ କେଳେଙ୍କାରୀ ନେତାଙ୍କୁ କୋଳାଇ ନେଲେ ତାକୁ ନେଇ ଆରମ୍ଭ ହୋଇଛି ରାଜେନୖତିକ ଚର୍ଚ୍ଚା ।