କେଳେଙ୍କାରୀ ନେତାଙ୍କୁ କୋଳାଇଲା ବିଜେପି

ଭୁବନେଶ୍ବର: ଯେତେସବୁ କେଳେଙ୍କାରୀ, ସବୁ ଗୋଟିଏ ଦଳରେ କୋଳାକୋଳି । ଯେଉଁ ସମୀର ଦାଶଙ୍କୁ ହତ୍ୟା ଅଭିଯୁକ୍ତ କହି ଦିନେ ବିଜେପି ହଲ୍ଲାବୋଲ କରୁଥିଲା, ଯାହାଙ୍କ କେଳେଙ୍କାରୀର ଚିଠା ଧରି ତୁମ୍ବିତୋଫାନ କରୁଥିଲା ଆଜି ସେହି ସମୀର ଦାଶକୁ ଜୋଇଁପୁଅ ଭଳି ଦଳକୁ ବାଟବରଣୀ କରି ନେଇଛି ଭାରତୀୟ ଜନତା ପାର୍ଟି । ସମୀର ବିଜେପିରେ ମିଶିବା ପରେ ରାଜ୍ୟବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ, ବିଜେପିର ନୀତିନୈତିକତା ଅଛି ତ ? କାରଣ ୬ ମାସ ତଳେ ଜଣେ ହତ୍ୟା ଅଭିଯୁକ୍ତ ବୋଲି ଯେଉଁ ସମୀର ଦାଶଙ୍କ ବିରୋଧରେ ବିଜେପି ଅଭିଯୋଗ ଆଣୁଥିଲା ଆଜି ସିଏ କେମିତି ନିର୍ମଳ ଓ ଗେହ୍ଲାପୁଅ ହୋଇଗଲେ ? ସେଦିନ ହତ୍ୟାକାରୀ ବୋଲି କହି ଗାଳି ଦେଉଥିଲେ କିନ୍ତୁ ଆଜି କେମିତି ଆଦରି ନେଲେ ? ଗୋପ ବ୍ଲକ ୧୧ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ସମୀରଙ୍କ ହାତ ଥିବା ଅଭିଯୋଗ ହେଉଥିଲା । ତାଙ୍କ ମୃତ୍ୟୁ ପାଇଁ ସମୀର ଦାଶ ଦାୟୀ ବୋଲି ଅଙ୍ଗୁଳି ଉଠିଥିଲା ।

ସମୀର ମୃତ ଧର୍ମେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ବ୍ଲାକମେଲ କରୁଥିବା ନେଇ ସାଂଘାତିକ ଅଭିଯୋଗ ବି ଆସିଥିଲା । ସେତେବେଳେ ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ସମୀରଙ୍କ ବିରୋଧରେ ହଲ୍ଲାବୋଲ କରିଥିଲେ । ମାଳମାଳ ଭାଇରାଲ ଅଡିଓ ଓ ଫଟୋ ଧରି ପୋଲ୍ ଖୋଲିଥିଲେ । ସମୀରଙ୍କ ବିବାଦୀୟ ଚରିତ୍ର ଓ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେଇନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସମୀରଙ୍କୁ ନବୀନ ବାଦ୍ ଦେବା ସହ ପରବର୍ତ୍ତୀ ସମୟରେ ବିଜେଡି ଟିକେଟ ବି ଦେଇନଥିଲା । ହେଲେ ବିଜେଡି ରିଜେକ୍ଟ କରିଥିବା ବିବାଦୀୟ ସମୀରଙ୍କୁ ଆଜି କୋଳେଇ ନେଇଛି ବିଜେପି । ପୁଣିଥରେ ଭାରତୀୟ ଜନତା ପାର୍ଟି ପ୍ରମାଣିତ କରିଛି, ସବୁ ଗୁଣ୍ଡା, ବଦମାସ ଓ କେଳେଙ୍କାରୀ ବ୍ୟକ୍ତିଙ୍କ ପାଇଁ ସେ ହିଁ ଆଶ୍ରୟସ୍ଥଳୀ । ପୂର୍ବରୁ ବିଜେଡିରୁ ବହିଷ୍କୃତ ଜନବିରୋଧୀ ପ୍ରଦୀପ ପାଣିଗ୍ରାହୀ ଓ ଗୁଣ୍ଡା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବି ଦଳକୁ ନେଇ ବିଜେପି ନିଜ ହୀନ ରାଜନୀତିର ପରିଚୟ ଦେଇସାରିଛି । ଆଉ ଏବେ ସେହି ତାଲିକାରେ ଯୋଡି ହୋଇଛନ୍ତି ସମୀର ଦାଶ ।