କେନ୍ଦ୍ର କୃଷି ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ପ୍ରସ୍ତାବ, MSPଠୁ କମ ମୁଲ୍ୟ ନେବାକୁ ଚାପ ପକାଇଲେ ଜେଲ ଦଣ୍ଡ

ଚଣ୍ଡିଗଡ଼: କେନ୍ଦ୍ର ସରକାର ଦ୍ୱାରା ଆସିଥିବା କୃଷି ଆଇନ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଛି ।ଏହାମଧ୍ୟରେ ମଙ୍ଗଳବାର ଦିନ ପଞ୍ଜାବ ବିଧାନସଭାରେ ଏହି ଆଇନ ବିରୋଧରେ ଏକ ପ୍ରସ୍ତାବ ଗୃହିତ ହୋଇଛି । ଏଭଳି ପ୍ରସ୍ତାବ ଆଣିବାରେ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ।   ମଙ୍ଗଳବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ବିଧାନସଭାରେ ଏହି ପ୍ରସ୍ତାବ ରଖିଛନ୍ତି ।

ପଞ୍ଜାବ ବିଧେୟକରେ  କୃଷକଙ୍କୁ ଏମଏସପିରୁ କମ୍ ଫସଲ ଦେବାକୁ ବାଧ୍ୟ କରିବାରେ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଯଦି କେହି କୃଷକଙ୍କୁ ଏମଏସପିଠାରୁ କମ ମୁଲ୍ୟରେ ଫସଲ ବିକ୍ରି କରିବାକୁ ବାଧ୍ୟ କରେ ତେବେ ସମ୍ପୃକ୍ତ ଲୋକଙ୍କୁ ୩ ବର୍ଷର ଜେଲ ଦଣ୍ଡ ଦିଆଯିବ । ଏହାସହ ଯଦି କୌଣସି କମ୍ପାନୀ କିମ୍ବା ବ୍ୟକ୍ତିଙ୍କ ଦ୍ୱାରା କୃଷକଙ୍କ ଉପରେ ଜମି ଏବଂ ଫସଲକୁ ନେଇ କୌଣସି ଚାପ ଦିଆଯାଏ ସେତେବେଳେ ମଧ୍ୟ  ଜରିମାନା ଏବଂ ଜେଲ ଦଣ୍ଡ ଦେବାକୁ ପ୍ରସ୍ତାବରେ ସାମିଲ କରାଯାଇଛି ।

ଏହି ପ୍ରସ୍ତାବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଣାଯାଇଥିବା ୩ଟି କୃଷି ଆଇନର ଆଲୋଚନା କରାଯାଇଛି । ଏଠାରେ ପ୍ରସ୍ତାବ ଦେବା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ, ୩ଟି କୃଷି ନିୟମ ବ୍ୟତୀତ ବିଦ୍ୟୁତ୍ ବିଲରେ ମଧ୍ୟ ଯେଉଁ ପରିବର୍ତ୍ତନ କରାଯାଇଛି, ତାହା ମଧ୍ୟ କୃଷକ ଏବଂ ଦିନ ମଜୁରୀଆଙ୍କ ବିରୋଧରେ ରହିଛି । ଏଥିପାଇଁ କେବଳ ପଞ୍ଜାବ ନୁହେଁ ହରିୟାନା ଏବଂ ପଶ୍ଚିମ ୟୁପିରେ ମଧ୍ୟ ପ୍ରଭାବ ପଡ଼ିବ ।

ବିଧାନସଭାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ ନୂଆ ବିଧେୟକକୁ ସମାଲୋଚନା କରାଯାଇଥିଲା । ଏହସହ  ବିଧାନସଭାରେ କେନ୍ଦ୍ର ଆଇନ ବିରୋଧରେ ତିନୋଟି ନୂଆ ବିଧେୟକ ରଖା ଯାଇଥିଲା । ଯାହା କେନ୍ଦ୍ର ଆଇନଠାରୁ ବିଲକୁଲ ଅଲଗା ଓ ଏଥିରେ ଏମଏସପିକୁ ବାଧ୍ୟତାମୁଳକ କରାଯାଇଛି । ମୁଖ୍ୟମନ୍ତ୍ରୀ ରେଳ ଧାରଣାରେ ବସିଥିବା କୃଷକଙ୍କୁ ଅନୁରୋଧ କରିଛନ୍ତି ଯେ, ଏବେ ଧାରଣାରୁ ଉଠି ନିଜ ନିଜ କାମକୁ ଫେରନ୍ତୁ । ଏହି ଆଇନ ବିରୋଧରେ ଆମେ ଆଇନଗତ ଲଢେଇ ଲଢିବୁ ।

ଏହି ପ୍ରସ୍ତାବରେ କେନ୍ଦ୍ରସରକାରଙ୍କୁ ନୂଆ ଅଧ୍ୟାଦେଶ ଆଣିବାକୁ  ଅନୁରୋଧ କରାଯାଇଛି  । ଯେଉଁଥିରେ ଏମଏସପିକୁ ସାମିଲ କରିବାକୁ ଦାବି କରାଯାଇଛି । ଏହା ବ୍ୟତୀତ ସରକାରୀ ଏଜେନ୍ସିର ପ୍ରକ୍ରିୟାକୁ ମଜବୁତ କରାଯାଉ । କ୍ୟାପଟେନ ଅମରିନ୍ଦର ଏନେଇ ସବୁ ରାଜନୈତିକ ଦଳଙ୍କୁ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଆମ ଆଦମୀ ପାର୍ଟି (ଆପ)ର ବିଧାୟକଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଯେ, କିଛି ଲୋକ ବିଧାନସଭାରେ ରାତି ବିତାଉଛନ୍ତି, ଆଉ କିଏ ଟ୍ରାକ୍ଟରରେ ଆସୁଛି । ଏମିତିରେ କିଛି ପ୍ରଭାବ ପଡ଼ିବ ନାହିଁ, ଏବଂ ପ୍ରଦର୍ଶନ କରି କିଛି ଲାଭ ମଧ୍ୟ ନାହିଁ ଯେଉଁପର୍ଯ୍ୟନ୍ତ ଆମେ କେନ୍ଦ୍ର ବିରୋଧରେ ଏକ୍ ହୋଇ ନ ଲଢିବା ସେ ପର୍ଯ୍ୟନ୍ତ କିଛି ସୁଫଳ ମିଳିବ ନାହିଁ । ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏହି ବିଲ୍ ଆଧାରରେ ରାଜ୍ୟ ସରକାର ଆଗକୁ ଆଇନଗତ ଲଢେଇ ଲଢିବେ ।

ପ୍ରସ୍ତାବରେ ଏହା ମଧ୍ୟ ସାମିଲ କରାଯାଇଛି ଯେ, ସମ୍ବିଧାନ ଅନୁସାରେ କୃଷି ବିଷୟର ସମସ୍ତ ପଦକ୍ଷେପ ରାଜ୍ୟ ସରକାରଙ୍କ ହାତରେ ଅଛି । କିନ୍ତୁ ଏହା ଉପରେ କେନ୍ଦ୍ର ନିଜେ ନିର୍ଣ୍ଣୟ ନେଇଛି ଯାହା ଆଇନର ଉଲ୍ଲଂଘନ । ଏଥିରେ ଶେଷ ନିଷ୍ପତ୍ତି ରାଜ୍ୟର ହେବା ଦରକାର । ଆପଣଙ୍କୁ କହିରଖୁଛୁ ଯେ, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରେ ବିଧାନସଭାରେ ନବଜ୍ୟୋତ ସିଂବ ସିଦ୍ଧୁ ମଧ୍ୟ ନିଜ ପକ୍ଷ ରଖିଛନ୍ତି ଏବଂ କେନ୍ଦ୍ରର କୃଷି ଆଇନର ବିରୋଧ କରିଛନ୍ତି ।

Leave a Reply