‘ସ୍ତ୍ରୀଧନ’ ଉପରେ ନାହିଁ ସ୍ୱାମୀଙ୍କ ଅଧିକାର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଲୋକ ସଭା ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ହେଲେ ଏହା ମଧ୍ୟରେ ସ୍ତ୍ରୀଧନ ଏବଂ ମଙ୍ଗଳସୂତ୍ର ନେଇ ଚାଲିଛି ନୂଆବିତର୍କ । ଯାହାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ସ୍ତ୍ରୀଧନ ସମ୍ପୂର୍ଣ୍ଣ ମହିଳାଙ୍କର, ଏଥିରେ ସ୍ୱାମୀ କି ଶ୍ୱଶୁର ଘରର କୌଣସି ଅଧିକାର ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

‘ସ୍ତ୍ରୀଧନ’ ଉପରେ ନାହିଁ ସ୍ୱାମୀଙ୍କ ଅଧିକାର 

ସ୍ତ୍ରୀଧନ ଉପରେ ସମ୍ପୂର୍ଣ୍ଣ ଅଧିକାର କେବଳ ସ୍ତ୍ରୀର ରହିଥିବା ବେଳେ ସ୍ୱାମୀଙ୍କର ଏହି ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । କେବଳ ବିପଦ ସମୟରେ ସ୍ୱାମୀ ଏହାକୁ ବ୍ୟବହାର କରିପାରିବେ । ତେବେ ବିବାହିତ ମହିଳାଙ୍କ ଧନ ସମ୍ପତ୍ତି ଅଧିକାରକୁ ଆହୁରି ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ବୁଧବାର ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ଏକ ‘ସ୍ତ୍ରୀଧନ’ ସମ୍ପର୍କୀତ ମାମଲା ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

‘ସ୍ତ୍ରୀଧନ’ କ’ଣ ?

ବିବାହ ପୂର୍ବରୁ, ବିବାହ ସମୟରେ, ବିବାହ ପରେ ସ୍ତ୍ରୀକୁ ମିଳିଥିବା ସମସ୍ତ ଜିନିଷ ଏଥିରେ ଅନ୍ତର୍ଭୁକ୍ତ । ବାପା ମାଆ, ସମ୍ପର୍କୀୟ, ସାଙ୍ଗସାଥିଙ୍କଠାରୁ ମିଳିଥିବାଗହଣା, ଆସବାବପତ୍ର, ଜମିବାଡି, ଘର, ଉପହାର ଆଦି ସବୁ ‘ସ୍ତ୍ରୀଧନ’ ଅନ୍ତର୍ଭୂକ୍ତ । ଏଥିରେ ମହିଳାମାନଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଏହାକୁ ସେମାନେ ନିଜ ଇଚ୍ଛା ମୁତାବକ ରଖିପାରିବେ କିମ୍ବା ବିକ୍ରୟ କରିପାରିବେ । ସ୍ୱାମୀ କେବଳ ଆବଶ୍ୟକ ସମୟରେ ଏହାକୁ ବ୍ୟବହାର କରିପାରିବ । କିନ୍ତୁ ତାହାକୁ ପୁଣି ସ୍ତ୍ରୀଙ୍କୁ ଫେରାଇବା ସ୍ୱାମୀଙ୍କର ଦାୟିତ୍ୱ । ତେଣୁ ‘ସ୍ତ୍ରୀଧନ’ କେବେ ସ୍ୱାମୀ ସ୍ତ୍ରୀଙ୍କ ଯୁଗ୍ମ ସମ୍ପତ୍ତି ହୋଇପାରିବ ନାହିଁ । ସ୍ୱାମୀ ଏହା ଉପରେ ନିଜର କୌଣସି ସ୍ୱତନ୍ତ୍ର ଅଧିକାର କିମ୍ବା ଦାବି ସାବ୍ୟସ୍ତ କରି ପାରିବେ ନାହିଁ ।

ସୁପ୍ରିମକୋର୍ଟ ଆଉ ମଧ୍ୟ କହିଛନ୍ତି ଯେ, ଯଦି ‘ସ୍ତ୍ରୀଧନ’କୁ ବେଆଇନ ଭାବେ ଦୁରୁପଯୋଗ କରାଯାଏ ତେବେ ତାଙ୍କ ସ୍ୱାମୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆଇପିସି ଧାରା ୪୦୬ ବଳରେ ମାମଲା ରୁଜୁ ହୋଇପାରିବ । ତେବେ ଏପରି ମାମଲାରେ ନିଷ୍ପତ୍ତି ଅପରାଧିକ ମାମଲା ଭଳି ଠୋସ ପ୍ରମାଣ ଆଧାରରେ ନିଆଯାଇପାରିବ ନାହିଁ । ଏଥିରେ ସ୍ତ୍ରୀଙ୍କ ଅଭିଯୋଗ ଅଧିକ ମଜଭୁତ ହେବ ଆବଶ୍ୟକ ।