ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି: କାର୍ତ୍ତିକ ପାଣ୍ଡିଆନ

1 min read

ଉମରକୋଟ : ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଶାଳ ହୃଦୟ । ସେ ହୃଦୟରେ ଏକ ବଡ଼ସ୍ଥାନ ଆଦିବାସୀମାନଙ୍କ ପାଇଁ ରହିଛି । ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସଭାରେ ବହୁସଂଖ୍ଯକ ଲୋକଙ୍କ ଯୋଗଦାନ ସମ୍ପର୍କରେ ପାଣ୍ଡିଆନ କହିଥିଲେ ଯେ ଏଭଳି ବିପୁଳ ଜନସମାବେଶ ଦେଖି ବିରୋଧୀଙ୍କ ନିଦ ହଜିଯାଉଛି । ନବୀନଙ୍କୁ ଆଦିବାସୀ ଭାଇ ଭଉଣୀ ଭଲପାଉଥିବାରୁ ବିରୋଧୀ ରାଗୁଛନ୍ତି । ଜନଜାତିଙ୍କର ଗର୍ବ ହେଉଛି ସେମାନଙ୍କ କଳା, ସଂସ୍କୃତି, ଖାଦ୍ଯ, ପରମ୍ପରା, ପୂଜାସ୍ଥଳୀ, ଦେବସ୍ଥଳୀ । ଏହାର ସୁରକ୍ଷା ପାଇଁ କେବଳ ନବୀନ ହିଁ ପଦକ୍ଷେପ ନେଇଛନ୍ତି । ଅନ୍ଯ କୌଣସି ରାଜ୍ଯ ବା ସରକାର ଏ ଦିଗରେ ଏଭଳି ପଦକ୍ଷେପ ନେଇନାହାନ୍ତି । ଜନଜାତି ସମୁଦାୟର ଐତିହ୍ଯ, ପରମ୍ପରା ଓ ସଂସ୍କୃତିର ରକ୍ଷଣାବେକ୍ଷଣ ପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏସଡିସି ଅର୍ଥାତ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି ।

ଆଦିବାସୀମାନଙ୍କୁ ନବୀନ କିଭଳି ଭଲ ପାଆନ୍ତି ତା’ର ୪ଟି ଉଦାହରଣ ଦେଇଥିଲେ ପାଣ୍ଡିଆନ । ପ୍ରଥମ ହେଲା ଏସଡିସି ଗଠନ । ଏହା ଜରିଆରେ ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ରକ୍ଷଣାବେକ୍ଷଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଉଛି । ଦ୍ବିତୀୟ ଉଦାହରଣଟି ହେଲା ଜନଜାତିଙ୍କ ବିରୋଧରେ ଥିବା ଲକ୍ଷାଧିକ ଛୋଟଛୋଟ ମାମଲା ମଧ୍ଯରୁ ପ୍ରାୟ ୫୦ ହଜାରରୁ ଅଧିକ ମାମଲା ନବୀନ ପ୍ରତ୍ଯାହାର କରିନେଇଛନ୍ତି । ଆଦିବାସୀ ଲୋକମାନେ କୋର୍ଟ କଚେରୀକୁ ନଦୌଡନ୍ତୁ ବୋଲି ସବୁବେଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଚାହାଁନ୍ତି । ସେହିଭଳି ତୃତୀୟ ଉଦାହରଣଟି ହେଲା ଆଦିବାସୀ ଝିଅଙ୍କ ଶିକ୍ଷା ପାଇଁ ୫ ଲକ୍ଷ ହଷ୍ଟେଲ ନିର୍ମାଣ କରାଯାଇଛି । କେବଳ ସେତିକି ନୁହେଁ, ଆଦିବାସୀ ଝିଅମାନେ ଯେପରି ଇଂରାଜୀ ମାଧ୍ଯମରେ ଶିକ୍ଷା ଗ୍ରହଣ କରିବେ, ସେଥିପାଇଁ ଅନ୍ବେଷା ଓ ଆକାଂକ୍ଷା ହଷ୍ଟେଲ ମଧ୍ଯ କରାଯାଇଛି । ଚତୁର୍ଥ ଉଦାହରଣଟି ହେଲା, ଜନଜାତି ସମୁଦାୟ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି । ପୂର୍ବରୁ ଜଙ୍ଗଲଜାତ ଦ୍ରବ୍ଯର ଉଚିତ ମୂଲ୍ୟ ମିଳୁନଥିଲା । ଆଦିବାସୀଙ୍କ ଦ୍ବାରା ସଂଗୃହୀତ ବନଜାତ ଦ୍ରବ୍ଯର ଉଚିତ ମୂଲ୍ଯ ପାଇଁ ନବୀନ ସରକାର ଲାଭ ଯୋଜନା ଆରମ୍ଭ କରିଛନ୍ତି । ପ୍ରତ୍ଯେକ ଜଙ୍ଗଲଜାତ ଦ୍ରବ୍ଯର ସର୍ବନିମ୍ନ ସହାୟକ ମୂଲ୍ଯ ନିର୍ଦ୍ଧାରଣ କରାଯାଇଛି । ଏହାଦ୍ବାରା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ଯର ଉଚିତ ଦାମ ପାଇପାରୁଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଉମରକୋଟରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତିକାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି, ୫ ବର୍ଷ ପୂର୍ବେ ଆଜିକାର ଜଣେ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାକୁ ଆସି ବଡ଼ବଡ଼ କଥା କହିଥିଲେ । ତାଙ୍କ କଥା ଶୁଣି ଏଠି ଲୋକେ ବିଜେପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିଥିଲେ । ଏହି ୫ ବର୍ଷରେ ସେହି ବିଜେପି ପ୍ରାର୍ଥୀ କ’ଣ କାମ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସେହିଭଳି ଯେଉଁ କେନ୍ଦ୍ରମନ୍ତ୍ରୀ ଆସି ତାଙ୍କ ପାଇଁ ପ୍ରଚାର କରିଥିଲେ ସେ ନିର୍ବାଚନ ପରେ କେତେଥର ଏଠାକୁ ଆସିଛନ୍ତି ବା ଏ ଅଞ୍ଚଳ ପାଇଁ କ’ଣ କରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଲୋକଙ୍କୁ କହିଥିଲେ, ସେ ଯଦି ପୁଣି ପ୍ରଚାରରେ ଆସନ୍ତି ତେବେ ତାଙ୍କୁ କାମର ହିସାବ ମାଗନ୍ତୁ । ପାଣ୍ଡିଆନ କହିଥିଲେ, ବିକାଶ ପାଇଁ ଶାନ୍ତି ଦରକାର । ଛତିଶଗଡ଼ର ଉଦାହରଣ ଦେଇ ପାଣ୍ଡିଆନ କହିଛନ୍ତି, ସେଠାରେ ବିଜେପି ସରକାର ଅଛି । ହେଲେ ସେଠାରେ ବୋମା ଫୁଟୁଛି । କିନ୍ତୁ ଓଡ଼ିଶାରେ ନବୀନ ଶାନ୍ତି ୃ ଫେରାଇ ଆଣିଛନ୍ତି । ଏହି ଅଞ୍ଚଳର ଶାନ୍ତି ବଜାୟ ରହିଛି । ଶାନ୍ତି ବଜାୟ ରହିଲେ ବିକାଶ ହେବା ସହ ଭବିଷ୍ଯତ ଉଜ୍ବଳ ହେବ ବୋଲି ପାଣ୍ଡିଆନ କହିଥିଲେ ।