ମହାକାଶରୁ ଆସିବ ଖୁସି ଖବର

1 min read

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ର ଦୁଆରେ ଚନ୍ଦ୍ରଯାନ । ୨୩ ତାରିଖ ସନ୍ଧ୍ୟାରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟରେ ଇସ୍ରୋ । ଗତକାଲି ରାତିରେ ଫାଇନାଲ ଡିବୁଷ୍ଟିଂ ସଫଳତାର ସହ ଶେଷ ହୋଇଥିବା ବେଳେ ଚନ୍ଦ୍ରଠାରୁ ଆଉ ମାତ୍ର ୨୫କିଲୋମିଟର ଦୂରରେ ରହିଛି ଚନ୍ଦ୍ରଯାନ-୩ । ମଝିରେ ଆଉ ଦୁଇ ଦିନ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଗବେଷଣା ଆରମ୍ଭ କରିବ ରୋଭର । ସେପଟେ ଋଷର ଚନ୍ଦ୍ର ଅଭିଯାନକୁ ଅଧାରୁ ଝଟକା । ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ କ୍ରାସ କରିଯାଇଛି ସ୍ପେସକ୍ରାଫ୍ଟ।

ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍ । ମଝିରେ ଆଉ ଦୁଇ ଦିନ । ମହାକାଶରୁ ଆସିବ ଖୁସି ଖବର । ଚନ୍ଦ୍ରଠାରୁ ୨୫ କିଲୋମିଟର ଦୂରରେ ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ । ଚନ୍ଦ୍ର ଦୁଆରେ ଚନ୍ଦ୍ରଯାନ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ବଢ଼ିଛି ସଫ୍ଟ ଲ୍ୟାଣ୍ଡିଂ ଆଶା । ଡିବୁଷ୍ଟିଂ ଅପରେସନରେ ଚନ୍ଦ୍ରଯାନ-୩ର ସ୍ପିଡକୁ କମାଇ ଦିଆଯାଇଛି । ଲ୍ୟାଣ୍ଡରର ଇଣ୍ଟରନାଲ ଯାଞ୍ଚ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋର ଚିହ୍ନ ଚନ୍ଦ୍ରପୃଷ୍ଠରେ ଚିହ୍ନ ଛାଡ଼ିବ ।

ଋଷର ଚନ୍ଦ୍ର ଅଭିଯାନ ଫେଲ । ଲ୍ୟାଣ୍ଡିଂର ଦିନକ ପୂର୍ବରୁ ଲୁନା-୨୫ କ୍ରାସ୍ । ଚନ୍ଦ୍ରପୃଷ୍ଠରେ ଖସିପଡ଼ିଲା ଋଷର ସ୍ପେସକ୍ରାଫ୍ଟ । ପ୍ରିଲ୍ୟାଣ୍ଡିଂ ଅର୍ବିଟରେ ଯାନ୍ତ୍ରିକ ତ୍ରୁଟି ପରେ ଭାରସାମ୍ୟ ହରାଇ ଲୁନା-୨୫ ଖସି ପଡ଼ିଥିବା ସୂଚନା ଦେଇଛି ଋଷ ସ୍ପେସ ଏଜେନ୍ସି ରସକସମସ । ଶନିବାର ସନ୍ଧ୍ୟାରେ ସ୍ପେସକ୍ରାଫ୍ଟ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଲ୍ୟାଣ୍ଡିଂ ପୂର୍ବରୁ ଅର୍ବିଟ ବଦଳାଇବା ସମୟରେ ପୂର୍ବ ନିର୍ଦ୍ଧାରିତ ପାରାମିଟରରେ ଥ୍ରଷ୍ଟର ଫାୟାର ହୋଇ ନପାରିବା ଯୋଗୁ ଏହା କ୍ରାସ ହୋଇଯାଇଥଲା । ଅଗଷ୍ଟ ୧୧ରେ ସୋୟୁଜ-୨.୧ବି ଲଞ୍ଚ ବେହିକିଲରେ ଲୁନା-୨୫ ଉତକ୍ଷେପଣ କରିଥିଲା ଋଷ ।

୨୩ ତାରିଖ ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ । ସାରାଦେଶ ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାକୁ ଅପେକ୍ଷା କରିଛି । ଏହି ପ୍ରକ୍ରିୟାକୁ ଇସ୍ରୋ ପକ୍ଷରୁ ଲାଇଭ୍ କରାଯିବ । ଇସ୍ରୋ ଅଫିସିଆଲ ଓ୍ବେବସାଇଟ, ୟୁଟ୍ୟୁବ ଚ୍ୟାନେଲ, ଫେସବୁକ ଓ ଡିଡିରେ ସନ୍ଧ୍ୟା ୫ଟା ୨୭ ମିନିଟରୁ ଲାଇଭ ଶୋ’ ଆରମ୍ଭ ହେବ