5T ସଚିବଙ୍କ ଉପରେ କାଳିମାଡ଼କୁ ସାରା ଓଡ଼ିଶା କରୁଛି ଛି ଛି

1 min read

ଭୁବନେଶ୍ବର: 5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ସାରା ରାଜ୍ୟବାସୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ କମର୍ଚାରୀ ସଂଘ ଏଭଳି ଘୃଣ୍ୟକାମକୁ ସହଜରେ ଗ୍ରହଣ କରିପାରିନାହାନ୍ତି । 5T ସଚିବ ଉଦାରତା ଓ ମହାନତା ଦେଖାଇ ଅଭିଯୁକ୍ତକୁ କ୍ଷମା କରି ପୋଲିସ କବଳରୁ ମୁକୁଳାଇ ଦେଇଥିଲେ ବି ଘଟଣା ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ସମସ୍ତେ ବିରୋଧ କରୁଛନ୍ତି । ସବୁଠି ନିନ୍ଦା କରାଯାଉଛି ।

ସମୃଦ୍ଧି ପାଇଁ ଗ୍ରାଉଣ୍ଡରେ ପହଞ୍ଚୁଥିବା 5T ସଚିବ ଭି. କେ ପାଣ୍ଡିଆନଙ୍କ ଉପରେ କାଳିମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି । 5T ସଚିବଙ୍କ ଉପରେ କାଳିମାଡ଼ କରି ଭାସ୍କର  ସାହୁ ବଦନାମ ହୋଇଛି । ଘଟଣାକୁ 5T ସଚିବ ଭି.କେ ପାଣ୍ଡିଆନ ହାଲୁକା ଭାବେ ଗ୍ରହଣ କରିଥିଲେ ବି ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି । ଜଣେ କର୍ତ୍ତବ୍ୟରତ ଉଚ୍ଚ ସରକାରୀ ଅଧିକାରୀଙ୍କ ପ୍ରତି ଏପରି ଆଚରଣକୁ ନିନ୍ଦା କରିଛନ୍ତି ରାଜ୍ୟବାସୀ । ଘଟଣାକୁ ନିନ୍ଦା କରିବା ସହ 5T ସଚିବ ଭି.କେ ପାଣ୍ଡିଆନଙ୍କ ଉଦାରତାକୁ ମନ୍ତ୍ରୀ ଓ ବିଧାୟକ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚୁଛି । ଜିଲ୍ଲା, ବ୍ଲକ୍‌, ପଞ୍ଚାୟତ ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଫାଇଭ -ଟି ସଚିବ ଭି.କେ ପାଣ୍ଡିଆନ । ଚୁଟକିରେ ସମସ୍ୟାର ସମାଧାନ ହେଉଛି । ବିନା ବାଧାରେ ଫାଇଭ- ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟି ନିଜ ସମସ୍ୟା ଉତ୍ଥାପନ କରିବାର ସୁଯୋଗ ପାଉଥିବାରୁ ସାଧାରଣ ଲୋକ ଖୁସି ଅଛନ୍ତି । ଏଭଳି ସ୍ଥିତିରେ ବିକାଶର ବାଧକ ସାଜି ଫାଇଭ-ଟି ସଚିବଙ୍କ ଉପରେ କାଳିମାଡ଼ ଘଟଣାକୁ ବିଭିନ୍ନ ସରକାରୀ କମର୍ଚାରୀ ସଙ୍ଗଠନ ଦୃଢ଼ ନିନ୍ଦା କରିଛନ୍ତି ।.