ଝରିଗାଁରେ ଜମୁଛି ନିର୍ବାଚନୀ ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ତାରିଖ । ବଢୁଛି ପ୍ରାର୍ଥୀଙ୍କ ହାର୍ଟ ବିଟ୍। ବଢ଼ି ଚାଲିଛି ଭୋଟରଙ୍କ ଉତ୍କଣ୍ଠା । ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନମଣ୍ଡଳୀକୁ ଏଥର କିଏ ହାତେଇବେ? ସେନେଇ ଚାଲିଛି କଳ୍ପନା ଜଳ୍ପନା। ୨୦୦୯ରୁ ଏଠାରେ ବିଜେଡି ବାଜିମାତ କରିଆସୁଛି। ଝରିଗାଁ ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବେ ପରିଚିତ ।

ଉମରକୋଟ ବ୍ଲକର ୧୫ଟି ପଞ୍ଚାୟତ, ଝରିଗାଁ ବ୍ଲକର ୨୩ ଏବଂ ଚନ୍ଦାହାଣ୍ଡି ବ୍ଲକର ୧୪ଟି ପଞ୍ଚାୟତକୁ ନେଇ ଝରିଗାଁ ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ମୋଟ ଭୋଟର୍ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୭୨। ସେଥିରେ ୧ ଲକ୍ଷ ୭ ହଜାର ୯୨୪ ପୁରୁଷ, ୧ ଲକ୍ଷ ୯୦ ହଜାର ୪୫ ମହିଳା ଥିବାବେଳେ ୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ୨୦୦୯ରେ  ବିଜେଡିର ରମେଶ ଚନ୍ଦ୍ର ମାଝୀ ୫୪ ହଜାର ୭୬୭ ଭୋଟ ପାଇ ବିଜୟୀ ହୋଇଥିଲେ। ନିକଟତମ ପ୍ରତିଦ୍ବନ୍ଦ୍ବୀ  କଂଗ୍ରେସର ଜଳନ୍ଧର ମାଝୀ ପାଇଥିଲେ ୨୫ ହଜାର ୪୯୧ ଓ ବିଜେପିର ସନା ମାଝୀ ପାଇଥିଲେ ୧୩ ହଜାର ୨୨୬ ଭୋଟ । ୨୦୧୪ରେ ବିଜେଡିର ରମେଶ ଚନ୍ଦ୍ର ମାଝୀ ୬୫ ହଜାର ୨୫୪ ଭୋଟ ପାଇ ପୁଣି ବିଜୟ ଲାଭ କରିଥିଲେ।

ନିକଟତମ ପ୍ରତିଦ୍ବନ୍ଦୀ ଜଳନ୍ଧର ମାଝୀ ୫୪ ହଜାର ୫୮ଭୋଟ ପାଇଥିଲେ। ବିଜେପିର କୁମର ପୂଜାରୀଙ୍କୁ ୧୪ ହଜାର ୧୦ ଭୋଟ ମିଳିଥିଲା। ୨୦୧୯ରେ ରମେଶ ମାଝୀଙ୍କ ସାନଭାଇ ପ୍ରକାଶ ମାଝୀ ବିଜେଡି ଟିକେଟ ପାଇ ୭୭ ହଜାର ୮୮୧ ଭୋଟରେ ଜିତିଥିଲେ। କଂଗ୍ରେସର ଜଳନ୍ଧର ମାଝୀଙ୍କୁ ୪୬ ହଜାର ୫୧୧ ଓ ବିଜେପିର ପର୍ଶୁରାମ ମାଝୀଙ୍କୁ ୩୯ ହଜାର ୬୩୧ ଭୋଟ ମିଳିଥିଲା । ଚଳିତ ନିର୍ବାଚନରେ ବିଜେଡିରୁ ରମେଶ ଚନ୍ଦ୍ର ମାଝୀ, ବିଜେପିରୁ ନରସିଂହ ଭତ୍ରା ଏବଂ କଂଗ୍ରେସରୁ ହାରାବତୀ ଗୋଣ୍ଡଙ୍କୁ ମିଳିଛି ଟିକେଟ୍। ସବୁ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି।

ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ହେଉଛନ୍ତି ପୂର୍ବତନ ଶିଳ୍ପରାଷ୍ଟ୍ର ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝୀଙ୍କ ପୁଅ । ୨୦୧୯ରେ ରମେଶ ମାଝୀଙ୍କୁ ବିଜେଡି ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା।  ସେ ବର୍ତ୍ତମାନ ସାଂସଦ ଥିବା ବେଳ ଦଳ ତାଙ୍କୁ ଏଥର ବିଧାୟକ ପ୍ରାର୍ଥୀ କରିଛି । ସେପଟେ ୨୦୧୯ରେ କଂଗ୍ରେସ ଜଳନ୍ଧର ମାଝୀଙ୍କୁ ରିପିଟ କରିଥିଲା। ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବଦଳାଇଛି। ଚଳିତଥର କଂଗ୍ରେସ ପକ୍ଷରୁ ହାରାବତୀ ଗୋଣ୍ଡଙ୍କୁ ମିଳିଛି ଟିକେଟ୍ । ୨୦୧୯ରେ ବିଜେପି ପର୍ଶୁରାମ ମାଝୀଙ୍କୁ ଭରସା କରି ନିର୍ବାଚନ ମଇଦାନକୁ ଓଲ୍ଲାଇଥିଲା । ଚଳିତ ନିର୍ବାଚନରେ ଟିକେଟ୍ ପାଇଛନ୍ତି ନରସିଂହ ଭତ୍ରା। ଏମାନଙ୍କୁ ନେଇ ଭୋଟର ଏବେ ଅଙ୍କ କଷୁଛନ୍ତି। କାହାକୁ ଭୋଟ ଦେବେ ଚିନ୍ତା କରୁଛନ୍ତି।